ବ୍ରହ୍ମପୁର : ଓଡ଼ିଆ ଭାଷା-ସାହିତ୍ୟର ଗବେଷକ, ସମାଲୋଚକ ତଥା ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ(୮୪)ଙ୍କ ଗୁରୁବାର ଦିନ ଅଶୋକନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ବିଶ୍ବକେଶନ (ବାବୁ), ପୁତ୍ରବଧୂ, ସାନଝିଅ ଓ ନାତିନାତୁଣୀମାନେ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ବଡ଼ଝିଅ ଓ ଜ୍ୱାଇଁ, ଦିଲ୍ଲୀରୁ ଭଣଜା ଓ ଅନ୍ୟ ସମ୍ପର୍କୀୟମାନେ ଆସି ପହଞ୍ଚିବା ପରେ ଆଜି ସନ୍ଧ୍ୟାରେ ଗେଟ୍ ବଜାରସ୍ଥିତ ଗୋକର୍ଣ୍ଣେଶ୍ୱର ଶ୍ମଶାନରେ ପ୍ରଫେସର ଆଚାର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତ୍ର ବିଶ୍ବକେଶନ ମୁଖାଗ୍ନି ଦେଇଥିଲେ।
ଏହି ଦୁଃଖଦ ଖବର ଶୁଣି ବହୁ ସାହିତ୍ୟିକ, ଅଧ୍ୟାପକ, ସଂସ୍କୃତିପ୍ରେମୀ, ବୁଦ୍ଧିଜୀବୀ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ତିରୋଧାନ ଓଡ଼ିଆ ସାହିତ୍ୟ ଜଗତ ଏକ ଉଜ୍ଜଳ ତାରକାକୁ ହରାଇଲା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ପ୍ରଫେସର ଆଚାର୍ଯ୍ୟଙ୍କ ବିୟୋଗରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ‘କଥା’ର ସଂପାଦକ ଡ. ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ପ୍ରଫେସର ବିଜୟାନନ୍ଦ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଫେସର ଆଚାର୍ଯ୍ୟଙ୍କ ବିୟୋଗରେ କଟକସ୍ଥିତ ‘ଓଡ଼ିଆ ଗବେଷଣା ପରିଷଦ’ ପକ୍ଷରୁ ଏକ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ୧୯୯୮ ରେ ସେ ପରିଷଦର ପ୍ରତିଷ୍ଠାତା ସଂପାଦକ ଡକ୍ଟର କ୍ଷେତ୍ରବାସୀ ନାୟକଙ୍କ ସ୍ମୃତିରେ ପ୍ରତିଷ୍ଠିତ ‘କ୍ଷେତ୍ରବାସୀ ସାହିତ୍ୟବିଦ୍ୟା ପୁରସ୍କାର’ ପାଇଥିଲେ ବୋଲି ସଭାପତି ସୁଧୀର ବେହୁରା ଓ ସଂପାଦକ ଗୌରାଙ୍ଗ ଚରଣ ଦାଶ କହିଛନ୍ତି। ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ସାହିତ୍ୟ କୋଷ'ର ସଂପାଦନା ମଣ୍ଡଳୀର ସଦସ୍ୟଭାବେ ତାଙ୍କର ଅବଦାନ ପାଇଁ ସେ ଚିର ସ୍ମରଣୀୟ ରହିବେ ବୋଲି ‘ଆମ ଓଡ଼ିଶା’ର ପ୍ରକାଶନ ସଂପାଦକ ଅସିତ ମହାନ୍ତି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।
୧୯୩୯ ମସିହା ଜାନୁଆରି ୨୮ ତାରିଖରେ ପ୍ରଫେସର ଆଚାର୍ଯ୍ୟ ଗଞ୍ଜାମ ଜିଲ୍ଲା ଜରଡ଼ା ନିକଟସ୍ଥ ସୁବର୍ଣ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ମହାବିଦ୍ୟାଳୟରୁ ଅଧ୍ୟାପନା ବୃତ୍ତି ଆରମ୍ଭ କରିଥିଲେ। ୧୯୬୨ରୁ ୧୯୬୮ ପର୍ଯ୍ୟନ୍ତ ଖଲ୍ଲିକୋଟ ମହାବିଦ୍ୟାଳୟ ଓ ୧୯୬୯ରୁ ୧୯୯୯ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟାପକ, ପ୍ରାଧ୍ୟାପକ, ପ୍ରଫେସର, ବିଭାଗ ମୁଖ୍ୟ ରୂପେ ଦାୟିତ୍ବ ନିର୍ବାହ କରିବା ସହ ଆଞ୍ଚଳିକ ଗବେଷଣା କେନ୍ଦ୍ର (ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଆଲୋଚନା)ର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ। ତାଙ୍କ ଦ୍ବାରା ସଂଗୃହୀତ ଶତାଧିକ ତାଳପତ୍ର ପୋଥି, ପ୍ରାଚୀନ ପତ୍ରପତ୍ରିକା ଓ ପୁରାତନ ପୁସ୍ତକାବଳୀ ଓଡ଼ିଆ ବିଭାଗ ପାଇଁ ସ୍ୱତନ୍ତ୍ର ମର୍ଯ୍ୟାଦା ଆଣିଥିଲା।
ସୃଷ୍ଟି ସମ୍ଭାର
ପ୍ରଫେସର ଆଚାର୍ଯ୍ୟଙ୍କ ଦ୍ବାରା ସଂପାଦିତ ‘ଇନ୍ଦ୍ରଧନୁ’ ପତ୍ରିକା, ଚାରି ଖଣ୍ଡରେ ରାମଚନ୍ଦ୍ର ଆଚାର୍ଯ୍ୟ ଗ୍ରନ୍ଥାବଳୀ ଓ ଜଗନ୍ନାଥ ନାରାୟଣ ଦେବ ଗ୍ରନ୍ଥାବଳୀ ଓଡ଼ିଆ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିଛି। ତାଙ୍କ ରଚିତ ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ସାହିତ୍ୟ ଓ ସାହିତ୍ୟିକ’, ‘ସ୍ରଷ୍ଟା ଓ ସୃଷ୍ଟି’, ‘ଓଡ଼ିଆ କାବ୍ୟ କୌଶଳ’, ‘ଓଡ଼ିଆ ଅସ୍ମିତା ସନ୍ଧାନ ଓ ଉପେନ୍ଦ୍ର ଭଞ୍ଜ କାବ୍ୟାଲୋଚନା’ ସହ ସମ୍ପାଦିତ ଗ୍ରନ୍ଥ ସମୂହ ମଧ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରଥମ କାବ୍ୟ ଚିତ୍ରଲେଖା, ବଲ୍ଳଭ ନାରାୟଣ ମହାପାତ୍ରଙ୍କ ବିଷ୍ଣୁପୁରାଣ, ରାଜା କୃଷ୍ଣ ସିଂହଙ୍କ ଶ୍ରୀରାମ ରସାୟନ, ଉଷା ଅଭିଳାଷ, ଚାରିଟି ଚଉତିଶାର ଚିତ୍ର ସମ୍ବଳିତ ରେଖା ଓ ରଙ୍ଗରେ ଚଉତିଶା, ଅନ୍ତଃପୁରର ଅଭିଲେଖ, ଜଗନ୍ନାଥ ନାରାୟଣ ଦେବ ଗ୍ରନ୍ଥାବଳୀ, ଊନବିଂଶ ଶତାବ୍ଦୀର ତିନିଟି ପତ୍ରିକା ଇନ୍ଦ୍ରଧନୁ, ଉତ୍କଳ ମଧୁପ, ପ୍ରଦୀପର ପୁନଃସମ୍ପାଦନା, ରାମଚନ୍ଦ୍ର ଗ୍ରନ୍ଥାବଳୀ, ପଦ୍ମନାଭ ନାରାୟଣ ଦେବ ଗ୍ରନ୍ଥାବଳୀ, ଗୋପୀନାଥ ନନ୍ଦ ଗ୍ରନ୍ଥାବଳୀ, ଫକୀରମୋହନଙ୍କ ଜୀବନ ଚରିତ, ଫକୀରମୋହନଙ୍କ ବୌଦ୍ଧାବତାର କାବ୍ୟ, ରାମାୟଣ ବାଳଖଣ୍ଡ, ଅଯୋଧ୍ୟା କାଣ୍ଡ ପ୍ରମୁଖ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଛି। ସୋମଦେବଙ୍କ ‘କଥାସରିତ ସାଗର’ (ପାଞ୍ଚଟି ଭାଗ), କନ୍ନଡ଼ ଔପନ୍ୟାସିକ ଅଣଣା ରାଙ୍କ ‘ନିଃସର୍ଗ’ ଓ ପ୍ରାକୃତ କଥାସମ୍ରାଟ ହରିଭଦ୍ର ସୁରୀଙ୍କ ‘ଧୂର୍ତ୍ତାଖ୍ୟାନ’ ପ୍ରଫେସର୍ ଆଚାର୍ଯ୍ୟଙ୍କ ତିନିଟି ଅନୁଦିତ ଗ୍ରନ୍ଥ। ପ୍ରଫେସର ଆଚାର୍ଯ୍ୟଙ୍କ ଦ୍ବାରା ୪ଟି ସମାଲୋଚନା ପୁସ୍ତକାବଳୀ, ୨୦ଟି ସଂପାଦିତ ପୁସ୍ତକାବଳୀ, ୯ଟି ଅନୁଦିତ ପୁସ୍ତକାବଳୀ ରଚନା ସହିତ ୩ଜଣ ଡିଲିଟ୍ ଉପାଧି ପାଇଥିବା ବେଳେ ୩୦ଜଣ ପିଏଚ୍ଡି ଓ ଶତାଧିକ ଏମ୍ଫିଲ୍ ଛାତ୍ର ସୃଷ୍ଟି କରିଛନ୍ତି। ଏହାସହ ସମ୍ବାଦ ସାହିତ୍ୟ କୋଷ, କୋଣାର୍କ-ଓଡ଼ିଶା ସାହିତ୍ୟ ଏକାଡେମୀ ଓ ହିଷ୍ଟ୍ରି ଅଫ୍ ଇଣ୍ଡିଆନ ଲିଟେରେଚର୍ର ଅନ୍ୟତମ ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି। ପ୍ରଫେସର୍ ଆଚାର୍ଯ୍ୟଙ୍କ ପିଏଚ୍ଡି ନିବନ୍ଧ ‘ଓଡ଼ିଆ କାବ୍ୟ କୌଶଳ’ ଓଡ଼ିଆ ସମାଲୋଚନା ସାହିତ୍ୟରେ ଏକ ମାଇଲ୍ ସ୍ତମ୍ଭ।
ସାରସ୍ବତ ସମ୍ମାନ
ପ୍ରଫେସର୍ ଆଚାର୍ଯ୍ୟ ଅନୁବାଦ ନିମନ୍ତେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ , ଭାରତ ସରକାରଙ୍କ ଭାଷା ଭାରତୀ ସମ୍ମାନ, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଆ ପାଠକ ସଂସଦ, ସତ୍ୟ ନାରାୟଣ ରାଜଗୁରୁ ସମ୍ମାନ, ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଭଳି ୧୧ଟି ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ବାରା ସମ୍ମାନିତ ହୋଇଥିଲେ।