ପରଲୋକରେ ବର୍ଷିଆନ୍‌ ଶିକ୍ଷାବିତ୍‌ ପ୍ରଫେସର ପ୍ରଭାତ ନଳିନୀ

ଭୁବନେଶ୍ବର : ବର୍ଷିଆନ୍‌ ଶିକ୍ଷାବିତ୍‌ ପ୍ରଫେସର ପ୍ରଭାତ ନଳିନୀ ଦାସଙ୍କର ଆଜି ପରଲୋକ ହୋଇଯାଇଛି। ଆଜି ପୂର୍ବାହ୍ନ ୧୧ଟା ବେଳେ ସହିଦ୍‌ ନଗର ସ୍ଥିତ ନିଜସ୍ବ ବାସଭବନରେ ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବିଦେଶରେ ସଫଳତାର ସହ ବିଭିନ୍ନ ପାଠ୍ୟକ୍ରମରେ ସ୍ବର୍ଣ୍ଣପଦକ ହାସଲ କରିବା ପରେ ଭାରତର ବଡ଼ ବଡ଼ ବିଶ୍ବବିଦ୍ୟାଳୟରେ ପ୍ରମୁଖ ପଦପଦବିରେ ରହିବା ସହ ଇଂରାଜୀ ଅଧ୍ୟାପନାରେ ସମ୍ମିଳିତ ଶିକ୍ଷଣ ବ୍ୟବସ୍ଥା ପ୍ରଚଳନରେ ଚର୍ଚ୍ଚାକୁ ଆସିଥିବା ଏହି ଶିକ୍ଷାବିତ୍‌ଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ‘ପୌରୁଷ’ ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ଅସିତ୍‌ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ର, ପୂର୍ବତନ ଓଡ଼ିଶା ମୁଖ୍ୟ ଶାସନ ସଚିବ ରବି ନାରାୟଣ ଦାସ, ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର, ଶରତ କର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ‌ଶେଷ ଦର୍ଶନ କରିଛନ୍ତି। ସ୍ବାମୀ ପ୍ରଫେସର ବିଧୁ ଭୂଷଣ ଦାସଙ୍କର ଅନେକ ଦିନ ତଳୁ ପରଲୋକ ହୋଇଯାଇଛି। ତାଙ୍କର ଏକମାତ୍ର ପୁଅ ହେଲେ ଆଶୁତୋଷ ଶେଷ ବଳୟ।। ଦୁଇ କନ୍ୟା ହେଲେ ପ୍ରଜ୍ଞାପାରମିତା ଦାସ ଓ ଉପାଲି ଅପରାଜିତା। ଆସନ୍ତାକାଲି ତାଙ୍କର ‌ଶେଷ କୃତ୍ୟ ସଂପନ୍ନ ହେବ ବୋଲି ଜଣାପଡ଼ିଛି।

୧୯୨୭ ମସିହା ଡିସେମ୍ବର ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ପ୍ରଭାତ ନଳିନୀଙ୍କ ଜନ୍ମସ୍ଥାନ କଟକ। ୧୯୪୪ ମସିହାରେ ରେଭେନ୍‌ସା ବାଳିକା ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିଥିଲେ। ୧୯୪୮ ମସିହାରେ ରେଭେନ୍‌ସା ମହାବିଦ୍ୟାଳୟରୁ ସେ ସ୍ନାତକରେ ଟପ୍ପରଙ୍କ ତାଲିକାରେ ସର୍ବାଗ୍ରେ ରହିଥିଲେ। ୧୯୫୦ରେ ଆହ୍ଲାବାଦ୍‌ ବିଶ୍ବବିଦ୍ୟାଳୟରୁ ଇଂରାଜୀ ସାହିତ୍ୟ ସ୍ନାତକୋତ୍ତରରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ୧୯୫୩-୫୪ ଶିକ୍ଷାବର୍ଷରେ ଫୁଲବ୍ରାଇଟ୍‌ ସ୍ମିଥ୍‌ ମୁଣ୍ଡ୍‌ ବୃତ୍ତି ସହିତ ଯୁକ୍ତରାଷ୍ଟ୍ର ଆମେରିକାର ମିନେସୋଟା ବିଶ୍ବବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ଶ୍ରେଷ୍ଠ ସ୍ନାତକ ସମ୍ମାନ ପାଇଥିଲେ। ଛାତ୍ର ଜୀବନରେ ସେ ୩ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହା ପରେ ସେ ଅଧ୍ୟାପନା ବୃତ୍ତିରେ ଯୋଗ ଦେଇଥିଲେ। ୧୯୬୦ ମସିହାରେ ଦିଲ୍ଲୀ ସ୍ଥିତ ଲେଡି ଶ୍ରୀରାମ କଲେଜ୍‌ର ରିଡର ଓ ଏଚ୍‌ଓଡି ଭାବରେ ଅବସ୍ଥାପିତ ହୋଇଥିଲେ। ମାତ୍ର ୩୨ ବର୍ଷ ବୟସ‌ରେ ସେ ଏଭଳି ଏକ ଗୁରୁ ଦାୟିତ୍ବରେ ରହି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ। ପରେ ମାତ୍ର ୩୫ ବର୍ଷ ବୟସରେ ୧୯୬୪ରେ ଆଇଆଇଟି କାନ୍‌ପୁରରେ କଳା ବିଭାଗ(ହ୍ୟୁମାନିଟିଜ୍‌)ର ପ୍ରଥମ ନି‌ର୍ଦ୍ଦେଶକ ଓ ଡିନ୍‌ ଭାବରେ ନିଯୁକ୍ତି ପାଇଥିଲେ। ୧୯୬୫ ମସିହାରେ ରାଞ୍ଚି ବିଶ୍ବବିଦ୍ୟାଳୟ ଇଂରାଜୀ ସ୍ନାତ୍ତକ ବିଭାଗ ମୁଖ୍ୟ ଭାବରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ୧୯୬୮ ମସିହାରେ ହାଇଦ୍ରାବାଦ୍‌ସ୍ଥିତ ଆମେରିକାନ୍‌ ଷ୍ଟଡିଜ୍‌ ରିସର୍ଚ୍ଚ ସେଣ୍ଟରରେ ସିନିୟର ଫେଲୋ ଓ ୧୯୬୯ ମସିହା‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଇଂରାଜୀ ବିଭାଗ ମୁଖ୍ୟ ଓ ୧୯୮୨ ମସିହାରେ ନର୍ଥଇଷ୍ଟ ହିଲ୍‌ ୟୁନିଭର୍ସିଟିର ପ୍ରୋ-ଭାଇସ୍‌ ଚାନ୍‌ସେଲର ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ।

ରାଞ୍ଚି, ଦିଲ୍ଲୀ ଓ ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ସମୟରେ ସମ୍ମିଳିତ ପ୍ରଶିକ୍ଷଣ(ଫେଡେରେଟିଭ୍‌ ଟିଚିଙ୍ଗ୍‌) ବ୍ୟବସ୍ଥାର ସେ ମୁଖ୍ୟ ପୁରୋଧା ଥିଲେ। ତା’ ଛଡ଼ା ଆଇସିସିଆର, ୟୁଜିସି, ନେସନାଲ ସ୍କୁଲ ଅଫ୍‌ ଡ୍ରାମା, ଜ୍ଞାନପୀଠ ଏକ୍ସପର୍ଟ ସିଲେକ୍ସନ କମିଟି, ଓଡ଼ିଶା ସାହିତ୍ୟ ଏକାଡେମି, ୟୁପିଏସ୍‌ସି ଭଳି ଅନୁଷ୍ଠାନରେ ଏକାଡେମିକ୍‌ ଆଡ୍‌ଭାଇଜର୍‌ ଭାବରେ ଅବସ୍ଥାପିତ ହେବାର ଗୌରବ ଲାଭ କରିଛନ୍ତି। ଏତଦ୍‌ଭିନ୍ନ ପୁସ୍ତକ ପ୍ରତି ଥିଲା ତାଙ୍କର ଅନେକ ଦୁର୍ବଳତା। ସମାଲୋଚନା ଧର୍ମୀ ପୁସ୍ତକ ‘ଦ କ୍ୟାଫ୍ଟିଭ୍‌ ଆଣ୍ଡ ଦ ଫ୍ରି:ଏସେଜ୍‌ ଇନ୍‌ କ୍ରିଟିସିଜମ୍‌ ଆଣ୍ଡ ଆସ୍ଥେଟିକ୍ସ’, ପ୍ଲେଜର୍‌ ଆଣ୍ଡ ପ୍ରଫିଟ୍‌ର ସମ୍ପାଦନା, ମନୋରଞ୍ଜନ ଦାସଙ୍କର ଦୁଇ ପୁସ୍ତକ ‘ଦ ୱାଇଲ୍ଡ ହାର୍ଭେଷ୍ଟ’ ଓ ‘ନନ୍ଦିକା କେଶରୀ’ନାଟକର ଅନୁବାଦ ପ୍ରଭୃତି ତାଙ୍କର ଅବଦାନ। ଇଂରାଜୀ କବିତା ‘ଫେଡେରିକୋ ଗାର୍ସିଆ ଲୋର୍କା’ କବିତାଗୁଚ୍ଛର ଅନୁବାଦ ଓଡ଼ିଆ ସାହିତ୍ୟରେ ସମ୍ମୋହନ ସୃ‌ଷ୍ଟି କରିଥିଲା। ଏହି ଲେଖାଲେଖି ପାଇଁ ୟୁଏସ୍‌ଏର ‘ଡେଲ୍ଟା ଫି ଲାମ୍ବା’କୁ ମନୋନୀତ ହୋଇଥିଲେ। ଭାରତୀୟ ଯୁବ ଲେଖିକା ଭାବରେ ସେଠାରେ ସେ ବେଶ୍‌ ପ୍ରଶଂସିତ ହୋଇଥିଲେ। ସେହିଭଳି ଓଡ଼ିଆ ଥିଏଟର୍‌ ଓ ନୃତ୍ୟ ମୁଦ୍ରାକୁ ବଞ୍ଚାଇ ରଖିବା ପାଇଁ ତାଙ୍କର ଉଦ୍ୟମ ପ୍ରଶଂସନୀୟ ଥିଲା।

ସମ୍ବନ୍ଧିତ ଖବର