ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ମାମଲା: କୁଳାଧିପତିଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ

କଟକ : ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପକ୍ଷରୁ ଦାୟର ମାମଲାରେ ଆଜି କୁଳାଧିପତିଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଛି। ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ କୁଳାଧିପତିଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ପାଢୀ ଓ କୁଳାଧିପତିଙ୍କ ତରଫରୁ ଆଇନଜୀବୀ ସଂଜୀବ କୁମାର ଉଦଗାତା ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କୁଳପତି ଭାବେ ପ୍ରଫେସର ପଶୁପାଳକଙ୍କ କାର୍ଯ୍ୟକାଳ ପ୍ରାୟ ତିନି ସପ୍ତାହ ବାକି ଥିବା ବେଳେ ରାଜଭବନ ପକ୍ଷରୁ ୨୦୧୯, ଫେବ୍ରୁଆରି ୨୫ରେ ତାଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଭିଜିଲାନ୍ସ ତଦନ୍ତ ଜାରି ରହିଛି। ତଦନ୍ତରେ ପ୍ରଭାବ ପଡିବା ଆଶଙ୍କାରେ ଫେବ୍ରୁଆରି ୨୫ରେ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ପ୍ରଫେସର ପଶୁପାଳକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କୁ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ କୁହାଯାଇ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଓୟୁଏଟି ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯିବା ଓ ଭାରପ୍ରାପ୍ତ କୁଳପତିଙ୍କୁ ଦାୟିତ୍ବ ପ୍ରଦାନ ପ୍ରସଂଗକୁ ନେଇ ପ୍ରଫେସର ପଶୁପାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ ଓୟୁଏଟି କୁଳାଧିପତି, ରାଜ୍ୟ ସରକାର ଓ ଓୟୁଏଟି ବୋର୍ଡ ଅଫ୍ ମ୍ୟାନେଜମେଣ୍ଟକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର