ଭୁବନେଶ୍ବର: ପ୍ରଫେସର ସବିତା ପ୍ରଧାନ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୨୦୧୭ର ସେକ୍ସନ ୮(୧) ଅନୁଯାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଆଜି ପ୍ରଫେସର ପ୍ରଧାନଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। କାର୍ଯ୍ୟରେ ଯୋଗଦେବା ଦିନଠାରୁ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ। ସେ ବର୍ତ୍ତମାନ ଶାନ୍ତିନିକେତନସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ପ୍ରଫେସର ଅଛନ୍ତି। ୧୯୬୧ ମସିହା ଜୁଲାଇ ୭ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ପ୍ରଧାନ ୨୦୦୪ରେ ଶାନ୍ତିନିକେତନ ବିଶ୍ବଭାରତୀ ଓଡ଼ିଆ ବିଭାଗର ପ୍ରଫେସର ଭାବେ ଯୋଗଦେଇଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟ ଓ ଭାଷା ‌ଉପରେ ରୁଚି ରଖୁଥିବା ପ୍ରଫେସର ପ୍ରଧାନଙ୍କ ଅଧୀନରେ ୧୪ଜଣ ଛାତ୍ରଛାତ୍ରୀ ଗବେଷଣା କରିଛନ୍ତି।

Advertisment

ଏବେ ୮ଜଣ କାମ କରୁଛନ୍ତି। ତାଙ୍କ ଦ୍ବାରା ୧୩୨ଟି ରିସର୍ଚ୍ଚ ପେପର ପ୍ରକାଶିତ ହୋଇଛି। ୯୮ଟି ଅନ୍ତର୍ଜାତୀୟ, ଜାତୀୟ ଓ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଛନ୍ତି। ତାଙ୍କ ଦ୍ବାରା ନିର୍ବୁଦ୍ଧିଆ ସିଂଘ କଥା, ଉପନ୍ୟାସ ଅବବୋଧ, ଭାଷାଶୈଳୀ ଅବବୋଧ, କୁନ୍ତଳା କୁମାରୀ ଓ ଅନ୍ୟାନ୍ୟ ଆଲୋଚନା, ସୃଜନ ସ୍ବର ପରି ୭ଟି ପୁସ୍ତକ ପ୍ରକାଶିତ ହୋଇଛି। ଦୁଇଟି ପୁସ୍ତକର ଅନୁବାଦ କରିଥିବା ବେଳେ ୧୧ଟି ପୁସ୍ତକ ସମ୍ପାଦିତ କରିଛନ୍ତି। ୪ଟି ପ୍ରକଳ୍ପରେ କାମ କରିବା ସହ ବିଶ୍ବଭାରତୀ ଓଡ଼ିଆ ବିଭାଗର ସେଣ୍ଟର ଅଫ୍‌ ଏକ୍ସଲେନ୍ସର ନିର୍ଦ୍ଦେଶକ, ବିଭାଗୀୟ ମୁଖ୍ୟ, ସେଣ୍ଟର ଫର୍‌ ଏନ୍‌ଡେଞ୍ଜରଡ୍‌ ଲାଙ୍ଗୁଏଜ୍‌ର ଚେୟାରପର୍ସନ ପରି ପଦରେ ଅଧିଷ୍ଠିତ ହୋଇଛନ୍ତି। ଆମେରିକା, ବୋଷ୍ଟନ୍‌, ଅକ୍ସଫୋଡ୍‌ ବିଶ୍ବବିଦ୍ୟାଳୟ ପରି ସ୍ଥାନକୁ ଗସ୍ତ କରିଛନ୍ତି। ନିଶାମଣି ମିଶ୍ର ପ୍ରବନ୍ଧ ସମ୍ମାନ, ଭଞ୍ଜଭୂମି ସମ୍ମାନ, ନାରାୟଣ ସ୍ମୃତି ସାହିତ୍ୟ ସଂସଦ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ଲେଖିକା ସମ୍ମାନରେ ସମ୍ମାନିତ ହୋଇଛନ୍ତି।