ଜଳେଶ୍ୱର : ପେସା ଶିକ୍ଷକତା, ନିଶା ବୃକ୍ଷରୋପଣ। ଦିନେ ନୁହେଁ କି ମାସେ ନୁହେଁ, ଦୀର୍ଘ ୩୫ ବର୍ଷ ହେଲା ରାଜ୍ୟ ଓ ରାଜ୍ୟ ବାହାରେ ଗଛ ଲଗାଇବା ସହ ଲୋକଙ୍କୁ ଚାରା ବାଣ୍ଟୁଛନ୍ତି। ପରିବେଶ ସୁରକ୍ଷା ନେଇ ବାର୍ତ୍ତା ବି ଦେଉଛନ୍ତି। ଏଯାଏ ଏମିତି ଦେଢ଼ଲକ୍ଷ ଗଛ ସହ ସଂପର୍କ ଯୋଡ଼ିଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଧୀନ ରାୟାଁରାମଚନ୍ଦ୍ରପୁର ଗାଁର ୫୦ ବର୍ଷୀୟ ନରହରି ବେହେରା।

Advertisment

ନରହରି ଜଳେଶ୍ୱର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ଭାବେ ୨୦୧୦ ମସିହାରୁ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ସ୍ଥାନୀୟ ଲୋକ ନରହରି ଗୁରୁଜୀ ଭାବେ ଜାଣନ୍ତି। ନରହରିଙ୍କ ପେସା ଶିକ୍ଷକତା କିନ୍ତୁ ନିଶା ଗଛ ଲଗାଇବା ଏବଂ ଚାରା ବାଣ୍ଟିବା। ନରହରି ଜଳେଶ୍ବର ଜମାଳପୁର ହାଇସ୍କୁଲ୍‌ରେ ପଢ଼ୁଥିବା ବେଳେ ବୃକ୍ଷରୋପଣ ଉପରେ ଏକ କବିତା ପାଇଥିଲେ। ସେତେବେଳକୁ ତାଙ୍କ ବୟସ ୧୫ ବର୍ଷ ହେବ। କବିତାଟି ପଢ଼ିବା ପରେ ବୃକ୍ଷରୋପଣ ପ୍ରତି ଅନୁପ୍ରାଣିତ ହୋଇଥିଲେ ସେ। ପ୍ରଥମେ ନରହରି ନିଜ ସ୍କୁଲ୍‌ ପରିସରରେ କିଛି ଫୁଲଗଛ ଲଗାଇଥିଲେ। କିଛିଦିନ ପରେ ସେହି ଗଛଗୁଡ଼ିକରେ ରଙ୍ଗବେରଙ୍ଗର ଫୁଲ ଫୁଟିଥିଲା। ଯାହାକୁ ଦେଖି ଶିକ୍ଷକମାନେ ନରହରିଙ୍କୁ ପ୍ରଶଂସା କରିଥିଲେ। ସେହି ପ୍ରଶଂସା ତାଙ୍କୁ ପ୍ରେରଣା ଯୋଗାଇଲା। ସେହିଦିନଠାରୁ ଆଜିଯ‌ାଏ; ଦୀର୍ଘ ୩୫ ବର୍ଷ ହେବ ନରହରି ଅବିରତ ଭାବେ ବୃକ୍ଷରୋପଣରେ ଲାଗିପଡ଼ିଛନ୍ତି।

ନରହରି ନିଜ ଅଞ୍ଚଳ ସହ ଉତ୍ତରାଖଣ୍ଡର ହରିଦ୍ୱାର, ଉତ୍ତର ପ୍ରଦେଶର ଅଯୋଧ୍ୟା, ରାଜସ୍ଥାନର ଯୋଧପୁର ଏବଂ ଓଡ଼ିଶାର ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ଗଛ ଲଗାଇବା ସହ ବାଣ୍ଟିଥିବା କହିଛନ୍ତି। ସେହିପରି, ସେ ଲୋକଙ୍କୁ ଗଛ ଲଗାଇବା ନେଇ ଜନ‌ସନେତନା ସୃଷ୍ଟି କରୁଛନ୍ତି। ଯେଉଁଥିପାଇଁ ନରହରିଙ୍କ ଉଦ୍ୟମରେ ଅଁଳା ନବମୀ, ପ୍ରଥମାଷ୍ଟମୀ, ରାକ୍ଷୀ ପୂର୍ଣ୍ଣିମା ଆଦି ଗଣପର୍ବ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହେଉଛି।