ସୋନପୁର : ସୋନପୁର ମହାରାଜା ହାଇସ୍କୁଲ ଓ ଏହାର ପୁରାତନ ଛାତ୍ରସଂଘର ମିଳିତ ଉଦ୍ୟମରେ ସ୍କୁଲର ଶତାବ୍ଦୀ ସମ୍ମିଳନୀ କକ୍ଷରେ ବାଗ୍ମୀ ପୁରୁଷ ପ୍ରଫେସର ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଙ୍କ ୧୦୩ ତମ ଜୟନ୍ତୀ ପାଳିତ ହୋଇଛି। ହାଇସ୍କୁଲର ପୁରାତନ ଛାତ୍ରସଂଘ ସଭାପତି ବରିଷ୍ଠ ସାମ୍ବାଦିକ ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ନରସିଂହ ପ୍ରସାଦ ଗୁରୁ ମୁଖ୍ୟଅତିଥି, ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ବିଶିଷ୍ଟ ସମ୍ମାନିତ ଅତିଥି, ଡ. ଗୋପବନ୍ଧୁ ରଥ ମୁଖ୍ୟବକ୍ତା, ସୋନପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷା ରେଣୁକା ମିଶ୍ର ସମ୍ମାନିତ ଅତିଥି ଓ ବରିଷ୍ଠ ସାମ୍ବାଦିକ ବୀରେନ୍ଦ୍ର ଝାଙ୍କର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ।

Advertisment

ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ. ଗୁରୁ ନିଜ ଅଭିଭାଷଣରେ କହିଥିଲେ, ପ୍ରଫେସର ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତା ସାରସ୍ବତ କ୍ଷେତ୍ରରେ ଜଣେ ପ୍ରବାଦ ପୁରୁଷ ଥିଲେ। ଜଣେ ଆଦର୍ଶ ଶିକ୍ଷକ ସହ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ। ବିଶିଷ୍ଟ ସମ୍ମାନିତ ଅତିଥି ପଦ୍ମଶ୍ରୀ ଡ. ଉଦ୍‌ଗାତା ଭାଷା, ସାହିତ୍ୟକୁ ଶୃଙ୍ଖଳିତ କରି ରଖିବା‌ରେ ପ୍ରଫେସର ଗୋବିନ୍ଦ ଚନ୍ଦ୍ର ଉଦ୍‌ଗାତାଙ୍କ ଜ୍ଞାନର ଭୂୟସୀ ପ୍ରଶଂସା କରିଥିଲେ। ବିଭିନ୍ନ ଭାଷାର ସାହିତ୍ୟରେ ସ୍ବର୍ଗତ ଉଦ୍‌ଗାତାଙ୍କ ପାଣ୍ଡିତ୍ୟର ଉଲ୍ଲେଖ କରିଥିଲେ ମୁଖ୍ୟବକ୍ତା ଡ. ରଥ। ସମ୍ମାନିତ ବକ୍ତା ଶ୍ରୀ ଝାଙ୍କର ପ୍ରଫେସର ସ୍ବର୍ଗତ ଉଦ୍‌ଗାତାଙ୍କ ପାଣ୍ଡିତ୍ୟ ଅତୁଳନୀୟ ବୋଲି କହିଥିବାବେଳେ ଅନ୍ୟତମ ସମ୍ମାନିତ ଅତିଥି ରେଣୁକା ମିଶ୍ର ପ୍ରଫେସର ସ୍ବର୍ଗତ ଉଦ୍‌ଗାତାଙ୍କ ବାଗ୍ମିତା ଉପରେ ଆଲୋଚନା କରିଥିଲେ। ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଆଶିଷ ରଞ୍ଜନ ରଥ ବିବରଣୀ ପାଠ କରିଥିଲେ। ହାଇସ୍କୁଲ ପୁରାତନ ଛାତ୍ର ସଂଘର ସାଧାରଣ ସମ୍ପାଦକ ବ୍ୟୋମକେଶ ଦାଶ ଧନ୍ୟବାଦ ଦେଇଥିଲେ। ଏଥିରେ ଶିକ୍ଷାବିତ୍ ବ୍ରଜମୋହନ ଦାନୀ, ବିରଞ୍ଚି ମହାନ୍ତି, ପ୍ରାଧ୍ୟାପିକା ମୀନା ମହାରଣା, ପ୍ରହଲ୍ଲାଦ ମିଶ୍ର, ଇନ୍ଦୁମତୀ ପୁରୋହିତ ଓ ପଙ୍କଜ ମେହେରଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।