ନକଲି ପିଏଚ୍‌ଡି ସାର୍ଟିଫିକେଟ୍‌ କିଣି ଫସିଲେ ଅଧ୍ୟାପକ

୨.୨୦ ଲକ୍ଷ ଟଙ୍କା ଠକି ନେଇଗ‌ଲେ

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ(ଜିଏମ୍‌ୟୁ)ର ଜଣେ ଅଧ୍ୟାପକ ପିଏଚ୍‌ଡି ସାର୍ଟିଫିକେଟ୍‌ କିଣି ଠକେଇର ଶିକାର ହୋଇଛନ୍ତି। ଠକ ସଂସ୍ଥା ତାଙ୍କୁ ଏକ ବିଶ୍ବବିଦ୍ୟାଳୟର ପିଏଚ୍‌ଡି ସାର୍ଟିଫିକେଟ୍‌ ଦେବ ବୋଲି କହି ଲକ୍ଷ ଲକ୍ଷ ଟଙ୍କା ନେଇଥିଲା। ସାର୍ଟିଫିକେଟ୍‌ ମଧ୍ୟ ଦେଇଥିଲେ। କିନ୍ତୁ ଏହା ନକଲି ବୋଲି ଜାଣିବା ପରେ ଅଧ୍ୟାପକଙ୍କ ଅକଲ ଗୁଡୁମ ହୋଇଯାଇଥିଲା। ଠକେଇର ଶିକାର ହୋଇଥିବା ଜାଣିବା ପରେ ଅଧ୍ୟାପକ ଜଣକ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଏମ୍‌ୟୁ ଅଧ୍ୟାପନା କରୁଥିବା ଏହି ଅଧ୍ୟାପକ ଜଣକ ପିଏଚ୍‌ଡି ପଢ଼ିବା ପାଇଁ ଅନ୍‌ଲାଇନ୍‌ରେ ସର୍ଚ୍ଚ କରିଥିଲେ। ଗୁଡଗାଁଓର ଶ୍ରୀ ହରିଓମ୍‌ କନସଲଟାନ୍ସି ପିଏଚ୍‌ଡି ସାର୍ଟିଫିକେଟ୍‌ ଦେଉଥିବା ସେ ଦେଖିବା ପରେ ଯୋଗାଯୋଗ କରିଥିଲେ। ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ୍‌ ଦିଆଯିବ ବୋଲି କନ୍‌ସଲ୍‌ଟାନ୍ସି ପକ୍ଷରୁ ଅଧ୍ୟାପକଙ୍କୁ ପ୍ରଲୋଭନ ଦିଆଯାଇଥିଲା। ଅଧ୍ୟାପକ ଜଣକ ବିନା ପାଠରେ ଭଲ ବିଶ୍ବବିଦ୍ୟାଳୟର ଡିଗ୍ରି ମିଳିଯିବ ଭାବି ବହୁତ ଖୁସି ହୋଇଯାଇଥିଲେ। ଏଥିପାଇଁ କେତେ ଟଙ୍କା ଦେବାକୁ ପଡ଼ିବ ବୋଲି ପଚାରିବାରୁ ୨ ଲକ୍ଷ ୨୦ ହଜାର ଟଙ୍କା ବୋଲି କନ୍‌ସଲ୍‌ଟାନ୍ସି ପକ୍ଷରୁ କୁହାଯାଇଥିଲା।

ଖୁସିରେ ଆତ୍ମହରା ହୋଇଯାଇଥିବା ଏହି ଅଧ୍ୟାପକ ଜଣକ ସଂପୃକ୍ତ ସଂସ୍ଥାକୁ ୨ ଲକ୍ଷ ୨୦ ହଜାର ଟଙ୍କା ପଠାଇ ଦେଇଥିଲେ। ଏବର୍ଷ ତାଙ୍କ ପାଖକୁ ପିଏଚ୍‌ଡି ଡିଗ୍ରି ବାବଦ ସାର୍ଟିଫିକେଟ୍‌ ବି ପହଞ୍ଚିଥିଲା। ତେବେ, ସେ ଯେତେବେଳେ ଉକ୍ତ ବିଶ୍ବବିଦ୍ୟାଳୟର ୱେବସାଇଟ୍‌ ଖୋଜିଥିଲେ, ତାଙ୍କ ନାଁ ହିଁ ସେଠାରେ ନଥିଲା। ବହୁତ ବୁଝାବୁଝି କରିବା ପରେ ତାଙ୍କୁ ମିଳିଥିବା ସାର୍ଟିଫିକେଟ୍‌ ନକଲି ବୋଲି ଜାଣିଥିଲେ। ଏହାପରେ ଧନୁପାଲି ଥାନାରେ ଠକେଇର ଶିକାର ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର