ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅନୁଶାସନ ସମିତି ଅଧ୍ୟକ୍ଷ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ନୂତନ ରାଜ୍ୟପାଳ ଭାବରେ ଆଜି ନିଯୁକ୍ତ ହୋଇଛନ୍ତି। ଏନେଇ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି। ହରିୟାଣାର ସିର୍‌ସା

ମହାବିଦ୍ୟାଳୟରେ ଜଣେ ଗଣିତ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିବା ଶ୍ରୀ ଲାଲ ପରେ ବିଜେପିରେ ଯୋଗ ଦେଇଥିଲେ। ୧୯୯୧ ମସିହାରେ ସିର୍‌ସା ଆସନରୁ ବିଜେପିରୁ ନିର୍ବାଚନ ଲଢ଼ି ପରାଜୟର ସାମ୍ନା କରିଥିଲେ। ତେବେ, ୧୯୯୬ରେ ସେହି ଆସନରୁ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାସହିତ ୧୯୯୬-୯୯ରେ ବିଜେପି ଓ ହରିୟାଣା ବିକାଶ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ସରକାରରେ ସେ ଖାଦ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଆରଏସ୍‌ଏସ୍‌ ସହିତ ଘନିଷ୍ଠ ସମ୍ପର୍କ ଥିବା ତଥା ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବରେ ଜଣାଶୁଣା ପ୍ରଫେସର ଲାଲ ହରିୟାଣା ବିଜେପି ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀଙ୍କ ସରକାର ଅମଳରୁ ପ୍ରଫେସର ଲାଲ ରାଜ୍ୟପାଳ ଭାବରେ ନିଯୁକ୍ତ ହେବାର ଥିଲେ ମଧ୍ୟ କୌଣସି କାରଣରୁ ତାହା ସମ୍ଭବ ହୋଇପାରିନଥିଲା। ଗତ ମାର୍ଚ୍ଚମାସରେ ମଧ୍ୟ ହରିୟାଣାରୁ ସେ ରାଜ୍ୟସଭାକୁ ଯିବାପାଇଁ ଆପାତତଃ ସ୍ଥିର ହୋଇଥିଲା। ମାତ୍ର,  ଶେଷ ମୁହୂର୍ତ୍ତରେ ତାହା ଅଟକି ଯାଇଥିଲା। ଶେଷରେ, ରାଷ୍ଟ୍ରପତି  ପ୍ରଫେସର୍‌ ଲାଲଙ୍କୁ  ରାଜ୍ୟପାଳ ଭାବେ ଆଜି ନିଯୁକ୍ତି ପ୍ରଦାନ କରିଛନ୍ତି। ପୂର୍ବତନ ରାଜ୍ୟପାଳ ଡ. ଏସ୍‌ ସି ଜମିରଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତ ପ୍ରଦାନ କରାଯାଇଛି। ଶ୍ରୀ ଜମିରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅତିରିକ୍ତ ଭାବେ  ଦାୟିତ୍ୱ ଗ୍ରହଣ କରିଥିଲେ।

ସେହିଭଳି, କେରଳ ବିଜେପି ମୁଖ୍ୟ କୁମ୍ମନମ୍‌ ରାଜଶେଖରନ୍‌ଙ୍କୁ ମିଜୋରାମ ରାଜ୍ୟପାଳ ଭାବରେ ନିଯୁକ୍ତ ପ୍ରଦାନ କରାଯାଇଛି।

ନବନିଯୁକ୍ତ ରାଜ୍ୟପାଳଙ୍କୁ ଧର୍ମେନ୍ଦ୍ରଙ୍କ ଅଭିନନ୍ଦନ

ଭୁବନେଶ୍ୱର : ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ପ୍ରଫେସର୍‌ ଲାଲ୍‌ ଓଡ଼ିଶାର ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପରେ ଶ୍ରୀ ପ୍ରଧାନ ଟେଲିଫୋନ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି। ଏକ ସଂସ୍କୃତି ସଂପନ୍ନ ରାଜ୍ୟରେ ପ୍ରଫେସର ଲାଲ ତାଙ୍କର କାର୍ଯ୍ୟକାଳକୁ ସୂଚାରୁ ରୂପେ ପାଳନ କରିବା ସହିତ ଓଡ଼ିଶାର ରହଣିକାଳକୁ ଖୁସିରେ କାଟିବେ ବୋଲି  ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର