ଭୁବନେଶ୍ୱର: ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍ (ଓଏସ୍ଏ)ର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦିଗମ୍ବର ମିଶ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଆମେରିକାର ବର୍ମିଂହାମରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ୫୦ବର୍ଷରୁ ଅଧିକ ସମୟ ଧରି ସେ ସେଠାରେ ରହୁଥିଲେ। ଜଣେ ପ୍ରଫେସର ଭାବରେ ଡକ୍ଟର ମିଶ୍ରଙ୍କ ସମାଲୋଚନାତ୍ମକ ଚିନ୍ତାଧାରା, ନେତୃତ୍ୱ ଓ ସମାଜସେବା ପ୍ରତି ପ୍ରତିବଦ୍ଧତା ଅନେକଙ୍କୁ ଅନୁପ୍ରାଣିତ କରିଥିଲା।
୧୯୩୮ ମସିହା ମେ ୮ ତାରିଖରେ ଯାଜପୁର ଜିଲ୍ଲା କମଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ମିଶ୍ର ୧୯୬୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିଲେ। ୧୯୭୫ ମସିହାରେ ଲୋକ ପ୍ରଶାସନରେ ସ୍ନାତକୋତ୍ତର ଏବଂ ଆଲବାମା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡକ୍ଟର ଅଫ୍ ଫିଲୋସୋଫି ହାସଲ କରିଥିଲେ। ଆଲବାମାରୁ ବର୍ମିଂହାମର ମାଇଲ୍ସ କଲେଜରେ ପ୍ରଫେସର ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟକ୍ଷ ଭାବରେ ଡକ୍ଟର ମିଶ୍ର ପ୍ରଭାବଶାଳୀ ଛାପ ଛାଡ଼ି ଯାଇଛନ୍ତି।
ଡକ୍ଟର ମିଶ୍ର ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍ (ଓଏସ୍ଏ)ର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଉତ୍ତର ଆମେରିକାର ଓଡ଼ିଆ ସମାଜ ପ୍ରତି ତାଙ୍କ ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲା। ୨୦୦୩ରେ ଭାରତର ରାଜ୍ୟପାଳଙ୍କ କାର୍ଯ୍ୟ ସମ୍ବନ୍ଧରେ ସେ ଗବେଷଣା କରିବା ସହିତ ଏକ ପୁସ୍ତକ ‘ପଲିଟିକାଲ୍ ବିହେଭିଅର ଅଫ୍ ଇଣ୍ଡିଆନ୍ ଗଭର୍ଣ୍ଣର୍ସ’ ପ୍ରକାଶ ପାଇଥିଲା। ୨୦୦୬ରେ ଅଣଆବାସିକ ଓଡ଼ିଆ ସୁବିଧା କେନ୍ଦ୍ର (ଏନଆରଓଏଫସି) ରୁ ‘ବିଶିଷ୍ଟ ଓଡ଼ିଆ’ ପୁରସ୍କାର ପାଇଥିଲେ। ଡକ୍ଟର ମିଶ୍ରଙ୍କ ପରିବାରରେ ସ୍ତ୍ରୀ ଜ୍ୟୋତ୍ସ୍ନା ମିଶ୍ର, ପୁଅ ଅନୁପ, ବୋହୂ ମନୀଷା, ଝିଅ ଲିକୁନ, ଜ୍ୱାଇଁ କୁମାର, ତିନି ନାତି ଓ ନାତୁଣୀ ଅଛନ୍ତି। ପ୍ରଫେସର ଦିଗମ୍ବର ମିଶ୍ରଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ, ଜର୍ମାନୀରେ ରହୁଥିବା ରାଜେନ୍ଦ୍ର ନାରାୟଣ ଦାସ, ସହପାଠୀ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଓ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କବି ସୌଭାଗ୍ୟ କୁମାର ମିଶ୍ର, ଦେବଦାସ ଛୋଟରାୟ, ଧୀରେନ୍ଦ୍ର କର, କଥାକାର ଗୌରହରି ଦାସ, ସତ୍ୟ ପଟ୍ଟନାୟକ, ଅଧ୍ୟାପକ ବିଜୟା ମିଶ୍ର, ଉତ୍କଳ ହସ୍ପିଟାଲ୍ର ଡା. ଆଦିତ୍ୟ ସାମଲ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି।