ଶେରଗଡ଼ ବ୍ଳକ୍: ୨୮ ହାଇସ୍କୁଲ୍‌ର ବଦଳୁଛି ରୂପରେଖ

ଯୁଗୋପଯୋଗୀ ହେଉଛି ଅନୁଷ୍ଠାନ, ସବୁଠି ସ୍ମାର୍ଟ କ୍ଲାସ୍‌ରୁମ୍, ଆଧୁନିକ ସୁବିଧା

ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ବିଭିନ୍ନ ପଞ୍ଚାୟତରେ ଥିବା ୨୮ଟି ବିଦ୍ୟାଳୟର ଆଧୁନିକୀକରଣ ଓ ରୂପରେଖ ପରିବର୍ତ୍ତନ ଲାଗି ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ଛାତ୍ରଛାତ୍ରୀଙ୍କୁ ଯୁଗୋପଯୋଗୀ କରିବା ଲକ୍ଷ୍ୟରେ ସ୍ମାର୍ଟକ୍ଲାସ୍ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ଶେରଗଡ଼ ମହାତ୍ମାଗାନ୍ଧୀ ଉଚ୍ଚବିଦ୍ୟାଳୟ ଓ ପିତଳ ଉଚ୍ଚବିଦ୍ୟାଳୟକୁ ମାଇନିଂ କର୍ପୋରେସନ୍ ଫଣ୍ଡରୁ ୫୦ ଲକ୍ଷ ଲେଖାଏଁ ଏବଂ ଅନ୍ୟ ୨୬ ହାଇସ୍କୁଲକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସରକାରୀ ଅନୁଦାନ ମିଳିଛି। ଏହାସହ ୨୨ ଗୋଟି ପଞ୍ଚାୟତ ଫଣ୍ଡରୁ ମୋଟ ୩‌ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ।

ବର୍ତ୍ତମାନ ପିତଳ ହାଇସ୍କୁଲରେ ସମସ୍ତ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଜି ଜିଲ୍ଲାପାଳ ବିଜୟ ଅମୃତା କୁଲା‌ଙ୍ଗେ ପରିଦର୍ଶନ କରି ତଦାରଖ କରିଛନ୍ତି। ଜିଲ୍ଲାପାଳ ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ଛାତ୍ରଙ୍କ ଗହଣରେ ବସି ଅନୁଧ୍ୟାନ କରିଥିଲେ। ୯୦ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ଅନ୍ୟ କାମ ଖୁବ୍ ଶୀଘ୍ର ଶେଷ ହେବ ବୋଲି ଜଣାପଡ଼ିଛି। ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ଏଭଳି ଏକ ପଦ‌କ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି। ପିତଳ ହାଇସ୍କୁଲକୁ ମଡ଼େଲ୍ ଭାବେ ଗ୍ରହଣ କରାଯାଇଛି।

ସେହିପରି ଅନ୍ୟ ୨୭ ବିଦ୍ୟାଳୟରେ ବି ସ୍ମାର୍ଟ କ୍ଲାସରୁମ, ପ୍ରତି ଶ୍ରେଣୀକକ୍ଷରେ ସ୍ମାର୍ଟ ଟିଭି, ଡିଜିଟାଲ ସାଉଣ୍ଡ, ସିସିଟିଭି, ପୋଡ଼ିୟମ୍, ହ୍ୱାଇଟ ବୋର୍ଡ, ଗ୍ରୀନ ବୋର୍ଡ ଓ ଭିଡିଓ ସୋ’ ଭଳି ସୁବିଧା ରହିଛି। ସେହିପରି କବାଟ ଓ ଝରକା ପରିବର୍ତ୍ତେ ସ୍ଲାଇଡର୍ ନିର୍ମାଣ ହୋଇଛି। ଛାତକୁ ବି ସିଲିଂ କରାଯିବା ସହ ଚଟାଣକୁ ମଧ୍ୟ ମାର୍ବଲ୍ କରାଯାଇଛି। ଏହାସହ ଉନ୍ନତମାନର ବେଞ୍ଚ ଓ ଅତ୍ୟାଧୁନିକ ପାଠାଗାର ନିର୍ମାଣ ହୋଇଛି। ଅନ୍ୟ ସମସ୍ତ ବିଦ୍ୟାଳୟରେ ଆଧୁନିକୀକରଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବିଡିଓ ସୁରଞ୍ଜନ କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ମହିନ୍ଦ୍ର କୁମାର ଷଢ଼ଙ୍ଗୀ ଏବଂ ବ୍ଲକର କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ସୂଚନା ଥାଉକି, ବର୍ତ୍ତମାନ ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ହାଇସ୍କୁଲରେ ଉନ୍ନତୀକରଣ କାମ ଚାଲିଥିବା ବେଳେ ପିଡି ଓ ଜିଲ୍ଲାପାଳ ନିୟମିତ ତଦାରଖ କରୁଛନ୍ତି।

ସମ୍ବନ୍ଧିତ ଖବର