ବଦଳିଲା କାର୍ଯ୍ୟକ୍ରମ, ରାଜଭବନରେ ରହିବେ ରାଷ୍ଟ୍ରପତି

ପୁରୀ : ତିନିଦିନ ପରେ ଦୁଇଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଉପଲକ୍ଷେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଯେହେତୁ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ମହପ୍ରଭୁଙ୍କ ଦର୍ଶନ ସହ ପରଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ, ସେହିଦୃଷ୍ଟିରୁ ବ୍ୟାପକ ସାଜସଜା କରାଯାଉଛି। ଆଜି ପୁଲିସ ଏଡିଜି ରାମକୃଷ୍ଣ ଶର୍ମା ପୁରୀ ଗସ୍ତରେ ଆସି ତାଳବଣିଆ ହେଲିପ୍ୟାଡ୍‌, ଗୌଡ଼ୀୟ ମଠ ଓ ଶରଧାବାଲିସ୍ଥିତ ସଭାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଇଜି ନରସିଂହ ଭୋଳ, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।

ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ହୋଟେଲ ମେ’ ଫେୟାରରେ ରହଣୀ ସହ ରାତ୍ରୀଯାପନର ବ୍ୟବସ୍ଥା ହୋଇଥିଲା। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ପୁରୀ ରାଜଭବନରେ ବିଶ୍ରାମ ସହ ରାତ୍ରୀଯାପନ କରିବେ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ଗଣମାଧ୍ୟମକୁ କହିଛନ୍ତି।

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଆଜି ପ୍ରାକ୍ ସୁରକ୍ଷା ସମୀକ୍ଷା

ଭୁବନେଶ୍ବର : ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତ ନେଇ ଆଜି(ବୁଧବାର) ଏୟାରପୋର୍ଟରେ ପ୍ରାକ୍ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ, ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା, ସିଆଇଏସଏଫ୍ କମାଣ୍ଡାଣ୍ଟ, ଏସ୍ଆଇଡବ୍ଲୁ ଏସପି, ଅଗ୍ନିଶମ ବାହିନୀର ବରିଷ୍ଠ ଅଧିକାରୀ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ, ଏୟାରପୋର୍ଟ କର୍ତ୍ତୃପକ୍ଷ ଉପସ୍ଥିତ ରହିବେ। ଟର୍ମିନାଲ୍ ୧ରେ ସୁରକ୍ଷା ସମୀକ୍ଷା କରାଯିବ। ସେହିପରି ୧୭ ତାରିଖରେ ସମ୍ପୂର୍ଣ୍ଣ ସୁରକ୍ଷା ସମୀକ୍ଷା, ବନ୍ଦୋବସ୍ତ ସହ ୧୮ ତାରିଖରେ କାରକେଡ୍ ରିହର୍ସାଲ୍ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର