ପ୍ରଫେସର ସାରଦା ମହାନ୍ତିଙ୍କ ପରଲୋକ

ଗୋପାଳପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ପୂର୍ବତନ ପ୍ରଫେସର ଡ.ସାରଦା ପ୍ରସାଦ ମହାନ୍ତିଙ୍କ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ସେ ୧୯୯୭-୨୦୦୦ ମସିହା ଯାଏଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅତିରିକ୍ତ କୁଳପତି ଓ ପିଜି କାଉନସିଲ ଚେୟାରମ୍ୟାନ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୭୬ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ମୃତ୍ୟୁ ସମୟରେ ଦୁଇ ପୁତ୍ର ଜ୍ୟୋତି ମହାନ୍ତି ଓ ବିଶ୍ୱରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

ତାଙ୍କ ବିୟୋଗରେ ବିଶ୍ୱବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ପ୍ରଫେସର ଜୟକୃଷ୍ଣ ବରାଳ, ପ୍ରଫେସର ଚଣ୍ଡି ପ୍ରସାଦ ଦାଶ ଓ ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହେବ।

ସମ୍ବନ୍ଧିତ ଖବର