ଭୁବନେଶ୍ବର : ହସଖୁସିର ସଂସାରକୁ ଦୁଃଖର ମହାସମୁଦ୍ରରେ ବୁଡ଼ାଇ ଦେଇଛି ମହାମାରୀ। କରୋନାରେ ଆକ୍ରାନ୍ତ ହୋଇ ଖ୍ୟାତିସମ୍ପନ୍ନା ଅଧ୍ୟାପିକା ନୀହାରବାଳା ମହାନ୍ତିଙ୍କ ଗତ ୩୦ ତାରିଖ (ରବିବାର) ସକାଳ ୧୦ଟା ୩୭ରେ ଭୁବନେଶ୍ବରସ୍ଥିତ କିମ୍‌ସ୍‌ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ତାଙ୍କର ଜ୍ବର ଓ କାଶ ହେବାରୁ ତାଙ୍କୁ ତୁରନ୍ତ କିମ୍‌ସ୍‌ରେ ଭର୍ତ୍ତି କରାଯାଇ ଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଜୀବନ ଦୀପ ଲିଭିଯାଇଥିଲା। ତାଙ୍କର ଆକସ୍ମିକ ପରଲୋକ ଖବର ପାଇ ଭୁବନେଶ୍ବର, ରାଉରକେଲା ତଥା ସେ କାର୍ଯ୍ୟ କରିଥିବା କଲେଜର ସହକର୍ମୀ ଓ ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Advertisment

ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ହସନପୁର ଗ୍ରାମରେ ୧୯୫୮ ଜାନୁଆରି ୧୨ରେ ଜନ୍ମିତ ନୀହାରବାଳା (ବିଜି) ରେଭେନ୍‌ସା କଲେଜରେ ଶିକ୍ଷା ଲାଭ କରିଥିଲେ। ଇଂରାଜୀ ବିଷୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ସେ ରାଉରକେଲାର ସୁଶୀଳାବତୀ ସରକାରୀ ମହାବିଦ୍ୟାଳ‌ୟରେ ଅଧ୍ୟାପିକା ଭାବେ ନିଜର କର୍ମମୟ ଜୀବନର ଆରମ୍ଭ କରିଥିଲେ। ୨୦୧୮ ମସିହାରେ ସେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟରୁ ଇଂରାଜୀ ବିଭାଗର ମୁଖ୍ୟ ଭାବେ ଅବସର ନେଇଥିଲେ।

ତିନି ଭାଇ ଓ ଦୁଇ ଭଉଣୀଙ୍କ ମଧ୍ୟରୁ ସର୍ବକନିଷ୍ଠା ନୀହାରବାଳାଙ୍କ ଆକସ୍ମିକ ବିୟୋଗରେ ସମସ୍ତ ପରିବାର ଓ ବନ୍ଧୁବାନ୍ଧବ ସ୍ତବ୍ଧ ଓ ଶୋକାଭିଭୂତ ହୋଇ ପଡ଼ିଛନ୍ତି। ସେ ଜଣେ ଧର୍ମପରାୟଣା, ସୁଗୃହିଣୀ ଓ ସ୍ନେହମୟୀ ନାରୀ ଭାବେ ପରିଚିତା ଥିଲେ। ତାଙ୍କର ଶେଷକୃତ୍ୟ କୋଭିଡ୍‌ ନିୟମାନୁୟାୟୀ ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ସଂପନ୍ନ କରାଯାଇଛି। ତାଙ୍କର ଶେଷକୃତ୍ୟରେ ଏକମାତ୍ର ପୁତ୍ର ସତ୍ୟମ ମହାନ୍ତି (ଚିକୁ) ମୁଖାଗ୍ନି ଦେଇଥିଲେ। ସ୍ବାମୀ ଗିରିଜା ଶଙ୍କର ମହାନ୍ତି, ସମୁଦୀ ଶ୍ରବଣ ପଟ୍ଟନାୟକଙ୍କ ସମେତ ବଡ଼ ଝିଅ ଶୁଭଶ୍ରୀ ମହାନ୍ତି, ଜ୍ବାଇଁ ଅମିତ ପଟ୍ଟନାୟକ, ସାନ ଭାଇ ଅମନ୍‌ ପଟ୍ଟନାୟକ, ନୀହାରବାଳାଙ୍କ ବଡ଼ଭାଇ କମଳାକାନ୍ତ ମହାନ୍ତି ଓ ଦୁଇ ପୁତୁରା ପ୍ରଶାନ୍ତ ଓ ସୁବ୍ରତ ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ସାନ ଝିଅ ରାଜଶ୍ରୀ ଓ ଜ୍ବାଇଁ ପ୍ରସନ୍ନଜିତ୍‌ ଝାରସୁଗୁଡ଼ାରେ ଅବସ୍ଥାନ କରୁଥିବାରୁ ତାଙ୍କର ଶେଷ ଦର୍ଶନ କରି ନପାରି ଗଭୀର ଶୋକ ପ୍ରକାଶ କରିଛନ୍ତି।