ପ୍ରଫେସର୍‌ ଚନ୍ଦ୍ରଶେଖର ଷଡ଼ଙ୍ଗୀଙ୍କ ପରଲୋକ

ଭୁବନେଶ୍ବର : ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର୍‌ ଚନ୍ଦ୍ରଶେଖର ଷଡ଼ଙ୍ଗୀଙ୍କ ଗତ ୧ ତାରିଖରେ ଭୁବନେଶ୍ବରରେ ପରଲୋକ ହୋଇଯାଇଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟ‌ରେ ତାଙ୍କର ଦୁଇ ପୁଅ ଓ ପତ୍ନୀ ଉପସ୍ଥିତ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପୂର୍ବତନ ଛାତ୍ର ଓ ଅଧ୍ୟାପକଙ୍କ ଗହଣରେ ଗଭୀର ଶୋକ ପ୍ରକାଶ ପାଇଛି।

୧୯୩୬ ମସିହାରେ ନୟାଗଡ଼ ଓଡ଼ଗାଁ ପନ୍ତିଖାରୀ ଶାସନରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ଷଡ଼ଙ୍ଗୀ ଶରଣକୁଳ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ(ଏସ୍‌ସିଏସ୍‌ କଲେଜ୍‌)ରେ ଇଣ୍ଟରମିଡିଏଟ୍‌ କରିବା ପରେ ରେଭେନ୍‌ସାରେ ବିଏସ୍‌ସି ଓ ଏମ୍‌ଏସ୍‌ସି କରିଥିଲେ। ୧୯୮୨ ମସିହାରେ ସେ ପିଏଚ୍‌ଡି ହାସଲ କରିଥିଲେ। ପ୍ରଫେସର ଷଡ଼ଙ୍ଗୀ ୧୯୬୦ ମସିହାରୁ ଅଧ୍ୟାପନା ଆରମ୍ଭ କରିଥିଲେ। ଭବାନୀପାଟଣା, ଫୁଲବାଣୀ, ବିଜେବି କଲେଜ, ରେଭେନ୍ସା ଓ ଜିଏମ୍ କଲେଜରେ ଅଧ୍ୟାପନା କରିଥିଲେ। ଓଡ଼ିଶାର ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଉପାଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଭୁବନେଶ୍ୱରରେ ଥିବା ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟାରିର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟରତ ଥିଲେ। ଆଡଲ୍ଟ ଏଜୁକେସନ୍‌ରେ ନିର୍ଦ୍ଦେଶକ ଭାବରେ କାମ କରିବା ସହ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ଅଧ୍ୟକ୍ଷ ମଧ୍ୟ ଥିଲେ। ୧୯୯୪ରେ ସେ ସରକାରୀ ସେବାରୁ ଅବସର ନେବା ପରେ ୧୯୯୭ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ତିନିବର୍ଷ ଧରି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ନିଜ ଜନ୍ମ ଗ୍ରାମରେ ସଂସ୍କୃତ ଭାଷାର ପ୍ରଚାରପ୍ରସାରରେ ମଧ୍ୟ ସେ ନିଜକୁ ନି‌ୟୋଜିତ କରି ଚର୍ଚ୍ଚାକୁ ଆସିଥିଲେ।

୧୯୭୫ରୁ ୧୯୮୫ ମସିହା ପର୍ଯ୍ୟନ୍ତ ୧୦ ବର୍ଷ ଧରି ସେ ରେଭେନ୍ସା କଲେଜରେ ଉଦ୍ଭିଦ ବିଜ୍ଞାନ (ବଟ୍‌ନି) ବିଭାଗର ଅଧ୍ୟାପକ ଥିଲେ। ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ସେ ଏହି ବିଭାଗର ବିଭାଗର ମୁଖ୍ୟ ଥିଲେ। ଯୁକ୍ତ ୩ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ସେ ବଟ୍‌ନିରେ ଦୁଇଟି ଓ ଯୁକ୍ତ ୨ ବିଦ୍ୟାର୍ଥୀଙ୍କ ପାଇଁ ଅନ୍ୟ ଦୁଇ ଲେଖକଙ୍କ ସହ ମିଶି ଦୁଇଟି ପୁସ୍ତକ ଲେଖିଥିଲେ। ଏହାବ୍ୟତୀତ ତାଙ୍କର ଅନେକ ଗବେଷଣାଧର୍ମୀ ପୁସ୍ତକ ବେଶ୍‌ ଲୋକପ୍ରିୟ ହୋଇଥିଲା।

ସମ୍ବନ୍ଧିତ ଖବର