ପ୍ରଫେସର ରାଧାମୋହନ ମରୁଭୂମିକୁ ଦେଇଥିଲେ ଜୀବନ୍ୟାସ

ନୟାଗଡ଼ : ଜୈବିକ କୃଷିର ଅଗ୍ରଗଣ୍ୟ ବାର୍ତ୍ତାବହ ପ୍ରଫେସର ରାଧାମୋହନଙ୍କ ବିୟୋଗରେ ତାଙ୍କ ଜନ୍ମମାଟି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜନ୍ମମାଟି ରଙ୍ଗଣିପାଟଣାଠାରୁ ଆରମ୍ଭ କରି ରୋହିବାଙ୍କର ସେଇ ୯୦ ଏକର ଜମି ଉପରେ ଛିଡ଼ା ହୋଇଥିବା ‘ସମ୍ଭବ’ ଅନୁଷ୍ଠାନ ଆଜି ଝୁରି ହେଉଛି।

ରୋହିବାଙ୍କର ଉକ୍ତ ମରୁଭୂମି ସଦୃଶ ଜମିରେ ପ୍ରଫେସର ରାଧାମୋହନ ‌ଜୈବିକ ଉପାୟରେ ସୁନାର ଫସଲ ଫଳାଇ ଆସୁଥିଲେ। ପ୍ରାୟ ୧୯୮୯ ମସିହାରେ ଉକ୍ତ ଅଞ୍ଚଳର ଜମି କେବେ ଫଳବତୀ ହୋଇପାରିବ ନାହିଁ ବୋଲି ଭାବି ସ୍ଥାନୀୟ ବାସିନ୍ଦା ସେସବୁରେ ଚାଷବାସ କରିବା ଛାଡ଼ି ଦେଇଥିଲେ। କିନ୍ତୁ ତାକୁ ‌ଶସ୍ୟଶ୍ୟାମଳା କରି ଗଢ଼ିତୋଳିଥିଲେ ପ୍ରଫେସର ରାଧାମୋହନ। ଯେଉଁଥିପାଇଁ ସେ ‘ସମ୍ଭବ’ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ‘ସମ୍ଭବ’ ଜରିଆରେ ପ୍ରଫେସର ରାଧା‌‌ମୋହନ ଓ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ଝିଅ ସାବରମତୀ ଏହି ଅନୁଷ୍ଠାନ ଜରିଆରେ ଜୈବିକ କୃଷି ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି। ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ଦେଖାଇଛନ୍ତି। ଜୈବିକ କୃଷି କରି ସାରା ଦେଶରେ ସେ ଖ୍ୟାତି ଅର୍ଜନ କରିଥିଲେ। ଅନେକ ବିରଳ ଦେଶୀ ବିହନକୁ ବଞ୍ଚାଇ ରଖିବା ସହିତ ଦେଶବିଦେଶର ବିଭିନ୍ନ ପ୍ରଜାତିର ଫଳ, ଫୁଲ ଗଛ ଏଠାରେ ଲଗାଇଛନ୍ତି। ଆଜି ତାଙ୍କର ଅବର୍ତ୍ତମାନରେ ସତେଯେମିତି ‘ସମ୍ଭବ’ ଗୁମୁରି ଗୁମୁରି କାନ୍ଦୁଛି। ଅନୁଷ୍ଠାନର କର୍ମଚାରୀମାନେ ଭାଙ୍ଗି ପଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରାୟ ୯୦ ଦଶକ ବେଳକୁ ଓଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ ରୋହିବାଙ୍କ ଅଞ୍ଚଳରେ ଏକର ଏକର ଚାଷ ଜମି ଅନୁର୍ବର ‌ହୋଇପଡ଼ିଥିଲା। ଏହା ଏକ ପ୍ରକାରର ମରୁଭୂମି ପାଲଟିଯାଇଥିଲା କହି‌ଲେ ଅତ୍ୟୁକ୍ତି ହେବ ନାହିଁ। ଲୋକମାନେ ଏହି ଜମିରେ ଚାଷର ଆଶା ଛାଡ଼ି ଦେଇଥିଲେ। କିନ୍ତୁ ଉକ୍ତ ମାଟିକୁ ସେ ପରୀକ୍ଷା ନିରୀକ୍ଷା କରି ସେଥିରେ ଜୈବିକ ଉପାୟରେ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ। ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଉକ୍ତ ଟାଙ୍ଗରା ଭୂମିକୁ ସେ ସବୁଜ ସମ୍ଭାବନାରେ ଭରି ଦେଇଥିଲେ। କୃଷି ବୈଜ୍ଞାନିକଙ୍କ ସହାୟତା ନେଇ କିପରି ଏହି ମୃତ୍ତିକା ସଂରକ୍ଷଣ ସହ ଜଳ ଧାରଣ କରିପାରିବ ସେ ବ୍ୟବସ୍ଥା କରିଥିଲେ। ଏଠାରେ ବର୍ତ୍ତମାନ ୫୬୦ କିସମର ପୁରୁଣା ଧାନ ବିହନ ଚାଷ ହେଉଥିବା ବେଳେ, ୬୫ ପ୍ରକାରର ଆମ୍ଭ ଗଛ, ବାଉଁଶଠାରୁ ଆରମ୍ଭ କରି ବହୁ ଉପକାରୀ ଗଛ ରହିଛି। କେବଳ ଏତିକି ନୁହେଁ ଏହା ମଧ୍ୟରେ ଗୋପାଳନ ସହିତ ମାଛ ପୋଖରୀ ମଧ୍ୟ ରହିଛି। ଦେଶବିଦେଶରୁ ଲୋକ ଏଠାକୁ ଜୈବିକ କୃଷିର ତାଲିମ ନେବାକୁ ଆସିଥାନ୍ତି। ୯୦ ଏକର ପରିମତ ଉକ୍ତ ଅନୁଷ୍ଠାନ ମଧ୍ୟରେ ତାଲିମ କେନ୍ଦ୍ର ମଧ୍ୟ ରହିଛି। ସାରା ଦେଶରେ ଏଭଳି କ୍ବଚିତ୍‌ ଅନୁଷ୍ଠାନ ‌ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର