‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ସଚେତନତା କର୍ମଶାଳା : ଲୋକଙ୍କୁ ସଚେତନ କରିବା ପାଇଁ ଲୋକକଳା ବଳିଷ୍ଠ ମାଧ୍ୟମ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ସଂସ୍କୃତି ଭବନରେ ଆଜି ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାକୁ ଜାତୀୟ ସ୍ୱାସ୍ଥ୍ୟ ମିସନର ନିର୍ଦେଶିକା ଶାଳିନୀ ପଣ୍ଡିତ ଉଦ୍‌ଘାଟନ କରି କହିଲେ, ବିଏସ୍‌କେଓ୍ଵାଇ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ବଳିଷ୍ଠ ପଦକ୍ଷେପ। ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କରେ ଏହି ସୁବିଧା ମିଳିବ। ବାର୍ଷିକ ଆୟ ସୀମା ନିର୍ବିଶେଷରେ ଏହି ଯୋଜନାରେ ମାଗଣା ଚିକିତ୍ସା ସୁବିଧା ମିଳିବ। ରାଜ୍ୟର ୭୦ଲକ୍ଷ ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ଓ ପରିବାରର ମହିଳା ସଦସ୍ୟଙ୍କୁ ୭ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦିଆଯିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର କାର୍ଡଧାରୀ ଓ ଗ୍ରାମାଞ୍ଚଳରେ ବାର୍ଷିକ ୫୦ହଜାର ଟଙ୍କାରୁ କମ୍‌ ଓ ସହରାଞ୍ଚଳରେ ୬୦ହଜାର ଟଙ୍କାରୁ କମ୍‌ ଆୟକାରୀ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି।

ସରକାରୀ ଡାକ୍ତରଖାନା ବ୍ୟତୀତ ତାଲିକାଭୁକ୍ତ ୨୦୮ଟି ଘରୋଇ ଡାକ୍ତରଖାନାରେ ବିନା ଦେୟରେ ସମସ୍ତ ଚିକିତ୍ସା ସୁବିଧା ମଧ୍ୟ ମିଳିବ। ଏହି ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଓ ସଚେତନ କରିବା କ୍ଷେତ୍ରରେ ଲୋକକଳା ଏକ ବଳିଷ୍ଠ ମାଧ୍ୟମ ବୋଲି ଶ୍ରୀମତୀ ପଣ୍ଡିତ କହିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଲେ, ଦେହ ଓ ମନକୁ ସୁସ୍ଥ ରଖିବାକୁ ହେଲେ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ରହିଛି। ଲୋକକଳା କଳାକାରମାନେ ଠିକଣା ଭାବେ ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରିବେ ବୋଲି ଶ୍ରୀ ନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୁବାନନ୍ଦ ମହାପାତ୍ର ଉପସ୍ଥିତ ଥିଲେ।

ପ୍ରାରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ କର୍ମଶାଳା ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଯୁଗ୍ମ ମୁଖ୍ୟନିର୍ବାହୀ ଦୀପକ ବିଶୋଇ ଧନ୍ୟବାଦ ଦେଇଥିଲେ। କର୍ମଶାଳାରେ ଗଞ୍ଜାମ, ଖୋର୍ଧା, ସମ୍ବଲପୁର, କଳାହାଣ୍ଡି, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, କଟକ ଓ ବଲାଙ୍ଗୀର ଜିଲ୍ଲା କଳା ସଂସ୍କୃତି ସମିତିର ଉପସଭାପତି, ବ୍ଲକ୍‌ କଳା ସଂସ୍କୃତି ସମିତି ଓ ନଗର କଳାସଂସ୍କୃତିର କର୍ମକର୍ତା ଓ ସଦସ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର