ଅଧ୍ୟାପକଙ୍କୁ ନିର୍ମମ ହତ୍ୟା : ହାତ ବାନ୍ଧି ଠେଙ୍ଗାରେ ପିଟି ମାରିଦେଲେ

ମୁରା/ସମ୍ବଲପୁର/ପଡ଼ିଆବାହାଲ : ସମ୍ବଲପୁର ଜିଲ୍ଲା ଶାସନ ଥାନା ମୁରାସ୍ଥିତ ଡିପିଏ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ହୃଦାନନ୍ଦ ପ୍ରଧ‌ାନ(୪୭)ଙ୍କୁ ନିର୍ମମ ହତ୍ୟା କରାଯାଇଛି। ବୁଧବାର ସକାଳୁ ମୁରାସ୍ଥିତ ଟାଙ୍ଗରାମାଲ ସ୍କୁଲ କ୍ୟାମ୍ପସରେ ଥିବା ଏକ ଘର ଭିତରେ ଶ୍ରୀ ପ୍ରଧାନଙ୍କ କ୍ଷତବିକ୍ଷତ ଶବ ଦେଖିବାକୁ ମିଳିଥିଲା। ତାଙ୍କ ହାତ ବନ୍ଧାଯିବା ପରେ ଠେଙ୍ଗାରେ ଆକ୍ରମଣ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବାଲିଆନାଳି ଗ୍ରାମର ହୃଦାନନ୍ଦ ପ୍ରଧାନ ପ୍ରାୟ ୨୦ ବର୍ଷ ହେବ ଏହି କଲେଜରେ କାର୍ଯ୍ୟ କରୁଥିଲେ। ସେବେଠାରୁ ଶ୍ରୀ ପ୍ରଧାନ ଟାଙ୍ଗରାମାଲ ସ୍କୁଲ କ୍ୟାମ୍ପସରେ ଥିବା କ୍ବାର୍ଟର୍ସରେ ରହୁଥିଲେ। ମହାବିଦ୍ୟାଳୟରେ ପାଠ ପଢ଼ାଇବା ସହ ସ୍ଥାନୀୟ ଅଞ୍ଚଳରେ ଜଣେ ଏଲଆଇସି ଏଜେଣ୍ଟ ଭାବେ ମଧ୍ୟ କାମ କରୁଥିଲେ। ନୂଆଁଖାଇ ପାଇଁ ସେ ଘରକୁ ଯାଇ ଗୁରୁବାର ସକାଳୁ ଫେରିଥିଲେ। ଦିନ ପ୍ରାୟ ସାଢ଼େ ୩ଟାରେ କଲେଜର ବାଓମାଟ୍ରିକ୍ସରେ ଫିଙ୍ଗର ପ୍ରିଣ୍ଟ ‌ଦେଇ ଘରକୁ ଫେରିଥିଲେ। ସେ ରହୁଥିବା ସ୍ଥାନରେ ଗାଡ଼ି ରଖିବାକୁ ଜାଗା ନଥିବାରୁ ନିକଟସ୍ଥ ଏକ ଘରେ ତାଙ୍କ ଗାଡ଼ି ମଧ୍ୟ ରଖୁଥିଲେ। ସବୁବେଳେ କଲେଜକୁ ପ୍ରଥମେ ପହଞ୍ଚୁଥିବା ଅଧ୍ୟାପକ ପ୍ରଧାନ ଶୁକ୍ରବାର ଦିନ ୧୧ଟା ଯାଏଁ ନଆସିବାରୁ ସହଯୋଗୀ ଶିକ୍ଷକମାନେ ତାଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ଉଭୟ ନମ୍ବର ସୁଇଚ୍‌ ଅଫ୍‌ ଥିବାରୁ ସନ୍ଦେହ ଜାତ ହୋଇଥିଲା। କଲେଜ ପିଅନ ତାଙ୍କ ଘରକୁ ଆସି ହଳେ ଚପଲ ଥୁଆ ହୋଇଥିବା ଦେଖିବାକୁ ପାଇଥି‌ଲେ। କିନ୍ତୁ ଘରର ଗୋଟିଏ ପାର୍ଶ୍ବର କବାଟ ଭିତରୁ ଓ ଅନ୍ୟଟି ବାହାରୁ ବନ୍ଦ ରହିଥିବାରୁ ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା। ପିଅନଙ୍କ ସୂଚନା ଅନୁସାରେ ଉଭୟ ସ୍କୁଲ ଓ କଲେଜର କର୍ମଚାରୀ ଆସି ଝରକା ଖୋଲି ଦେଖିବା ପରେ ଘର ଭିତରେ ରକ୍ତର ସୁଅ ଛୁଟୁଥିଲା। ଅଧ୍ୟାପକଙ୍କ ମୃତଦେହ ମୁହଁ ତଳକୁ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ପନିପରିବା ବିଛେଇ ହୋଇ ପଡ଼ିଥିବା ସହ ହିଟର ମଧ୍ୟ ଜଳୁଥିଲା। ଅଧ୍ୟାପକ ରୋଷେଇ କରୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ହୃଦାନନ୍ଦ ପ୍ରଧାନଙ୍କୁ ହତ୍ୟା କରାଯିବା ଘଟଣା ପଛରେ ‌କୌଣସି ବ୍ୟକ୍ତିଙ୍କ ରାଗ ରହିଥିବା କୁହାଯାଉଛି। ତାଙ୍କ ହାତ ବାନ୍ଧି ଦିଆଯିବା ପରେ ମୁହଁ, ବେକ ଓ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା। ଏହାପରେ ତାଙ୍କ ଗୋଡ଼କୁ ହିଟରରେ ଥୋଇ ପୋଡ଼ି ଦେବାକୁ ମଧ୍ୟ ଉଦ୍ୟମ କରାଯାଇଥିବା ଜଣାଯାଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥି‌ଲେ। ସାଇଣ୍ଟିଫିକ ଟିମ୍ ହତ୍ୟା‌ରେ ବ୍ୟବହୃତ ରକ୍ତ ଲଗା ଠେଙ୍ଗା, ବାହାରେ ପଡ଼ି ଥିବା ହଳେ ଚପଲ ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଏ ନେଇ ଶାସନ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତଦନ୍ତ ଜାରି ରହିଥିବା ଏବଂ ଏଯାଏ ହତ୍ୟାର କାରଣ ଜଣାପଡ଼ିନଥିବା ଏସଡିପିଓ ଭବାନୀ ଶଙ୍କର ଉଦ୍‌ଗାତା କହିଛନ୍ତି।

ସମ୍ବନ୍ଧିତ ଖବର