ବାଲେଶ୍ବର ଆର୍ଟ ଆଣ୍ଡ୍‌ କ୍ରାଫ୍ଟ କଲେଜ କେଳେଙ୍କାରୀ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଅଧ୍ୟାପକ ଗିରଫ

ଅଧ୍ୟକ୍ଷଙ୍କ ବିରୋଧରେ ଏକାଠି ହେଲେ ପୂର୍ବତନ ଛାତ୍ର ଓ ଚିତ୍ରଶିଳ୍ପୀ
ଛାତ୍ରଛାତ୍ରୀଙ୍କୁ ପ୍ରଭାବଶାଳୀଙ୍କ ଧମକ୍, ଘଟଣାକୁ ଚାପିବାକୁ ଉଦ୍ୟମ

ବାଲେଶ୍ବର : ବାଲେଶ୍ବର ଚାରୁ ଓ କାରୁକଳା କଲେଜର ଜଣେ ଛାତ୍ରୀଙ୍କୁ ଘରକୁ ଡାକି ଅସଦାଚରଣ ଉଦ୍ୟମ କରିବା ଅଭିଯୋଗରେ ଆଜି ପୁଲିସ ପୂର୍ବତନ ଅଧ୍ୟାପକ ଶଶାଙ୍କ ଶେଖର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସଦର ଥାନାରେ ଆଜି ସକାଳେ ଛାତ୍ରୀଙ୍କ ବାପାଙ୍କ ଲିଖିତ ଅଭିଯୋଗକୁ ଆଧାର କରି କେସ୍ ନମ୍ବର ୨୨୩/୨୧ରେ ମାମଲା ରୁଜୁ କରିଥିଲା ପୁଲିସ। ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୫୪ (ଏ) ଓ ପୋକ୍‌ସୋ ଆଇନ୍‌ର ୮ ଧାରାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଅଧ୍ୟାପକଙ୍କ ଅଶ୍ଳୀଳ କାରନାମାକୁ ନିଜ ମୋବାଇଲ କ୍ୟାମେରାରେ ଉତ୍ତୋଳନ କରି ଛାତ୍ରୀଜଣକ ନିଜ ଅଭିଭାବକଙ୍କୁ ଜଣାଇଥିଲେ।

ଅନ୍ୟପକ୍ଷରେ ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ଏହି ଘଟଣାରେ କିଛି ଲୋକ ବିଚଳିତ ହୋଇ ପଡ଼ିଛନ୍ତି। କଲେଜର ଅଧ୍ୟକ୍ଷଙ୍କୁ ସୁରକ୍ଷା ଦେଉଥିବା ଏକ ପ୍ରଭାବଶାଳୀ ଗୋଷ୍ଠୀ ବର୍ତ୍ତମାନ ମାମଲାକୁ ଦଫାରଫା କରିବା ସହ ଚାପିବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି। ଏପରିକି ଅଭିଯୋଗ କରିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଡରାଇବା ସହ ଥାନାରେ ପାଲଟା ମାମଲା ରୁଜୁ କରିବାକୁ ଧମକ ଦିଆଯାଉଥିବା ସଙ୍ଗିନ ଅଭିଯୋଗ ହୋଇଛି।

ସେପଟେ କଲେଜର କେଳେଙ୍କାରୀ ଘଟଣାକୁ ନିନ୍ଦା କରିଛନ୍ତି ବାଲେଶ୍ବର ଚାରୁ ଓ କାରୁକଳା କଲେଜର ପୂର୍ବତନ ଛାତ୍ର, ଜେନେରାଲ ବଡିରେ ଥିବା ସଦସ୍ୟ ଓ ବାଲେଶ୍ବର ଚିତ୍ରଶିଳ୍ପୀ ସଂଘ। ଆଜି ସକାଳେ ସମସ୍ତେ ଏକାଠି ହୋଇ କଲେଜ ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସଙ୍କ ନାଁରେ ଉଠିଥିବା ବିଭିନ୍ନ ଅଭିଯୋଗ, ଗଣମାଧ୍ୟମରେ ପ୍ରକାଶିତ ଖବର, ଜିଲ୍ଲାପାଳ ଓ ଥାନାରେ ହୋଇଥିବା ଲିଖିତ ଅଭିଯୋଗକୁ କାହିଁକି ଏଯାଏ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। ‌ଏହି ଘଟଣା ଅତ୍ୟନ୍ତ ସଙ୍ଗିନ ଓ ସ୍ପର୍ଶକାତର ହୋଇଥିବା ବେଳେ ଆର୍ଟ କଲେଜ ଓ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା, ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ଅଧ୍ୟକ୍ଷ ଶ୍ରୀ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟା‌ନୁଷ୍ଠାନ ଦାବି କରିଛନ୍ତି।

ଆସନ୍ତା ସୋମବାର ଦିନ ବାଲେଶ୍ବର ଚିତ୍ରଶିଳ୍ପୀ ସଂଘ, ଅଭିଭାବକ ଓ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀମାନେ ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର