ସଫଳତାର ଶୀର୍ଷ ଛୁଇଁଥିଲେ, ଜନ୍ମମାଟିକୁ ଭୁଲିନଥିଲେ ପ୍ରଫେସର ରାଧାମୋହନ

ନିୟମିତ ‘ସମ୍ଭବ’କୁ ଆସୁଥିଲେ

ନୟାଗଡ଼ : ବିଭିନ୍ନ କ୍ଷେତ୍ରରେ ବେଶ୍‌ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରଫେସର ରାଧାମୋହନ କିନ୍ତୁ ନିଜ ଜନ୍ମମାଟି ଓଡ଼ଗାଁକୁ ଭୁଲିନଥିଲେ। ତାଙ୍କ ରଙ୍ଗଣିପାଟଣାସ୍ଥିତି ଘରକୁ ସେ ରକ୍ଷାଣବେକ୍ଷଣା ଅଭାବ ପାଇଁ ୨୦ ବର୍ଷ ତଳେ ବିକ୍ରି କରିଦେଇଥିଲେ। କିନ୍ତୁ ପ୍ରତି ୨/୩ ମାସରେ ଥରେ ରୋହିବାଙ୍କସ୍ଥିତ ‘ସମ୍ଭବ’ ଅନୁଷ୍ଠାନକୁ ଆସୁଥିଲେ। ସେଠାରେ ଅନେକ ସମୟରେ ଫାର୍ମ ହାଉସରେ କିଛି ଦିନ ରହି ବିଭିନ୍ନ ଚାଷ କାର୍ଯ୍ୟର ତଦାରଖ କରୁଥିଲେ ବୋଲି ‘ସମ୍ଭବ’ର କର୍ମଚାରୀ କୁଶ ସେନାପତି କହିଛନ୍ତି। ସାର୍‌ ସବୁବେଳେ ନିରାମିଷ ଖାଉଥିଲେ, ବେଶ୍‌ ସମୟାନୁବର୍ତ୍ତୀ ଥିଲେ ବୋଲି କୁଶ କୋହଭରା କଣ୍ଠରେ କହିଛନ୍ତି। ଓଡ଼ଗାଁକୁ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ପ୍ରାୟ ୪ ମାସ ତଳେ ସେ ଏଠାକୁ ଆସିଥିଲେ। ଏହା ଯେ ତାଙ୍କର ଶେଷ ଆସିବା ଥିଲା ବୋଲି ଆମେ କେବେ ବିଶ୍ବାସ କରିପାରୁନୁ ବୋଲି କର୍ମଚାରୀଗଣ କହିଛନ୍ତି। ‘ସମ୍ଭବ’କୁ ଆସିଲେ ନିଜ ଗାଁକୁ ମଧ୍ୟ ବୁଲିଯାଉଥିଲେ। ଗାଁକୁ ଆସିଲେ ଆମର ସୁଖଦୁଃଖ ବୁଝିବା ସହିତ ବେଶ୍‌ ହସୁଖୁସି କରୁଥି‌ଲେ ବୋଲି ସମ୍ପର୍କୀୟ ଭାଇ ଦେବରାଜ ପାଢ଼ୀ କହିଛନ୍ତି।

ପୈତୃକ ଘର ଓ ସମ୍ପର୍କୀୟ ଭାଇ

ଗାଁରେ ସ୍କୁଲ୍‌ ନିର୍ମାଣ ପାଇଁ ୧୦ ଦିନ ଅନଶନ କରିଥିଲେ
ପ୍ରଫେସର ରାଧାମୋହନ ପିଲାଟି ଦିନରୁ ଜାତିବାଦର ଘୋର ବିରୋଧୀ ଥିଲେ। ସେ ବ୍ରାହ୍ମଣ ହୋଇଥିଲେ ମଧ୍ୟ ହରିଜନ ଲୋକଙ୍କ ସହିତ ସେ ସମୟର କଟକଣାପୂର୍ଣ୍ଣ ସମାଜରୁ ମିଶି ଆସୁଥିଲେ। ଯେଉଁଥିପାଇଁ ସେ ପଇତା ପିନ୍ଧୁନଥିଲେ। ପରବର୍ତ୍ତୀ ଅବସ୍ଥାରେ ନିଜ ନାମରୁ ସାଙ୍ଗିଆ କାଟିଦେଇଥିଲେ ବୋଲି ତାଙ୍କ ଗ୍ରାମବାସିନ୍ଦା ତଥା ସାଥୀ ଅବସରପ୍ରାପ୍ତ ଡିଆଇ ବିଶ୍ବନାଥ ପଣ୍ଡା କହିଛନ୍ତି। ନାରୀମାନଙ୍କୁ ସମାନତା, କୁସଂସ୍କାର ଦୂର ନେଇ ସେ ପିଲାଟି ଦିନରୁ ଲଢ଼େଇ କରିଆସିଥିଲେ ବୋଲି ଶ୍ରୀ ପଣ୍ଡା ରାଧାମୋହନଙ୍କୁ ମନେ ପକାଇ କହିଛନ୍ତି। ଶିକ୍ଷା ଦ୍ବାରା ସମାଜରେ ସବୁକିଛି ସମ୍ଭବ ହୋଇପାରିବ ବୋଲି ସେ କହୁଥିଲେ। ପିଲାଟି ଦିନରୁ ଶିକ୍ଷା ପ୍ରତି ସେ ଅତ୍ୟନ୍ତ ଆଗ୍ରହୀ ଥିଲେ। ଏଥି ସହିତ ଗାନ୍ଧୀବାଦରେ ସେ ପ୍ରବଳ ବିଶ୍ବାସ କରୁଥିଲେ। ପ୍ରଫେସର ରାଧାମୋହନ ଯେତେବେଳେ କଲେଜରେ ପାଠ ପଢ଼ୁଥିଲେ, ସେ ସମୟରୁ ସବୁବର୍ଗରୁ ‌ଲୋକଙ୍କୁ ଶିକ୍ଷାଦାନ ନେଇ ଦାବି ଉଠାଉଥିଲେ। ଏପରିକି କଲେଜରରେ ପଢ଼ିବା ସମୟରେ ସେ ନିଜ ଗ୍ରାମରେ ଏକ ସ୍କୁଲ୍‌ ନିର୍ମାଣ ପାଇଁ ୧୦ ଦିନ ଅନଶନ କରିଥିଲେ। ଫଳରେ ତାଙ୍କ ଗ୍ରାମ ରଙ୍ଗଣିପାଟଣାରେ ଉଦ୍ଧବ ଏମ୍‌ଇ ସ୍କୁଲ୍‌ ନିର୍ମାଣ ହୋଇଥିଲା।

ରାଷ୍ଟ୍ରପତିଙ୍କ କରକମଳରୁ ଗ୍ରହଣ କରିଥା’ନ୍ତେ ପଦ୍ମ ସମ୍ମାନ
ନୂଆଦିଲ୍ଲୀ : ଭାରତ ସରକାର ସାଧାରଣତନ୍ତ୍ର ଦିବସରେ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ଥିବା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ନାମ ଘୋ‌ଷଣା କରିଥା’ନ୍ତି। ଜାନୁଆରୀ ୨୫, ୨୦୨୦ରେ ଘୋଷଣା କରାଯାଇଥିବା ୧୪୨ଟି ପଦ୍ମ ସମ୍ମାନରେ ଓଡିଶାର ୧୦ ଜଣ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏହି ୧୦ ଜଣଙ୍କ ମଧ୍ୟରେ ବିଶିଷ୍ଟ ଓଡିଆ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମଭୂଷଣ ଏବଂ ସମାଜସେବୀ ପ୍ରଫେସର ରାଧାମୋହନଙ୍କ ସହିତ ତାଙ୍କ ଝିଅ ସାବରମତିଙ୍କୁ ପଦ୍ମଶ୍ରୀ ପାଇଁ ଚୟନ କରାଯାଇଥିଲା। ମାର୍ଚ୍ଚ ଓ ଏପ୍ରିଲ, ୨୦୨୦ରେ ଦୁଇଟି ପର୍ଯ୍ୟାୟରେ ପଦ୍ମ ପୁରସ୍କାର ବିତରଣ ପାଇଁ ରାଷ୍ଟ୍ରପତି ଭବନରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା।‌ ହେଲେ କରୋନାର ପ୍ରକୋପ ‌ତଥା ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁଁ ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମକୁ ବ‌ାତିଲ କରିଦିଆଯାଇଥିଲା। ଇତିମଧ୍ୟରେ ୨୦୨୧ର ପଦ୍ମ ପୁରସ୍କାରର ଘୋଷଣା ମଧ୍ୟ ହୋଇଗଲା। ଆଶା କରାଯାଉଥିଲା ଚଳିତ ବର୍ଷ ମ‌ାର୍ଚ୍ଚ-ଏପ୍ରିଲରେ ପଦ୍ମ ପୁରସ୍କାର ବିତରଣ ହେବ ବୋଲି। କିନ୍ତୁ କରୋନାର ଦ୍ବିତୀୟ ଲହର ପୁଣି ବାଧକ ସାଜିଲା। ଏପ୍ରିଲ ୨୭ରେ ମନୋଜ ଦାସଙ୍କର ଏବଂ ଆଜି ପ୍ରଫେସର ରାଧାମୋହନଙ୍କ ମୃତ୍ୟୁ ଘଟିଲା। ରାଷ୍ଟ୍ରପତିଙ୍କ କରକମଳରୁ ପଦ୍ମ ସମ୍ମାନ ଗ୍ରହଣ କରିବାର ଆଶା ଆଶାରେ ରହିଗଲା।

ପୋଖରୀ କୂଳରେ ବସି ମାଛଙ୍କୁ ଖାଇବାକୁ ଦେଉଥିଲେ
୯୦ ଏକର ପରିମିତ ବିଶାଳକାୟ ଅଞ୍ଚଳ ମଧ୍ୟ‌ରେ ଥିବା ପୋଖରୀ କୂଳ ତାଙ୍କର ସବୁଠୁ ପ୍ରିୟ ଥିଲା ବୋଲି କର୍ମଚାରୀ କୁଶ କହିଛନ୍ତି। ସାର୍‌, ଯେତେବେଳେ ବି ଆସୁଥିଲେ ଉକ୍ତ ପୋଖରୀ କୂଳରେ ଥିବା ବଟଲ୍‌ବ୍ରସ ଗଛ ମୂଳରେ ଘଣ୍ଟାଘଣ୍ଟା ବସୁଥିଲେ। ମାଛମାନଙ୍କୁ ଖାଇବାକୁ ଦେଉଥିଲେ ବୋଲି କୁଶ କହୁଛନ୍ତି। ସଂଯୋଗବଶତଃ ବର୍ତ୍ତମାନ ଖରାଦିନ ହୋଇଥିବାରୁ ପୋଖରୀ ଶୁଖିଯାଇଛି, ମାଛ ମଧ୍ୟ ନାହାନ୍ତି, ସାର୍‌ ବି ଆଉ କେବେ ଫେରିବେନି। ସବୁ କିଛି ଖାଁ ଖାଁ ଲାଗୁଛି ବୋଲି କୁଶ କହିଛନ୍ତି।

ସମ୍ବନ୍ଧିତ ଖବର