କେଏମ୍‌ବିବି ଜୁନିଅର୍‌ ସାଇନ୍ସ କଲେଜର ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ : ପିତାମାତାଙ୍କ ନିକଟ‌ରେ କୃତଜ୍ଞ ରୁହ

ବାରଙ୍ଗ : ବାରଙ୍ଗ ବେଲଗଛିଆ ପଞ୍ଚାୟତ ନରଣପୁରସ୍ଥିତ କେଏମ୍‌ବିବି ଜୁନିୟର୍‌ ସାଇନସ୍‌ କଲେଜର +୨ ନବାଗତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ଓରିଏଣ୍ଟେସନ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ତଥା ‘ସମ୍ବାଦ’ ଶିକ୍ଷାସମୂହର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତା ଛାତ୍ରଛାତ୍ରୀମାନଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଥିଲେ। ସେ କହିଲେ, କର୍ମକୁ ଗୁରୁତ୍ବ ଦିଅ, ସଫଳତା ଆପେ ମିଳିବ। ଶିକ୍ଷାନୁଷ୍ଠାନର ନୀତିନିୟମ ଓ ଶୃଙ୍ଖଳା ଦେଖି ମନ୍ତ୍ରୀ ଶ୍ରୀ ସାହୁ ଖୁସି ପ୍ରକଟ କରିବା ସହ ଆହୁରି କହିଲେ, କେଏମ୍‌ବିବି ଭଳି ଅନୁଷ୍ଠାନରେ ପାଠ ପଢ଼ିଲେ, କେହି କେବେ ପସ୍ତାଇବ ନାହିଁ। ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ କେଏମ୍‌ବିବି ଢାଞ୍ଚାରେ ପରିଚାଳନା କରିବା ପାଇଁ ସରକାରୀସ୍ତରରେ ପ୍ରସ୍ତାବ ଦେବେ ବୋଲି ସେ କହିଥିଲେ।

ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସଂଘର୍ଷମୟ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ। ଦାରିଦ୍ର୍ୟର କଷାଘାତରେ ଅଜସ୍ର କଷ୍ଟ ସହି ଗୋଦାବରୀଶ ଯେପରି ଜଣେ ମହାନ ବ୍ୟକ୍ତି ହୋଇପାରିଥିଲେ, ସେଭଳି ଦୃଢ଼ ମନା ହୋଇ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ, ଅହଂକାର ମଣିଷର ସବୁଠାରୁ ବଡ଼ ଶତ୍ରୁ। ତେଣୁ ଅହଂକାର ବର୍ଜନ କରିବା ପାଇଁ ଈଶ୍ବରଙ୍କ ଜୀବନ୍ତ ପ୍ରତୀକ ବାପା, ମା’ଙ୍କ ନିକଟରେ ସଦାସର୍ବଦା କୃତଜ୍ଞ ରହିବା ଆବଶ୍ୟକ। ଶ୍ରେଣୀ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରି ତାକୁ ବଢ଼ାଇବେ ଓ ବିଦାୟକାଳୀନ ଉତ୍ସବରେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ ଶିକ୍ଷାସମୂହର ନିର୍ଦ୍ଦେଶକ ପ୍ରଫେସର ସରୋଜ ପଣ୍ତା, ସମ୍ବାଦ-ଆମଓଡ଼ିଶା ଚାରିଟେବୁଲ ଟ୍ରଷ୍ଟର ଉପାଧ୍ୟକ୍ଷ ଅଭନିଶ ଶର୍ମା, ‘ସମ୍ବାଦ’ ଗ୍ରୁପ୍‌ର ଟ୍ରଷ୍ଟି ତଲ୍ଲିନା ପଟ୍ଟନାୟକ ନବାଗତା ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। କଲେଜର ଡିନ୍ ଡ. ବିଜୁନି ସୂତାର ସ୍ବାଗତ ଅଭିଭାଷଣ ଓ ଡ. ବୈରାଗୀ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର