ପ୍ରଫେସର ବିସି ରାଉତଙ୍କ ପରଲୋକ

ଭୁବନେଶ୍ବର : ଓଡ଼ିଶାର ଏମିତି ରାଜନୀତି ବିଜ୍ଞାନ ଛାତ୍ରଛାତ୍ରୀ ଖୁବ୍‌ କମ୍‌ ଥିବେ, ଯିଏ କି ତାଙ୍କ ବହି ପଢ଼ିନଥିବେ। ଏଭଳି ଜଣେ ଚର୍ଚ୍ଚିତ ଶିକ୍ଷାବିତ୍‌ ତଥା ରାଜନୀତି ବିଜ୍ଞାନ ପ୍ରଫେସର ବିଷ୍ଣୁ ଚରଣ ରାଉତଙ୍କର ପରଲୋକ ହୋଇଯାଇଛି। ପ୍ରକାଶକଙ୍କ ପାଖରେ ପ୍ରଫେସର ବିସି ରାଉତ ଓ ଛାତ୍ରଙ୍କ ଗହଣରେ ‘ବିଷ୍ଣୁ ସାର୍‌’ ଭାବରେ ପରିଚିତ ଶ୍ରୀ ରାଉତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଗତକାଲି ମଧ୍ୟ ରାତ୍ରରେ ଭୁବନେଶ୍ବର ଲୁଇସ୍ ରୋଡ୍‌ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ‌ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ରାଉତ ମୁଖାଗ୍ନି ଦେଇଥିଲେ।

ମୃତ୍ୟୁ ସମୟରେ ତାଙ୍କ ନିକଟରେ ବଡ ପୁଅଙ୍କ ସମେତ ଧର୍ମପତ୍ନୀ ଆରତୀ ରାଉତ, ବଡ଼ ବୋହୂ ସୁଚିସ୍ମିତା ମନ୍ତ୍ରୀ, ସାନ ପୁଅ ଇଂ ଦେବବ୍ରତ ରାଉତ, କନ୍ୟା ଅତିରିକ୍ତ ଶାସନ ସଚିବ ସ୍ମିତା ରାଉତ, ଜ୍ବାଇଁ ଅତିରିକ୍ତ ଶାସନ ସଚିବ ଦେବାଶିଷ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଅନେକ ବର୍ତ୍ତମାନ ତଥା ପୂର୍ବତନ ଛାତ୍ର ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ତାଙ୍କ ମୃତ୍ୟୁରେ ଛାତ୍ରଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। କେବଳ ଛାତ୍ରଛାତ୍ରୀ ନୁହନ୍ତି ବରଂ ତାଙ୍କ ପୁସ୍ତକ ପ୍ରକାଶ କରିଥିବା ପ୍ରକାଶକ, ଅଧ୍ୟାପକ, ପ୍ରାଧ୍ୟାପକମାନେ ମଧ୍ୟ ଗଭୀର ଶୋକବ୍ୟକ୍ତ କରିଛନ୍ତି।

୧୯୩୭ ମସିହାରେ ପ୍ରଫେସର ରାଉତ ଜଗତସିଂହପୁର ଜିଲ୍ଲାର ହଳଦିଆପଡ଼ାସ୍ଥିତ ମଧ୍ୟଶାସନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ‘ବିସି ରାଉତ’ ଭାବରେ ରାଜନୀତି ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଗହଣରେ ପରିଚିତ ଏହି ଲେଖକ ୫୦ରୁ ଅଧିକ ପାଠ୍ୟପୁସ୍ତକ ଲେଖିଛନ୍ତି। ଯୁକ୍ତ ଦୁଇ ଓ ଯୁକ୍ତ ତିନି ଶ୍ରେଣୀ ପାଇଁ ସେ ଲେଖିଥିବା ପାଠ୍ୟପୁସ୍ତକ ପଢ଼ି ହଜାର ହଜାର ଛାତ୍ର ସଫଳତା ହାସଲ କରିଛନ୍ତି। ତେବେ ତାଙ୍କ ଲିଖିତ ‘ଡେମୋକ୍ରାଟିକ୍‌ କନ୍‌ଷ୍ଟିଚ୍ୟୁସନ ଅଫ୍‌ ଇଣ୍ଡିଆ’ ଶୀର୍ଷକ ରାଜନୀତି ବିଜ୍ଞାନ ପୁସ୍ତକ କେବଳ ଲୋକପ୍ରିୟତା ହାସଲ କରି ନାହିଁ ବରଂ ସଂସ୍କରଣ ପରେ ସଂସ୍କରଣ ଛପା ହେବାର ରେକର୍ଡ କରିଛି। ଛାତ୍ରବତ୍ସଳ ପ୍ରଫେସର ରାଉତ ରେଭେନ୍‌ସା ମହାବିଦ୍ୟାଳୟ (ବର୍ତ୍ତମାନର ବିଶ୍ବବିଦ୍ୟାଳୟ), ବଲାଙ୍ଗୀର ରାଜେନ୍ଦ୍ର କଲେଜ ଓ ଭୁବନେଶ୍ବର ବିଜେବି କଲେଜ୍‌ରେ ପାଠ ପଢ଼ାଇବା ସହ କେନ୍ଦୁଝର ଧରଣୀଧର କଲେଜର ଅଧ୍ୟକ୍ଷ ଭାବରେ ଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ଟେକ୍ସ୍‌ଟ ବୁକ୍‌ ବ୍ୟୁରୋର ନିର୍ଦ୍ଦେଶକ ସହ ଓଡ଼ିଶା ବିଧାନସଭାର ରିସର୍ଚ୍ଚ ଅଫିସର ଭାବରେ ମଧ୍ୟ ଶ୍ରୀ ରାଉତ ସଫଳତାର ସହ କାମ କରିଛନ୍ତି। କେବଳ ଏତିକି ନୁହେଁ, ଓପ୍‌ସା, ଆଇଆଇପିଏ, ଏଆଇପିଏସ୍‌ଏ ପ୍ରଭୃତି ଖ୍ୟାତନାମା ଅନୁଷ୍ଠାନ ସହ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ।

ସମ୍ବନ୍ଧିତ ଖବର