ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କ ପରଲୋକ

ବଲାଙ୍ଗୀର : ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ରବିଶଙ୍କର ପାଣ୍ଡିଆ (୬୨ବର୍ଷ)ଙ୍କ ବୁଧବାର ପୂର୍ବାହ୍ଣରେ ପରଲୋକ ଘଟିଛି। ସେ ଜଣେ ବିଶିଷ୍ଟ ଶିକ୍ଷାବିତ, ଗାନ୍ଧୀବାଦୀ ବିଚାରକ, ଅର୍ଥନୀତି ବିଶାରଦ ଭାବରେ ବେଶ୍‌ ଜଣାଶୁଣା। ସେ କର୍କଟ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।

ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆ ଓ ଗିରିଜା ଦେବୀଙ୍କ ସାନପୁଅ ପ୍ରଫେସର ରବିଶଙ୍କର ୨୫ ଡିସେମ୍ବର ୧୯୬୦ ମସିହାରେ ପାଟଣାଗଡ଼ରେ ଜନ୍ମଗ୍ରହଣ କରିଥିଲେ। ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲରୁ ମ୍ୟାଟ୍ରିକ, ସମ୍ବଲପୁର ଗଙ୍ଗାଧର ମେହେର କଲେଜରୁ ସ୍ନାତକୋତ୍ତର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟ ବିଷୟରେ ଏମ୍‌ଫିଲ ଡିଗ୍ରି ହାସଲ କରିଥିଲେ। ଏହାପରେ ପାଟଣାଗଡ଼ ଜବାହର କଲେଜ ଓ ପରେ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଯୋଗଦେଇ ଅଧ୍ୟାପନା କରିଥିଲେ। ଓପିଏସ୍‌ସି ଯୋଗ୍ୟତା ହାସଲ କରି ସେ ଜୟପୁର ବିକ୍ରମଦେବ କଲେଜ, ଭବାନୀପାଟଣା କଲେଜ ଓ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଅଧ୍ୟାପନା କରିଥିଲେ। ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟ ଅପଗ୍ରେଡ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ପ୍ରଫେସର ପାଣ୍ଡିଆଙ୍କ ଦ୍ବାରା ଲିଖିତ ଅବିଭକ୍ତ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଅନାହାର, ପିଲାବିକ୍ରି, ଦାଦନ ସମସ୍ୟା ପ୍ରଭୃତି ପ୍ରସଙ୍ଗ ପ୍ରଶାସନ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ତାଙ୍କ ପଛରେ ପତ୍ନୀ ତପିଆ ଏବଂ ଏକମାତ୍ର ପୁତ୍ର ବିପ୍ଲବ କେଶରୀ ଓ ଅନ୍ୟ ଅତ୍ମୀୟ ପରିଜନଙ୍କୁ ଛାଡ଼ି ଯାଇଛନ୍ତି। ଗୁରୁବାର ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ବିପ୍ଲବ କେଶରୀ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର