ପ୍ରଫେସର ଓ ଆସୋସିଏଟ୍‌ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ ବିବାଦ : ସାନି ବିଜ୍ଞପ୍ତିକୁ ଚାଲେଞ୍ଜ, ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ : ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏସଟ୍‌ ପ୍ରଫେସର ନିଯୁକ୍ତି ପ୍ରସଂଗରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ସଂଶୋଧିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଜବାବ ଦାଖଲ ପାଇଁ ସରକାରଙ୍କ ପକ୍ଷରୁ ମହଲତ ଲୋଡ଼ା ଯାଇଥିବା ବେଳେ ଖଣ୍ଡପୀଠ ଏଥିପାଇଁ ଅନୁମତି ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ଦ୍ବିତୀୟ ସପ୍ତାହକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯, ଜୁଲାଇ ୩୧ର ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜୁ ମାମଲା ସହିତ ଜୁନ ୨୧ର ବିଜ୍ଞପ୍ତି ବିରୋଧରେ ଦାୟର ମାମଲା ଗୁଡ଼ିକର ଆଜି ହାଇକୋର୍ଟରେ ଏକତ୍ର ଶୁଣାଣି ହୋଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ବିଶ୍ବବିଦ୍ୟାଳୟରେ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ନିଯୁକ୍ତି ପ୍ରସଂଗରେ ସଂରକ୍ଷଣ ନିୟମ ଉଲ୍ଳଂଘନ ଅଭିଯୋଗ ହୋଇଥିଲା। ଏ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଉଚ୍ଚ ଶିକ୍ଷା ବିଭାଗର ୨୦୧୯, ଜୁନ ୨୧ର ବିଜ୍ଞପ୍ତି ଉପରେ ଜୁଲାଇ ୩୧ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଅନ୍ୟପକ୍ଷରେ ଜୁଲାଇ ୩୧ରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହି ପ୍ରସଂଗକୁ ନେଇ ସା‌ନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ସାନି ବିଜ୍ଞପ୍ତି ମଧ୍ୟ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ଦର୍ଶାଇ ହାଇକୋର୍ଟରେ ଡକ୍ଟର ପ୍ରୟାସ ଦଣ୍ଡସନାଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା। ଅଗଷ୍ଟ ୨୦ରେ ହାଇକୋର୍ଟ ଆବେଦନର ଶୁଣାଣି କରି ପ୍ରଫେସର ଓ ଆସୋସିଏସଟ ପ୍ରଫେସର ନିଯୁକ୍ତି ପ୍ରସଂଗରେ ସଂରକ୍ଷଣ ନିୟମ ଉଲ୍ଲଂଘନ ଅଭିଯୋଗକୁ ନେଇ ପୂର୍ବରୁ ବିଚାରାଧୀନ ମାମଲା ଗୁଡିକ ସହିତ ଏହି ମାମଲାର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ସରକାରଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ଜୟନ୍ତ କୁମାର ରଥ ଓ ଏସ୍.ଏସ୍. ଦାସ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶାଶ୍ବତ ଦାସ ଓ ଭବାନୀ ଶଙ୍କର ରାୟଗୁରୁ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର