କାଳିଆର ସଫଳତା କ୍ଷେତ୍ର ଅଧିକାରୀଙ୍କ ଉପରେ ନ୍ୟସ୍ତ: କୃଷି ମନ୍ତ୍ରୀ

ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ କୃଷି ଭବନରେ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ବର : କାଳିଆ ଯୋଜନାରେ ଭୂମିହୀନ କୃଷି ଶ୍ରମିକଙ୍କୁ ଜୀବିକା ନିର୍ବାହ ପାଇଁ ସରକାରଙ୍କ ଯୋଜନା ବିଷୟରେ ଅବଗତ କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଦିନିକିଆ ପ୍ରଶିକ୍ଷଣ ଦିଆଯାଇଛି। ଭୁବନେଶ୍ବର ସ୍ଥିତ କୃଷି ଭବନରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଶଶିଭୂଷଣ ବେହେରା।

ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ମନ୍ତ୍ରୀ କହିଛନ୍ତି, କାଳିଆ ଯୋଜନାରେ ଭୂମିହୀନ କୃଷି ଶ୍ରମିକମାନଙ୍କୁ ଜୀବିକା ନିର୍ବାହନ ପାଇଁ ଦିଆଯାଉଥିବା ଆର୍ଥିକ ସହାୟତା ଯେପରି ଠିକଣା ଭାବରେ ଉଦ୍ଦିଷ୍ଟ ପ୍ରକଳ୍ପରେ ବିନିଯୋଗ ହୋଇପାରିବ ତାକୁ ସୁନିଶ୍ଚିତ କରିବାର ଗୁରୁଦାୟିତ୍ବ କ୍ଷେତ୍ର ଅଧିକାରୀମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଯୋଜନାର ସଫଳତା ସେମାନଙ୍କର ନିଷ୍ଠ ଓ ଆନ୍ତରିକତା ଉପରେ ନିର୍ଭର କରୁଛି। ଏହି ଯୋଜନା ସହିତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହାକୁ ଏକ ଆହ୍ବାନ ରୂପେ ଗ୍ରହଣ କରି କାଳିଆ ଯୋଜନାକୁ ସର୍ବଶ୍ରେଷ୍ଠ ଯୋଜନା ଭାବରେ ପ୍ରମାଣ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ସ୍ତରୀୟ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ, ଭୂମିହୀନ କୃଷି ଶ୍ରମିକମାନେ ବାଛିଥିବା ପ୍ରକଳ୍ପ ସମ୍ପର୍କରେ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। ରାଜ୍ୟସ୍ତରରେ ପ୍ରଶିକ୍ଷଣ ପାଇଥିବା ଉଦ୍ୟାନ କୃଷି, ଭେଟେରିନାରି, ମତ୍ସ୍ୟ, ମିସନ ଶକ୍ତି, ଓଡ଼ିଶା ଜୀବିକା ମିସନ ଓ କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ସମନ୍ବୟ ରଖି ଧାର୍ଯ୍ୟ ସମୟ ଭିତରେ ବ୍ଲକସ୍ତରର ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେଇ ଯୋଜନାକୁ ସଫଳ କରିବା ଉପରେ ଗୁରୁତ୍ବ ଦେବେ।

ପ୍ରଶିକ୍ଷଣ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲାସ୍ତରୀୟ ଟ୍ରେନରମାନେ ବ୍ଲକ ସ୍ତରରେ ଫେବ୍ରୁଆରି ୧୮ ତାରିଖ ଦିନ ତାଲିମ ପ୍ରଦାନ କରିବେ। ସେହିପରି ବ୍ଲକସ୍ତରୀୟ ପ୍ରଶିକ୍ଷକମାନେ କ୍ଷେତ୍ର ଅଧିକାରୀମାନଙ୍କୁ ଫେବ୍ରୁଆରୀ ୨୧ ତାରିଖ ମଧ୍ୟରେ ଟ୍ରେନିଂ ଦେବେ। ଗ୍ରାମପଞ୍ଚାୟତ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟ ଫେବ୍ରୁଆରୀ ୨୫ରୁ ମାର୍ଚ୍ଚ ୧ ତାରିଖ ସୁଦ୍ଧା ଶେଷ କରାଯିବ ବୋଲି ଧାର୍ଯ୍ୟ ହୋଇଛି।

କାଳିଆ ଯୋଜନାର ସର୍ତ୍ତାବଳୀ ଅନୁଯାୟୀ, ହିତାଧିକାରୀମାନଙ୍କୁ ବତକ ଓ ଅଣ୍ଡାଦିଆ କୁକୁଡ଼ା ପାଳନ, ଛତୁଚାଷ, ମହୁଚାଷ, ମାଛଧରା ଉପକରଣ, କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଆଦି ବିଷୟରେ ତାଲିମ ଦିଆଯିବ। ଏହାସହିତ ଜଣେ ଭୂମିହୀନ କୃଷି ଶ୍ରମିକ ନିଜର ସୁବିଧା, କୌଶଳ ଓ ବସବାସ କରୁଥିବା ଅଞ୍ଚଳ ଅନୁସାରେ ଅନ୍ୟ କୌଣସି ଜୀବିକା ନିର୍ବାହ ପନ୍ଥା ମଧ୍ୟ ଆପାଣାଇପାରିବେ। ନିୟମ ମୁତାବକ କୃଷି ଶ୍ରମିକଙ୍କୁ ୧୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ୩ଟି କିସ୍ତିରେ ପ୍ରଦାନ କରାଯିବ। ପ୍ରଥମ କିସ୍ତିରେ ୫ ହଜାର, ଦ୍ବିତୀୟ କିସ୍ତିରେ ୩ ହଜାର ଓ ତୃତୀୟ କିସ୍ତିରେ ୪ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ।

ଏହି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ସମବାୟ ବିଭାଗ କମିସନର କ୍ରିଷନ କୁମାର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସଚିବ ବିଶାଲ ଗଗନଙ୍କ ସମେତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର