ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପ୍ରଫେସନାଲ ଲାଇବ୍ରେରିଆନର ଆବଶ୍ୟକତା

ଭୁବନେଶ୍ୱର: ଓଡିଶାରେ ଲାଇବ୍ରେରୀ ପ୍ରଫେସନାଲ ସମ୍ପ୍ରଦାୟର ନେତୃତ୍ୱ ନେଇ ଆସୁଅଛି ଓଡିଶା ଲାଇବ୍ରେରୀ ଏକାଡେମୀ (ଓ.ଏଲ.ଏ.) । ଶନିବାର ଦିନ ଏକାଡେମୀ ତରଫରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଲାଇବ୍ରେରୀ ପଦବୀ ପୂରଣ ପାଇଁ ଅନୁରୋଧ କରିବା ସହ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ପଠାଯାଇଅଛି। ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବିକାଶର ପ୍ରତୀକ ହେଉଛି ଓଡିଶା ଆଦର୍ଶ ବିଦ୍ୟାଲୟ (ଓ.ଏ.ଭି.), ଯେଉଁଥିରେ ରାଜ୍ୟସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ୫ଟି ନୀତି ମାଧ୍ୟମରେ ଏହି ବିଦ୍ୟାଳୟ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଆଗ୍ରହ ଦେଖାଉଛନ୍ତି।

୨୦୧୫ ମସିହାରେ “ଓଡ଼ିଶାର ପ୍ରତ୍ୟେକ ଯୋଗ୍ୟ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା” ଏବଂ “ଓଡ଼ିଶା ଆଦର୍ଶ ବିଦ୍ୟାଳୟମାନ ଦେଶପାଇଁ ଏକ ଆଦର୍ଶ ହେବା” ଲକ୍ଷ୍ୟ ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। କେନ୍ଦ୍ରିୟ ବିଦ୍ୟାଳୟ (କେ.ଭି.) ଏବଂ ନବୋଦୟ ବିଦ୍ୟାଳୟ (ଏନ.ଭି.) ମାନଙ୍କ ଭଳି ଶିକ୍ଷା ପ୍ରଦାନ କରିବା ଉଦେଶ୍ୟରେ ପ୍ରତ୍ୟେକ ବ୍ଲକରେ ସିବିଏସ୍ଇ-ଇଂରାଜୀ ମଧ୍ୟମ ବିଦ୍ୟାଳୟ ମଡେଲ ପ୍ରତିଷ୍ଠା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ଶିକ୍ଷଣ ଫଳାଫଳକୁ ଉନ୍ନତ କରିବାରେ ସ୍କୁଲ ଲାଇବ୍ରେରୀଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଏହା ଯେକୌଣସି ଶିକ୍ଷାନୁଷ୍ଠାନର ହୃଦୟ ଭାବରେ ପରିଗଣିତ ହୁଏ ।

ବିଦ୍ୟାଳୟ ଲାଇବ୍ରେରୀ ଗୁଡ଼ିକ ସର୍ବଦା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପଢିବା ଅଭ୍ୟାସରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ଏଥିସହ, ଲାଇବ୍ରେରୀ ଗୁଡ଼ିକ ଗୋଷ୍ଠୀ ସହଯୋଗ ଏବଂ କ୍ୟାରିୟର ପରାମର୍ଶ ଇତ୍ୟାଦିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସମସ୍ତ କେ.ଭି. ଏବଂ ଏନ.ଭି. ବିଦ୍ୟାଳୟ ଗୁଡ଼ିକରେ ସିବିଏସ୍ଇର ଆବଶ୍ୟକତା ଅନୁଯାୟୀ ବିକଶିତ ସ୍କୁଲ ଲାଇବ୍ରେରୀମାନ ଅଛି । ପ୍ରଫେସନାଲ ଲାଇବ୍ରେରିଆନ ମାନଙ୍କର ନିଯୁକ୍ତି ସହିତ ସମସ୍ତ ଆଦର୍ଶ ବିଦ୍ୟାଲୟମାନରେ ସ୍କୁଲ ଲାଇବ୍ରେରୀ ମଡେଲ ପ୍ରତିଷ୍ଠା କରିବାର ଲକ୍ଷ୍ୟ ହାସଲ କରିବା ଆବଶ୍ୟକ ।

ସୂଚନା ଅନୁଯାୟୀ ସରକାର ଏହି ବିଦ୍ୟାଳୟ ଗୁଡ଼ିକ ପାଇଁ ଓଡ଼ିଶାର ୨୩୭ଟି ଲାଇବ୍ରେରିଆନ ପୋଷ୍ଟ ଅନୁମୋଦନ କରିଛନ୍ତି ।  ୪ବର୍ଷରୁ ଅଧିକ ହୋଇ ସାରିଥିଲେ ମଧ୍ୟ ଏହି ଆଦର୍ଶ ବିଦ୍ୟାଳୟ ମାନଙ୍କରେ କୌଣସି ବୃତ୍ତିଗତ ଲାଇବ୍ରେରିଆନ ନିଯୁକ୍ତ କରାଯାଇନାହିଁ । ଓଡିଶାରେ ଅନେକ ଯୁବା, ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନରେ ସ୍ନାତୋକତର ଡିଗ୍ରୀ ହାସଲ କରିଥିବା ସହ ପାଠାଗାରର ତାଲିମ ତଥା ଅଭିଜ୍ଞତା ଥାଇ ମଧ୍ୟ ନିଯୁକ୍ତି ପାଇପାରୁ ନାହାନ୍ତି, ସେମାନେ ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ଲାଇବ୍ରେରୀଆନ ପଦ ଗୁଡ଼ିକୁ ଅପେକ୍ଷା କରି ରହିଛନ୍ତି । ଆଶା କରାଯାଉଛି, ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟରେ ବୃତ୍ତିଗତ ଲାଇବ୍ରେରିଆନ ମାନଙ୍କ ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ନେବେ।

 

ସମ୍ବନ୍ଧିତ ଖବର