ଆରପାରିରେ ପ୍ରଫେସର ବାଉରୀବନ୍ଧୁ କର

ଭୁବନେଶ୍ୱର : ସାହିତ୍ୟିକ ଓ ସମାଲୋଚକ ପ୍ର‌ଫେସର ବାଉରୀବନ୍ଧୁ କର ଆଉ ନାହାନ୍ତି। ଶୁକ୍ରବାର ସନ୍ଧ୍ୟା ୫ଟା ୫୫ରେ ହୃଦ୍‌ଘାତରେ ପରଲୋକ ‌ହୋଇଯାଇଛି। ତାଙ୍କୁ ୬୯ବର୍ଷ ବୟସ ହୋଇଥିଲା। ତାଙ୍କ ବଡ଼ ଭାଇ ତଥା ଲେଖକ ଓ ସାମ୍ୟବାଦୀ ନେତା ସୌରୀବନ୍ଧୁ କର ଗତ ଏପ୍ରିଲ୍‌ ୧୩ ତାରିଖରେ ମୃତ୍ୟୁବରଣ କରିବା ପରେ ସେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ବଡ଼ ଭାଇଙ୍କ ମୃତ୍ୟୁର ୫ ମାସ ପରେ ଆଜି ସେ ଆରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ସାରସ୍ବତ ଜଗତରରେ ଶୋକର ଛାୟା ଖେଳିଯାଇଛି।

ଯାଜପୁର ଜିଲ୍ଲା ଖଣ୍ଡିତର ଗାଁ’ରେ ୧୯୫୧ ମସିହା ସେପ୍ଟେମ୍ବର ୧୨ ତାରିଖରେ ଅନାଥବନ୍ଧୁ କର ଓ ସୁଭଦ୍ରା କରଙ୍କଠାରୁ ଜନ୍ମିତ ପ୍ରଫେସର୍‌ କର ସାହିତ୍ୟ ସମାଲୋଚନା ଓ ଗବେଷଣା କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲ। ଦୀର୍ଘବର୍ଷ ହେବ ଭୁବନେଶ୍ବରସ୍ଥିତ କପିଳପ୍ରସାଦରେ ରହି ଆସୁଥିଲେ। ପ୍ରଫେସର କର ମେଧାବୀ ଛାତ୍ର ଭାବେ ପିଲା ବେଳୁ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ। ଓଡ଼ିଆ ସ୍ନାତକ ଓ ସ୍ନାତକୋତ୍ତରରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ୨ ସ୍ବର୍ଣ୍ଣପଦକ ଲାଭ କରିଥିଲେ। ୧୯୭୬ ମସିହାରେ ଅଧ୍ୟାପନାରୁ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଯାଜପୁର ଏନ୍‌.ସି କ‌ଲେଜ୍‌, ଜେ.କେ.ବି.କେ କଲେଜ୍‌, ରେଭେନ୍ସା କଲେଜ୍‌, ଭଦ୍ରକ କଲେଜ୍‌, କେନ୍ଦୁଝର କଲେଜ୍‌ ଓ ଶେଷରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରଫେସର ଓ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପଦରେ ରହି ଅବସର ନେଇଥିଲେ। ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ପ୍ରବନ୍ଧ ସାହିତ୍ୟ, ସ୍ବାଧୀନତା ପରବର୍ତୀ ଓଡ଼ିଆ ଉପନ୍ୟାସ, ଓଡ଼ିଶାର ସଂସ୍କୃତି ଓ ଇତିହାସରେ ମାଦଳାପାଞ୍ଜି, ଚିନ୍ତନ: ଅନୁଚିନ୍ତନ, ପ୍ରାବନ୍ଧିକ ନୀଳକଣ୍ଠ ଦାସ, ଜ୍ଞାନସାର ଜ୍ୟୋତି, ସମାଲୋଚନା ଭାରତୀ, ତିନୋଟି ସମାଲୋଚନା, ସାହିତ୍ୟ ସାଧକ ଡ.ମାୟାଧର ମାନସିଂହ, ନାନା ଆଲୋଚନା, ସମାଲୋଚନା ସ୍ତବକ, ଆଧୁନିକ ଓଡ଼ିଆ ସାହିତ୍ୟକୁ କାମପାଳ ମିଶ୍ରଙ୍କ ଦାନ, ବିରୂପାକ୍ଷ ପ୍ରବନ୍ଧାବଳୀ, ସାହିତ୍ୟ ସାଧକ କବି ଉପନ୍ଦ୍ରେ ଭଞ୍ଜ, ମହାପାତ୍ର ନୀଳମଣି ସାହୁ, କବି ରମାକାନ୍ତ ରଥ, ଗଦ୍ୟଶିଳ୍ପୀ କିଶୋରୀ ଚରଣ, ସୁରେନ୍ଦ୍ର ସମୀକ୍ଷା, ଗଙ୍ଗାଧର ମେହେର ଓ ଆତ୍ମଜୀବନୀ ‘ସମୟର ବାଲିବନ୍ତରେ ମୁଁ’ ଭଳି ସାରସ୍ବତ କୃତି ସେ ଓଡ଼ିଆ ସାହିତ୍ୟ ଜଗତକୁ ଭେଟି ଦେଇଛନ୍ତି। ନିଜ ଭାଇ ସ୍ବର୍ଗତ ସୌରୀବନ୍ଧୁ କରଙ୍କ ପାଇଁ ସ୍ମରଣିକା ପାଇଁ ପ୍ରସ୍ତୁତି କରୁଥିବା ବେଳେ ନିଜେ ଇହଧାମକୁ ଚାଲି ଯାଇଛନ୍ତି।

ମରଶରୀର ନିକଟରେ ତାଙ୍କ ପତ୍ନୀ ହରପ୍ରିୟା କର, ପୁତ୍ର ଶୁଭାଶିଷ କର ଓ ପୁତୁରା ସିଦ୍ଧାର୍ଥ କର ଉପସ୍ଥିତ ଥିଲେ। ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପୁତୁରା ସିଦ୍ଧାର୍ଥ କର କହିଛନ୍ତି। ପ୍ରଫେସର କରଙ୍କ ବିୟୋଗରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ଓଡ଼ିଶା ସାହିତ୍ୟ ଏକାଡେମି ସମେତ ବିଶିଷ୍ଟ କଥାକାର ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡ.ବିଜୟାନନ୍ଦ ସିଂହ, ଓଡ଼ିଶା ଲେଖକ ସମବାୟ ସମିତିର ମୁଖ୍ୟ ଉପଦେଷ୍ଟା ସାହିତ୍ୟିକ ସାତକଡ଼ି ହୋତା, ପୂଜ୍ୟପୂଜା ଓଡ଼ିଶାର ସମ୍ପାଦକ ରମାକାନ୍ତ ମିଶ୍ର, ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ ସଭାପତି ପ୍ରଭାତ କୁମାର ନନ୍ଦ, ଉତ୍କଳ ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର୍‌ ଡ. ବିଜୟ କୁମାର ଶତପଥୀ ଓ ଅମୃତାୟନ ପତ୍ରିକାର ଗୀତା ହୋତା ଶୋକ ପ୍ରକାଶ କରିଛନ୍ତି।

ଗଦ୍ୟ ସାହିତ୍ୟକୁ ବିଶେ‌ଷ ଅବଦାନ ଥିଲା
ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟକୁ ପ୍ରଫେସର ବାଉରୀବନ୍ଧୁ କରଙ୍କ ବିଶେଷ ଅବଦାନ ଥିଲା। ବହୁ ଲେଖକଙ୍କ ଲେଖାକୁ ମନେ ରଖି ଆବଶ୍ୟକସ୍ଥଳେ ତାକୁ ଉଦ୍ଧୃତି କରିପାରୁଥିଲେ। ଜ୍ଞାନୀ ଗୁଣୀ ଓ ବନ୍ଧୁ ପ୍ରିୟ ବ୍ୟକ୍ତି ଥିଲେ। ତାଙ୍କ ସହ ରେଭେନ୍ସାରେ ଏକାଠି ଅଧ୍ୟାପନା କରୁଥିଲି। ଗଦ୍ୟ ସାହିତ୍ୟକୁ ଅବଦାନ ପାଇଁ ସେ ଚିର ସ୍ମରଣୀୟ ରହିବେ।
ଡ.ନଟବର ଶତପଥୀ (ସାହିତ୍ୟିକ)

ଛାତ୍ରବତ୍ସଳ ଅଧ୍ୟାପକ, ବନ୍ଧୁବତ୍ସଳ ମଣିଷ
ପ୍ରଫେସର କର ଓଡ଼ିଆ ସାହିତ୍ୟ ସମାଲୋଚନା ସହ ଜଣେ ଆଗଧାଡ଼ିର ଆଲୋଚକ ଥିଲେ। ଛାତ୍ରବତ୍ସଳ ଅଧ୍ୟାପକ ଓ ବନ୍ଧୁବତ୍ସଳ ମଣିଷ ହିସାବରେ ତାଙ୍କର ପଟାନ୍ତର ନାହିଁ। ତାଙ୍କ ଅବର୍ତମାନରେ ଓଡ଼ିଆ ସାହିତ୍ୟରେ ଅପୂରଣୀୟ କ୍ଷତି ହୋଇଛି। ମୁଁ ମୋ’ର ବନ୍ଧୁଙ୍କୁ ହରାଇ ଗଭୀର ମର୍ମାହତ। ଏ ଜୀବନରେ ତାଙ୍କ ଭଳି ବନ୍ଧୁ ପାଇବି ନାହିଁ। ଈଶ୍ବର ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ପରିବାରକୁ ଦୁଃଖ ସହିବାକୁ ସାହସ ଦିଅନ୍ତୁ।
ଦାଶ ବେନହୁର (ସାହିତ୍ୟିକ)

ଓଡ଼ିଆ ସାହିତ୍ୟକୁ ଭଲ ପାଉଥିଲେ
ସେ ମୋ’ର ଛାତ୍ର ଜୀବନର ବନ୍ଧୁ ଥିଲେ। ଓଡ଼ିଆ ସାହିତ୍ୟକୁ ଅତି ଆପଣାର ଭାବେ ଭଲ ପାଉଥିଲେ। ‘ଓଡ଼ିଆ ସାହିତ୍ୟର ଇତିହାସ’ ତାଙ୍କର ଅନବଦ୍ୟ ଦାନ। ଊନ୍ନବିଂଶ ଶତାବ୍ଦୀର ସାହିତ୍ୟ ଓ ପ୍ରବନ୍ଧ ତାଙ୍କ ଜିଭ ଅଗରେ ଥିଲା। ନିକଟରେ କଥା ହେବା ବେଳେ କହିଥିଲେ, ମୋ ସମସ୍ତ ପ୍ରବନ୍ଧକୁ ନେଇ ୪୫୦ ପୃଷ୍ଠାରେ ବହିଟେ କରିବି। କିନ୍ତୁ ପ୍ରବନ୍ଧ ପୁସ୍ତକ ପ୍ରକାଶ ପୂର୍ବରୁ ସେ ଚାଲିଗଲେ।
ପ୍ରଫେସର ସଂଘମିତ୍ରା ମିଶ୍ର (ସାହିତ୍ୟିକ)

‘ଓଡ଼ିଆ ସାହିତ୍ୟର ଇତିହାସ’ ପାଇଁ ମନେ ରହିବେ
ଓଡ଼ିଆ ସାରସ୍ବତ ଜଗତକୁ ସେ ବହୁ ଉପାଦେୟ ସାହିତ୍ୟ ଓ ସମାଲୋଚନା ପୁସ୍ତକ ଭେଟି ଦେଇଛନ୍ତି। ଶେଷ ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ। ‘ଓଡ଼ିଆ ସାହିତ୍ୟର ଇତିହାସ’ ପୁସ୍ତକ ପାଇଁ ସେ ସର୍ବଦା ମନେ ରହିବେ। ଈଶ୍ବର ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ।
ପୀତବାସ ରାଉତରାୟ (ସାହିତ୍ୟିକ)

ସମ୍ବନ୍ଧିତ ଖବର