ପ୍ରଫେସର ସନ୍ତୋଷ ତ୍ରିପାଠୀ ଏଫ୍‌ଏମ୍‌ ବିଶ୍ବବିଦ୍ୟାଳୟ କୁଳପତି

ଭୁବନେଶ୍ବର : ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକୀରମୋହନ ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ସଂକ୍ଷିପ୍ତ ତାଲିକାରେ ଥିବା ତିନି ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ଶ୍ରୀ ତ୍ରିପାଠୀଙ୍କ ନାମ ଘୋଷଣା କରିଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନ ୨୦୨୦ର ସେକ୍ସନ ୬ର ସବ୍‌ ସେକ୍ସନ(୭)ର ସବ୍‌ ସେକ୍ସନ(୧) ଅନୁଯାୟୀ ଏହି ନିଯୁକ୍ତି ଦିଆଯାଇଥିବା ରାଜଭବନ ପକ୍ଷରୁ କୁହାଯାଇଛି। କାର୍ଯ୍ୟରେ ଯୋଗଦେବା ଦିନରୁ ୪ ବର୍ଷ ଲାଗି ପ୍ରଫେସର ଶ୍ରୀ ତ୍ରିପାଠୀ କୁଳପତି ଦାୟିତ୍ବରେ ରହିବେ। ଉତ୍କଳ ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆର ବିଭାଗର ପ୍ରଫେସର ଶ୍ରୀ ତ୍ରିପାଠୀଙ୍କର ୩୦ ବର୍ଷର ଶିକ୍ଷକତା ଅଭିଜ୍ଞତା ରହିଛି। ତାଙ୍କ ଅଧୀନରେ ୧୭ ଜଣ ପିଏଚ୍‌ଡି ଓ ୪୦ ଜଣ ଛାତ୍ରଛାତ୍ରୀ ଏମ୍‌ଫିଲ୍‌ କରିଛନ୍ତି।

ପ୍ରଫେସର ତ୍ରିପାଠୀ ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ପଦ ପଦବିରେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି। ବିଶ୍ବବିଦ୍ୟାଳୟ ପିଏମ୍‌ଆଇଆରର ବିଭାଗୀୟ ମୁଖ୍ୟ, ସିନେଟ୍‌ ସଦସ୍ୟ ଓ ଏକାଡେମିକ କାଉନସିଲ୍‌ର ସଦସ୍ୟ ଭାବେ ୪ ବର୍ଷ ଲେଖାଏଁ ସୁଚାରୁରୂପ ଦାୟିତ୍ବ ନିର୍ବାହ କରିଛନ୍ତି। ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍‌କୁ ୩ ଥର ମନୋନୀତ ହୋଇଥିଲେ। ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ରିସର୍ଚ୍ଚ କମିଟି ସଦସ୍ୟ ଏବଂ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ କଲେଜ ଡେଭଲପ୍‌ମେଣ୍ଟ କାଉନସିଲ୍‌(ସିଡିସି)ର ନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ କରି ସିବିସିଏସ୍‌(ଚଏସ୍‌ ବେସଡ୍‌ କ୍ରେଡିଟ୍‌ ସିଷ୍ଟମ) ଲାଗୁ କରାଯାଇଥିଲା। ଏହି ସମୟ ମଧ୍ୟରେ କଲେଜ ଶିକ୍ଷକଙ୍କ ଲାଗି ୪ଟି ତାଲିମ କାର୍ଯ୍ୟକ୍ରମ, ୨୦୧୭ରେ ଉତ୍କଳ ବିଶ୍ବବିଦ୍ୟାଳୟର ରୁରାଲ କ୍ୟାମ୍ପସ ଲାଗି ଯାଜପୁରର ସିଆଠାରେ ଜମି ଚିହ୍ନଟ ହୋଇଥିଲା। ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୟନ୍ତୀ ଉତ୍ସବକୁ ସଫଳ କରିବା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଏଥିସହ ବିଭିନ୍ନ କମିଟି ଓ ଶିକ୍ଷକ ସଙ୍ଗଠନର ପ୍ରମୁଖ ପଦ ପଦବି‌ରେ ରହି କାର୍ଯ୍ୟ ତୁଲାଇଛନ୍ତି। ତାଙ୍କ ଦ୍ବାରା ଲିଖିତ ଜର୍ଣ୍ଣାଲ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବେଶ୍‌ ପ୍ରଶଂସିତ ହୋଇଛି। ଶିକ୍ଷା ଓ ଗବେଷଣାରେ ପାଇଁ ଆମେରିକା, ନେପାଳ, ମାଲଦୀପ, ଭୁଟାନ୍‌ ପ୍ରଭୃତି ଦେଶକୁ ଗସ୍ତ କରିଥିଲେ। ନିଯୁକ୍ତିପତ୍ର ପାଇବା କ୍ଷଣି ପ୍ରଫେସର ଶ୍ରୀ ତ୍ରିପାଠୀ କାର୍ଯ୍ୟରେ ଯୋଗଦେଇଛନ୍ତି। ଅପରାହ୍ନରେ ଭର୍ଚୁଆଲ ମାଧ୍ୟମରେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଉତ୍ତର ଓଡ଼ିଶାର ଏହି ପ୍ରମୁଖ ବିଶ୍ବବିଦ୍ୟାଳୟର ଶିକ୍ଷା ଓ ଗବେଷଣାକୁ ଆଗକୁ ନେବା କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର