ବଜେଟ୍‌ରେ କାର୍ଯ୍ୟକ୍ରମ ବ୍ୟୟ କମିବ!

ଜଳସଂପଦ ବିଭାଗରେ ୨୩% କାଟ୍‌

ଭୁବନେଶ୍ୱର, (ଗଣେଶ ନାୟକ): ବିଶ୍ୱ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଥିବା କରୋନା ସଂକ୍ରମଣ ଏବେ କ୍ରମଶଃ ନିୟନ୍ତ୍ରଣାଧୀନ। ଏହାର ପ୍ରତିଷେଧକ ଟିକାକରଣ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ପରିପ୍ରେକ୍ଷୀରେ ସବୁମହଲରେ ନୂଆ ଆଶା ସଞ୍ଚାର ହୋଇଛି। ହେଲେ ଆଗାମୀ ଆର୍ଥିକ ବର୍ଷରେ ଜାତୀୟ ଓ ରାଜ୍ୟର ବିପର୍ଯ୍ୟସ୍ତ ଅର୍ଥନୀତି କେତେ ଭରଣା ହେବ ଏବଂ ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କେଉଁ ଅଭିନବ ଯୋଜନା କାର୍ଯ୍ୟକାରୀ କରିବେ; ସେଥିପ୍ରତି ଅର୍ଥନୀତିଜ୍ଞ ମହଲ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।

ବିଶେଷକରି ଆଗାମୀ କେନ୍ଦ୍ରୀୟ ଓ ରାଜ୍ୟ ବଜେଟ୍‌ର ରୂପରେଖ ଏ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଫେବ୍ରୁଆରିରେ ନୂଆବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଅନୁଷ୍ଠିତ ହେବା ସମ୍ଭାବନା ରହିଛି। ବିଭାଗୀୟ ବଜେଟ୍‌ ଓ ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସ୍ତୁତିରେ ଅମଲାତନ୍ତ୍ର ବ୍ୟସ୍ତ ଅଛନ୍ତି। କିନ୍ତୁ ‘ସମ୍ବାଦ’କୁ ମିଳିଥିବା ଠୋସ୍ ତଥ୍ୟ ଅନୁଯାୟୀ, ୨୦୨୧-୨୨ ରାଜ୍ୟ ବଜେଟ୍‌ରେ ପ୍ରଶାସନିକ ଖର୍ଚ୍ଚ ସ୍ୱାଭାବିକ ଭାବେ ବଢ଼ିବ, ମାତ୍ର କାର୍ଯ୍ୟକ୍ରମ ବ୍ୟୟ ପାଖାପାଖି ୨୫% ହ୍ରାସ ପାଇପାରେ।

ରାଜ୍ୟର ସବୁ ବ୍ଲକରେ ଅନ୍ୟୂନ ୩୩% ଚାଷ ଜମିକୁ ଜଳସେଚିତ କରିବା ପାଇଁ ସରକାରଙ୍କ ବହୁ ବର୍ଷର ଲକ୍ଷ୍ୟ ଏ ପର୍ଯ୍ୟନ୍ତ ପୂରଣ ହୋଇନଥିବାରୁ ପ୍ରାୟ ଦେଢ଼ ଦଶକ ଧରି ଜଳ ସଂପଦ ବିଭାଗ ପାଇଁ ବଜେଟ୍‌ରେ ଦ୍ୱିତୀୟ ସର୍ବାଧିକ ବ୍ୟୟ ବରାଦ ହୋଇ ଆସୁଛି। ୨୦୨୦-୨୧ରେ ଅନୁମୋଦିତ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ମୂଳ ବଜେଟ୍‌ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ସର୍ବାଧିକ ୨୧,୫୧୧ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ଜଳ ସଂପଦ ବିଭାଗ ପାଇଁ ବରାଦ ହୋଇଥିଲା ଦ୍ୱିତୀୟ ସର୍ବାଧିକ ଅର୍ଥାତ୍ ୯୩୭୪ କୋଟି ୪୬ ଲକ୍ଷ ଟଙ୍କା। ସେଥିରେ ପ୍ରଶାସନିକ ବ୍ୟୟବରାଦ ୧୨୮୩ କୋଟି ୧୮ ଲକ୍ଷ ଓ କାର୍ଯ୍ୟକ୍ରମ ପାଇଁ ୮୦୯୧ କୋଟି ୨୮ ଲକ୍ଷ ଟଙ୍କା ରହିଥିଲା। ପୁଣି ଚଳିତ ବର୍ଷର ଅତିରିକ୍ତ ବଜେଟ୍‌ରେ ଏହି ବିଭାଗ ପାଇଁ ବରାଦ ହୋଇଥିଲା ଆଉ ୨୨ କୋଟି ୩୬ ଲକ୍ଷ ୬୧ ହଜାର ଟଙ୍କା।

ବେତନ କମିସନ୍‌ଙ୍କ ସୁପାରିସ୍‌ ଆଧାରରେ ସରକାରୀ କର୍ମଚାରୀଙ୍କ ବେତନ, ଭତ୍ତା ଓ ପେନ୍‌ସନ୍‌ ବ୍ୟୟ ବାର୍ଷିକ ହାରାହାରି ୧୫% ବୃଦ୍ଧି ପାଉଥିବାରୁ ଆଗାମୀ ବଜେଟ୍‌ରେ ପ୍ରଶାସନିକ ବ୍ୟୟବରାଦ ୧୫୦୦ କୋଟି ଛୁଇଁବା ସମ୍ଭାବନା ଅଛି। ତେବେ ଜଳସଂପଦ ବିଭାଗର କାର୍ଯ୍ୟକ୍ରମ ବ୍ୟୟ ୬୨୩୪ କୋଟି ଟଙ୍କାକୁ ଖସିବ ବୋଲି ହସ୍ତଗତ ତଥ୍ୟରୁ ଜଣାପଡ଼ିଛି। ଏହା ପୂର୍ବ ବର୍ଷ ତୁଳନାରେ ୨୨.୯୪% କମ୍‌।

ବିଭାଗୀୟ ପ୍ରସ୍ତାବ ଅନୁସାରେ ଆଗାମୀ ଦୁଇ/ତିନି ବର୍ଷରେ ୫ଟି ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ଓ ନବରଙ୍ଗପୁର ଜିଲ୍ଲାର ଟୁରୀ-ଗୁନ୍ତାତ ମଧ୍ୟମ ସେଚ ପ୍ରକଳ୍ପ ଆରମ୍ଭ ପାଇଁ ଯୋଜନା ଅଛି। ଏ ବାବଦରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରୁ ୨୧୫୬ କୋଟି ଓ ଜଳକ୍ଷେତ୍ର ଭିତ୍ତିଭୂମି ଯୋଜନାରୁ ୧୩୪ କୋଟି ୧୪ ଲକ୍ଷ ଟଙ୍କା ଆଗାମୀ ବଜେଟ୍‌ରେ ବରାଦ କରିବାକୁ ବିଭାଗ ଚୂଡ଼ାନ୍ତ ପ୍ରସ୍ତାବ ଦେଇଛି।

ସେହିିପରି ପାର୍ବତୀ ଗିରି ଉଠା ଜଳସେଚନ ଯୋଜନାରେ ୮୬୦ କୋଟି ୪୦ ଲକ୍ଷ, ଗଭୀର ନଳକୂପ ଖନନ କାର୍ଯ୍ୟକ୍ରମରେ ୩୮୯ କୋଟି ଓ ୧୫୫ଟି ଉଠା ଜଳସେଚନ କେନ୍ଦ୍ର ସ୍ଥାପନ ଲାଗି ୪୦୦ କୋଟି ଟଙ୍କାର ଚୂଡ଼ାନ୍ତ ପ୍ରସ୍ତାବ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା ସହ ଭୂପୃଷ୍ଠ ସଂରକ୍ଷଣ ଓ ଜଳଭଣ୍ଡାର ଗୁଡ଼ିକର କ୍ଷମତା ବୃଦ୍ଧି ବାବଦରେ ୭୯୪ କୋଟି ୭୧ ଲକ୍ଷ ଟଙ୍କା, ୧୦୦୦ଟି ଉଠା ଜଳସେଚନ ପଏଣ୍ଟର ପୁନରୁଦ୍ଧାର ଲାଗି ୧୬୦ କୋଟି ୫ ଲକ୍ଷ, କେନାଲ ଜଳର ସୁଷମ ବିତରଣ ଲାଗି ୨୦୧ କୋଟି, ପୁରୁଣା ସେଚ ପ୍ରକଳ୍ପ ମରାମତି ପାଇଁ ୧୦୧ କୋଟି, ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା ବାବଦରେ ବିଭାଗ ୭୭ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ ମାଗିଛି।

ପୁରୁଣା ନଦୀ ବନ୍ଧ ଉନ୍ନତିକରଣ ବାବଦରେ ୧୮.୩୨ କୋଟି, ୫୩୮ଟି କ୍ଷୁଦ୍ର ସେଚ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୨୦୦ କୋଟି, ବନ୍ୟା ନିୟନ୍ତ୍ରଣ ବାବଦରେ ୫୩୭ କୋଟି, ଜଳପ୍ଳାବିତ ଜମି ପରିଚାଳନା ଲାଗି ୧୫୩ କୋଟି, ନଦୀବନ୍ଧ ଯୋଜନା ନିକଟରେ ସଂଗ୍ରହାଳୟ ସ୍ଥାପନ ସକାଶେ ୨୪.୫୦ କୋଟି, ସୂଚନା ପ୍ରଯୁକ୍ତି କୌଶଳ ଉପଯୋଗ ବାବଦରେ ୨୫ କୋଟି ଟଙ୍କାର ପ୍ରସ୍ତାବ ଚୂଡ଼ାନ୍ତ କରିଛି ଜଳ ସଂପଦ ବିଭାଗ।

ରାଜ୍ୟ ଯୋଜନାରେ ଗତ ଦୁଇ ଦଶନ୍ଧି ଧରି ଅଗ୍ରାଧିକାର ପାଇ ଆସିଥିବା ଜଳ ସଂପଦ ବିଭାଗର କାର୍ଯ୍ୟକ୍ରମ ବ୍ୟୟ ଯଦି ପୂର୍ବ ବର୍ଷ ତୁଳନାରେ ପାଖାପାଖି ୨୩% ହ୍ରାସ ହେଉଛି, ତେବେ କମ୍‌ ଗୁରୁତ୍ୱ ବହନ କରୁଥିବା ବିଭାଗଗୁଡ଼ିକର ବ୍ୟୟବରାଦ ଅଧିକ କାଟ୍‌ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ସମ୍ବନ୍ଧିତ ଖବର