ଗାନ୍ଧୀଙ୍କ ପାଇଁ ଓଡ଼ିଶାର ସଂକଳ୍ପ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯିବ। ପୂର୍ବଭଳି ଗାନ୍ଧୀ ଜୟନ୍ତୀକୁ ସମ୍ପୂର୍ଣ୍ଣ ଛୁଟି ନ କରି ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ତାରିଖ ଢାଞ୍ଚାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ପଞ୍ଚାୟତ ଠାରୁ ଆରମ୍ଭ କରି ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ, ପୌରପାଳିକା, ଏନ୍‌ଏସିରେ ମଧ୍ୟ। ରାଜ୍ୟ ସରକାର ଆସନ୍ତା ଅକ୍ଟୋବର ୨ ତାରିଖରେ ରାଜ୍ୟସ୍ତରୀୟ ଉତ୍ସବ ଆରମ୍ଭ କରିବେ। ୨୦୧୯ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଦୁଇବର୍ଷ ଧରି ଓଡ଼ିଶାରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମଦିବସକୁ ଏଭଳି ଢଙ୍ଗରେ ପାଳନ କରିବାକୁ ଯୋଜନା ହୋଇଛି। ଆଜି ସଚିବାଳୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକରେ ସରକାର ଏହି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ପ୍ରତି ବ୍ଲକର ଗୋଟିଏ ପଞ୍ଚାୟତକୁ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ ଭାବେ ଚିହ୍ନଟ କରାଯିବ। ଏହି ପଞ୍ଚାୟତରେ ଗାନ୍ଧୀଜୀଙ୍କ ଆଦର୍ଶ ଭିତ୍ତିରେ ରାଜ୍ୟ ସରକାର କାର୍ଯ୍ୟକ୍ରମ ଗ୍ରହଣ କରିବେ। ମହାତ୍ମା ଗାନ୍ଧୀଙ୍କ ପାଇଁ ରାଜ୍ୟ ସରକାରଙ୍କର ଏସବୁ କାର୍ଯ୍ୟକ୍ରମକୁ ଆଜି ଦଳ ମତ ନିର୍ବିଶେଷରେ ରାଜନେତା, ସ୍ୱାଧୀନତା ସଂଗ୍ରାମୀ, ବୁଦ୍ଧିଜୀବୀ, ସାମ୍ବାଦିକ ସମସ୍ତେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବାର୍ଧକ୍ୟ ଭତ୍ତାକୁ ୩୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଏହି ଅବସରରେ ପ୍ରସ୍ତାବ ରଖିଥିଲେ। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ କହିଥିଲେ, ସମାଜର ସବୁ ବର୍ଗର ଲୋକଙ୍କୁ ସାମିଲ କରି ଗାନ୍ଧୀଜୀଙ୍କ ଜୟନ୍ତୀ ଉତ୍ସବକୁ ମହାସମାରୋହରେ ପାଳନ କରାଯିବ। ମହାତ୍ମାଗାନ୍ଧୀ ଜଣେ ଯୁଗ ପୁରୁଷ ଥିଲେ। ଭାରତର ଆତ୍ମାର ପୁନଃ ଜାଗରଣ ପାଇଁ ସେ ଉଦ୍ୟମ କରିଥିଲେ। କେବଳ ଦେଶର ସ୍ୱାଧୀନତା ତାଙ୍କର ଏକମାତ୍ର ଲକ୍ଷ୍ୟ ନ ଥିଲା, ବରଂ ସମାଜରେ ମୌଳିକ ମୂଲ୍ୟବୋଧର ବିକାଶ ତାଙ୍କର ପ୍ରକୃତ ଲକ୍ଷ୍ୟ ଥିଲା। ସେଥିପାଇଁ ସେ ସତ୍ୟ ଓ ଅହିଂସା ଉପରେ ଗୁରୁତ୍ୱ ଦେଇଥିଲେ। ଆଜିର ସମାଜରେ ତାଙ୍କର ଏହି ଦୁଇଟି ମନ୍ତବ୍ୟର ଗୁରୁତ୍ୱ ବଢିଯାଇଛି। ସେଥିପାଇଁ ସମ୍ବିଧାନରେ ମୁଖବନ୍ଧରେ ଅହିଂସାକୁ ସାମିଲ କରିବା ଲାଗି ସେ ପ୍ରସ୍ତାବ ଦେଇଥିଲେ। ଗାନ୍ଧୀ ଜୟନ୍ତୀର ସଫଳ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ ଲୋଡିବା ସହିତ ସଦସ୍ୟମାନଙ୍କ ଠାରୁ ପ୍ରସ୍ତାବ ଆହ୍ଵାନ କରିଥିଲେ। କହିଥିଲେ, ସାମାଜିକ ଅନ୍ୟାୟ ଓ ଦାରିଦ୍ର୍ୟ ବିରୋଧରେ ଅହିଂସା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ମହାତ୍ମାଗାନ୍ଧୀ ସମୁଦାୟ ୮ଥର ଓଡ଼ିଶା ଆସିଥିଲେ ଓ ଖଦୀ କାର୍ଯ୍ୟକ୍ରମର ପ୍ରସାର ପାଇଁ ଓଡ଼ିଶାରୁ ହିଁ ପ୍ରେରଣା ପାଇଥିଲେ।

ଏହି ଅବସରରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରଶାସନିକ କମିଟି ଗଠନ କରାଯିବ ଓ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ସବୁ ଜିଲ୍ଲାରେ ଜିଲ୍ଲାସ୍ତରୀୟ ରୂପାୟନ କମିଟି ଗଠନ ହେବ। ଏହାଛଡା ପ୍ରକାଶନ, କାର୍ଯ୍ୟକ୍ରମ ରୂପାୟନ, ପ୍ରଚାର ଓ କାର୍ଯ୍ୟକ୍ରମ ସମନ୍ଵୟ ଲାଗି ରାଜ୍ୟସ୍ତରୀୟ ଉପକମିଟିମାନ ଗଠନ କରାଯିବାକୁ ଯୋଜନା ହୋଇଛି। ପ୍ରସ୍ତାବିତ କସ୍ତୁରତା ଆଦର୍ଶ ଗ୍ରାମରେ ଶତପ୍ରତିଶତ ମହିଳା ସାକ୍ଷରତା, ଛାତ୍ରଛାତ୍ରୀ ଅଧାରୁ ପାଠ ନ ଛାଡିବା, ଗ୍ରାମ ଓ ପରିବାର ବିବାଦର ଆପୋସ ସମାଧାନ, ଗାଁ ପରିମଳ, ମହିଳା ସ୍ୱାବଲମ୍ବନଶୀଳତା, କୁଟୀରଶିଳ୍ପ ବିକାଶ ପାଇଁ ପଦକ୍ଷେପ ନିଆଯିବ। ଏହି କ୍ଷେତ୍ରରେ ଯେଉଁ ସବୁ ପଞ୍ଚାୟତ ଉତ୍କର୍ଷ ପ୍ରଦର୍ଶନ କରିବେ, ରାଜ୍ୟ ସରକାର ତାଙ୍କୁ ପୁରସ୍କୃତ କରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧୀ ପ୍ରଥମ ଓଡ଼ିଶା ଆଗମନ କରିଥିବା ପରିପେକ୍ଷୀରେ କଟକରେ ଏକ ବିଶାଳ ଉତ୍ସବ କରାଯିବ। ମହାତ୍ମାଗାନ୍ଧୀ ଅବସ୍ଥାନ କରିଥିବା ବିଭିନ୍ନ ଗୃହ ଓ ସ୍ୱାଧୀନତା ସଂଗ୍ରାମୀ ପୀଠର ପୁନରୁଦ୍ଧାର ବା ମରାମତି କରିବାକୁ ସରକାର ବିଚାର କରିଛନ୍ତି। ସେଠାରେ ବିଶାଳ ଜନସଭା ଓ ଉତ୍ସବର ଆୟୋଜନ କରାଯିବ। ପ୍ରତି ଜିଲ୍ଲାରେ ଯେଉଁଠାରେ ମହାତ୍ମାଗାନ୍ଧୀ ଅବସ୍ଥାନ କରିଥିଲେ, ସେଠାରେ ତାଙ୍କ ପ୍ରତିମୂର୍ତି ନିର୍ମାଣ ସହିତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ମହାତ୍ମାଗାନ୍ଧୀ ଫଟୋ ଚିତ୍ର ପ୍ରଦାନ କରାଯିବ। ବିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ସଂପର୍କିତ ପୁସ୍ତକ ବଣ୍ଟନ ଓ ଯୁକ୍ତ ଦୁଇ ପାଠ୍ୟକ୍ରମରେ ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ଲେଖା ରଖିବା ପାଇଁ ସରକାର ଯୋଜନା ଥିବା କହିିଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ଜାନୁଆରି ୩୦ ତାରିଖରେ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସକୁ ମଧ୍ୟ ସ୍ୱତନ୍ତ୍ର ଭାବେ ପାଳନ କରାଯିବ। ସ୍ୱାଧୀନତା ସଂଗ୍ରାମୀ ଓ ଗାନ୍ଧୀ ସାହିତ୍ୟ ଓ ଗବେଷଣାରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲାଗି ସରକାର ଚିନ୍ତା କରିଛନ୍ତି। ଏହାବ୍ୟତୀତ ଗାନ୍ଧୀ ସର୍କିଟର ବିକାଶ, ଗାନ୍ଧୀଙ୍କ ନାମରେ ପ୍ରତି ଜିଲ୍ଲାର ପ୍ରମୁଖ ରାସ୍ତାର ନାମକରଣ, ପାଠଚକ୍ର, ପଦଯାତ୍ରା, ସାଇକେଲ ଯାତ୍ରା ଓ ଗଣଦୌଡ ପାଇଁ ଯୋଜନା ହୋଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରି ସୂଚନା ଦିଆଯାଇଥିଲା ଯେ ୨୦୧୮ ଅକ୍ଟୋବର ୨ ତାରିଖରୁ ୨୦୨୦ ଅକ୍ଟୋବର ୨ ଯାଏ ଏହି କାର୍ଯ୍ୟକ୍ରମ ଜାରି ରହିବ ଓ ଏହି ଅବସରରେ ବନ୍ଦୀଙ୍କୁ ବି ସ୍ୱତନ୍ତ୍ର କ୍ଷମା ପ୍ରଦାନ କରାଯିବ। ରାଜଧାନୀର ଏକ ପ୍ରମୁଖ ସ୍ଥାନରେ ସ୍ମୃତି ସ୍ତମ୍ଭ ବା ଭବନ ନିର୍ମାଣ ହେବ। ବିଦ୍ୟାଳୟରେ ପ୍ରବନ୍ଧ, ବକ୍ତତାର ଆୟୋଜନ ହେବ। ଗାନ୍ଧୀଙ୍କ ରାମଧୂନ, ବୈଷ୍ଣବ ଜନୋ ତ ଆଦି ବିଭିନ୍ନ ସ୍ଥାନରେ ପରିବେଷଣ କରାଯିବ। ରାଜ୍ୟ ସରକାର ଜୟନ୍ତୀ ପାଳନର ଲୋଗୋ ସବୁ ସ୍ଥାନରେ ବ୍ୟବହାର କରିବେ ଓ ଗାନ୍ଧୀଜୀଙ୍କ ଫଟୋ ସବୁ ସରକାରୀ କାର୍ଯ୍ୟାଳୟରେ ଲଗାଯିବ। ଏକ ସ୍ୱତନ୍ତ୍ର େଓ୍ଵବ୍‌ ସାଇଟ୍‌ ଖୋଲି ତା ମାଧ୍ୟମରେ ସ୍ୱତନ୍ତ୍ର ତଥ୍ୟ ପ୍ରଦାନ କରାଯିବା ବ୍ୟବସ୍ଥା ରହିବ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ବିରୋଧୀ ଦଳ ନେତା ଶ୍ରୀ ମିଶ୍ର, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ଭବାନୀ ଚରଣ ପଟ୍ଟନାୟକ, ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ, ବିଧାୟକ, ସରକାରୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଗତ ବିଧାନସଭାରେ ବିରୋଧୀ ଦଳ ନେତା ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ନେଇ ପ୍ରଥମେ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାର ନିର୍ଦିଷ୍ଟ କି କାର୍ଯ୍ୟକ୍ରମ ନେବାକୁ ଯାଉଛନ୍ତି, ସେ ନେଇ ଜାଣିବା ଲାଗି ଆଗ୍ରହ ରଖିଥିଲେ। ପରେ ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର