ସିସିଆର୍‌ଏଏସ୍‌ର ନିର୍ଦ୍ଦେଶକ ହେଲେ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟ

ବାଲେଶ୍ବର : କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଅନୁସନ୍ଧାନ ପରିଷଦ (ସିସିଆର୍‌ଏଏସ୍‌ର)ର ନିର୍ଦ୍ଦେଶକ ଭାବେ ପ୍ରଫେସର ରବିନାରାୟଣ ଆଚାର୍ଯ୍ୟଙ୍କୁ ନିଯୁକ୍ତି ମିଳିଛି। ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନ ଏହି ସମ୍ମାନଜନକ ପଦରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।

ପ୍ରଫେସର ଆଚାର୍ଯ୍ୟଙ୍କ ଘର ଜଗତସିଂହପୁର ଜିଲ୍ଲା ନାଲିଘର ଗ୍ରାମରେ। ସେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ୧୯୯୩ ମସିହାରେ ସ୍ନାତକ, ଗୁଜୁରାଟ ଆୟୁର୍ବେଦ ବିଶ୍ବବିଦ୍ୟାଳୟରୁ ୧୯୯୬ ମସିହାରେ ସ୍ନାତକୋତ୍ତର ଏବଂ ପରେ ସେଠାରେ ଦ୍ରବ୍ୟଗୁଣ ବିଜ୍ଞାନ ବିଭାଗରେ ପିଏଚ୍‌ଡି କରିଛନ୍ତି। ଅନେକ ଅନ୍ତର୍ଜ‌ାତୀୟ ସଂପାନରେ ସେ ଅଂଶଗ୍ରହଣ କରିବା ସହ ଭାରତ ସରକାରଙ୍କ ତରଫରୁ ଜେନିଭା, ବ୍ୟାଙ୍କକ୍‌, ଚୀନ୍‌, ଶ୍ରୀଲଙ୍କା ଆଦି ଦେଶ ଗସ୍ତ କରି ସ୍ବାସ୍ଥ୍ୟ ସଂପର୍କିତ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି। ଏବେ ସେ ଗୁଜୁରାଟ ଆୟୁର୍ବେଦ ବିଶ୍ବବିଦ୍ୟାଳୟ‌ ଦ୍ରବ୍ୟଗୁଣ ବିଜ୍ଞାନ ବିଭାଗର ଡିନ୍‌ ଭାବେ କାର୍ଯ୍ୟରତ। ପ୍ରଫେସର ଆଚାର୍ଯ୍ୟଙ୍କୁ ଏହି ପଦବିରେ ନିଯୁକ୍ତି ମିଳିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ୧୯୮୬ ଆଲୁମିନି କମିଟି ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରଫେସର ଆଚାର୍ଯ୍ୟଙ୍କ ନିଯୁକ୍ତି ଦ୍ବାରା ଓଡ଼ିଶାରେ ଆୟୁର୍ବେଦର ଅନୁସନ୍ଧାନ ଓ ଗବେଷଣା ଅଧିକ ଗତିଶୀଳ ହୋଇପାରିବ ବୋଲି ଆଲୁମିନି କମିଟିର ସଂଯୋଜକ ଡାକ୍ତର ଶାନ୍ତନୁ ଦାସ ଆଶାପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର