ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର : ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ଓଡ଼ିଶା ବିଜ୍ଞାନ ଏକାଡେମିର ପୂର୍ବତନ ସଭାପତି ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କର ପରଲୋକ ହୋଇଛି। କୋଭିଡ୍‌ରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ପ୍ରଫେସର ମହାନ୍ତିଙ୍କ ବିୟୋଗ ପରେ ରାଜ୍ୟ ଶିକ୍ଷା ଜଗତରେ ଶୋକର ଛାୟା ‌ଖେଳିଯାଇଛି।

ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିବା କ୍ଷେତ୍ରରେ ପ୍ରଫେସର ମହାନ୍ତିଙ୍କ ଅବଦାନ ଅତୁଳନୀୟ। ପଦାର୍ଥ ବିଜ୍ଞାନରେ ଏମ୍ଏସ୍‌ସି ଓ ପିଏଚ୍‌ଡି ଯୋଗ୍ୟତା ହାସଲ କରିବା ପରେ ସେ ଉତ୍କଳ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଅଧ୍ୟାପିକା, ପ୍ରଧ୍ୟାପିକା ଓ ପ୍ରଫେସର ଭାବେ ୧୯୮୬ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ପ୍ରଫେସର ମହାନ୍ତି ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ। କାର୍ଯ୍ୟକାଳ ଶେଷ ପରେ ସେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ତଥା ଡିନ୍‌ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୨୦୧୬ରେ ଓଡ଼ିଶା ବିଜ୍ଞାନ ଏକାଡେମିର ସଭାପତି ହେବା ସହ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ, ସ୍ପିଚ୍‌ ପ୍ରୋସେସିଂ, ଇମେଜ୍‌ ପ୍ରୋସେସିଂ, ନାଚୁରାଲ ଲାଙ୍ଗୁଏଜ୍‌ ପ୍ରୋସେସିଂ, ଫାକ୍ଚୁଆଲ ଜିଓମେଟ୍ରି, ହାଇ ଏନର୍ଜି ଫିଜିକ୍ସରେ ଗବେଷଣା କରି ସୁନାମ ଅର୍ଜନ କରିଥିଲେ।

ପ୍ରଫେସର ମହାନ୍ତି ଭାରତୀୟ ଭାଷା ବିଜ୍ଞାନରେ ଗବେଷଣା କରି ୧୩ଟି ବୌଦ୍ଧିକ ସତ୍ତ୍ବାଧିକାର ଲାଭ କରିଛନ୍ତି। ତାଙ୍କ ଦ୍ବାରା ୧୮୦ରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଅନ୍ତର୍ଜାତୀୟ ଜର୍ଣ୍ଣାଲ ଓ ସମ୍ମିଳନୀରେ ପ୍ରକାଶିତ ହୋଇଛି। ପ୍ରଫେସର ମହାନ୍ତିଙ୍କ ତତ୍ତ୍ବାବଧାନରେ ୭୦ରୁ ଅଧିକ ଛାତ୍ରଛାତ୍ରୀ ଏମ୍.ଇ, ଏମ୍‌.ଟେକ୍ ଓ ପିଏଚ୍‌ଡି କରିଥିଲେ। ଦେଶ ଓ ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷା ଓ ଗବେଷଣା ସମ୍ବଦ୍ଧୀୟ କାର୍ଯ୍ୟରେ ନିମନ୍ତ୍ରଣ କ୍ରମେ ଯୋଗଦେଇ ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ଯାନ୍ତ୍ରିକ ଓ କାରିଗରୀରେ ତାଙ୍କର ଗବେଷଣା ଓ ଅବଦାନ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମି ଦ୍ବାରା ୨୦୧୨ ମସିହା ପାଇଁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଅବଦାନ ଲାଗି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚନ ଡକ୍ଟରେଟ୍‌ ଡିଗ୍ରି ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷାକୁ ଗୁଗୁଲରେ ଆଣିବା ଓ ଭାଷାନ୍ତର କରିବା ଦିଗରେ ସେ ଯଥେଷ୍ଟ କାମ କରିଥିଲେ।

ସମ୍ବନ୍ଧିତ ଖବର