ପ୍ରଫେସର ହୃଦମଣି ପ୍ରଧାନ ଆଉ ନାହାନ୍ତି

ବରଗଡ଼ : ସମ୍ବଲପୁରୀ ଭାଷା ସାହିତ୍ୟର ଗବେଷକ ତଥା ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ହୃଦମଣି ପ୍ରଧାନ(୮୧)ଙ୍କ ପରଲୋକ ଘଟିଛି।

ବରଗଡ଼ ଗୋବିନ୍ଦପାଲିସ୍ଥିତ ବାସଭବନରେ ବୁଧବାର ଅପରାହ୍ନରେ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କୁ ପରିବାରଲୋକେ ଖେଦାପାଲିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘେଁସ୍‌ ବନ୍ଧପାଲିର ମୂଳନିବାସୀ ପ୍ରଫେସର ପ୍ରଧାନ ୧୯୪୦ ମସିହା ମେ ୧୬ ତାରିଖ ଜନ୍ମଗ୍ରହଣ କରିଥିଲେ। ସେ ପଞ୍ଚାୟତ କଲେଜରୁ ଅଧ୍ୟାପନା ବୃତ୍ତି ଆରମ୍ଭ କରିଥିଲେ। ପରେ ଫୁଲବାଣୀ କଲେଜ ଓ କୋରାପୁଟର ବିକ୍ରମ ଦେବ କଲେଜରେ କାର୍ଯ୍ୟ କରି ପୁଣି ପଞ୍ଚାୟତ କଲେଜକୁ ଫେରିଥିଲେ। ଏଠାରେ ସେ ଅବସର ଗ୍ରହଣ କରିଥିଲେ।

ସତୁରୀ ଦଶକରୁ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ସମ୍ବଲପୁରୀ ଭାଷାର ବ୍ୟାକରଣ ଓ ଲିପି ଉପରେ ଗବେଷଣା କରିବା ସହ ୩୦ଟି ପୁସ୍ତକ ରଚନା କରିଛନ୍ତି। ଏହାମଧ୍ୟରେ ସମ୍ବଲପୁରୀ ବ୍ୟାକରଣ ଚର୍ଚ୍ଚା, ଲୋକ ନାଟକ, ନୃତ୍ୟ ପରମ୍ପରା, ସମ୍ବଲପୁରୀ ସଂସ୍କୃତି ଅନ୍ୟତମ। ତାଙ୍କ ରଚିତ ‘ଏ ଡେସ୍‌କ୍ରିଭ୍‌ଟିଭ୍‌ ଗ୍ରାମାର୍‌ ଅଫ୍‌ ସମ୍ବଲପୁରୀ’ ନିବନ୍ଧ ବିଭିନ୍ନ ମହଲରେ ଆଦୃତ ହୋଇଥିଲା। ୧୯୫୮ ମସିହାରେ ‘ଗୁଟେ ଠାନେ କର କାମ୍‌ ଗୀତ ଲେଖି ସମ୍ବଲପୁରୀ ଲେଖକ ଭାବେ ଜୀବନ ଆରମ୍ଭ କରିଥିଲେ। ତାଙ୍କର ସମ୍ବଲପୁରୀ ବର୍ଣ୍ଣବୋଧ ‘ଆମର୍‌ ଭାସା ଏବଂ ଭାଷାତତ୍ବ ଆଲୋଚନା ‘ସମଲପୁରି-କୁସଲି ବିଚାରଧାରା ଭାଷା ସାହିତ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବେ ବିବେଚନା କରାଯାଉଛି। ଶେଷ ଦୃଶ୍ୟ ପଞ୍ଚମ ଅଙ୍କର ୪୦ଟି ଓଡ଼ିଆ କବିତା, ପ୍ରବନ୍ଧ ଆମର୍‌ ଭାସାର୍‌ ନାଁ’ ସମେତ ତାଙ୍କ ସମ୍ପାଦିତ ବସ୍ତର୍‌ ହରନ୍‌, ଉଜଲ୍‌ବତି ରାମାୟଣଁ ସବୁ ମହଲରୁ ଅଦୃତ ହୋଇଛି।

ଓଡ଼ିଆ, ସମ୍ବଲପୁରୀ ଏବଂ ଇଂରାଜୀ ଭାଷାରେ ସେ ବିଭିନ୍ନ ପୁସ୍ତକ, କବିତା ଏବଂ ସନ୍ଦର୍ଭ ଲେଖି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ସମ୍ବଲପୁରୀ ସାହିତ୍ୟ ପରିଷଦର ସଭାପତି ରହିଥିବାବେଳେ ବିଭିନ୍ନ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ।

ସମ୍ବନ୍ଧିତ ଖବର