ଭୁବନେଶ୍ବର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ତଥା‌ ବିଶ୍ୱବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ପ୍ରଫେସର ସ୍ବାଇଁଙ୍କୁ ଆସନ୍ତା ତିନି ବର୍ଷ ପାଇଁ କୁଳପତି ଭାବେ ନିଯୁକ୍ତ କରିଛନ୍ତି। ପ୍ରଫେସର ସ୍ବାଇଁଙ୍କର ୩୧ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୧୦ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ଅଧୀନ‌ରେ ଦୁଇ ଜଣ ଡି.ଲିଟ୍, ୧୫ଜଣ ପିଏଚଡି ଓ ୫୬ଜଣ ଏମ.ଫିଲ୍ କରିଛନ୍ତି। ନିଯୁକ୍ତି ପରେ ପ୍ରଫେସର ସ୍ବାଇଁ କହିଛନ୍ତି ଯେ ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଦାୟିତ୍ବ ଗ୍ରହଣ କରିବି। ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷା, ସଂସ୍କୃତି ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣକୁ ପ୍ରାଥମିକତା ଦିଆଯିବ।

Advertisment

ସୂଚନା‌ଯୋଗ୍ୟ ଯେ ଜାନୁଆରି ୬ରେ ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଦେଶର ଏହି ପ୍ରଥମ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପଦବି ଖାଲି ପଡ଼ିଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଭାରପ୍ରାପ୍ତ କୁଳପତି ଦାୟିତ୍ବ ନିର୍ବାହ କରୁଥିଲେ। ନଭେମ୍ବର ୨୭ରୁ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ଲାଗି ବିଳମ୍ବିତ ହୋଇଥିଲା। ଏହି ସମ୍ମାନଜନକ ପଦବି ଲାଗି ୩୦ରୁ ଅଧିକ ପ୍ରଫେସର ଆବେଦନ କରିଥିବା ବେଳେ ‌ଚୂଡ଼ାନ୍ତ ପର୍ଯ୍ୟାୟରେ ୩ଜଣ ପ୍ରଫେସର ରହିଥିଲେ। ଆଜି ରାଜ୍ୟପାଳ ପ୍ରଫେସର ଲାଲ୍‌ ତାଲିକାରେ ଥିବା ୩ଜଣ ଆଶାୟୀ ପ୍ରଫେସରଙ୍କ ବ୍ୟକ୍ତିଗତ ସାକ୍ଷାତକାର ନେବା ପରେ ଅପରାହ୍ନରେ ପ୍ରଫେସର ସ୍ବାଇଁଙ୍କ ନାମ ଘୋଷଣା କରିଛନ୍ତି।