‘ଏକାମ୍ର ଯୋଜନା’ ପାଇଁ ଗଠନ ହେଲା ପ୍ରକଳ୍ପ ଉପଦେଷ୍ଟା କମିଟି, ଓଡ଼ିଆ ଉଦ୍ୟୋଗୀ ସନ୍ତୃପ୍ତ ମିଶ୍ର କମିଟିର ଅଧ୍ୟକ୍ଷ

ମୋତେ ଏହି ଦାୟିତ୍ବ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ବର : ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ଓ ଏହା ଚତୁଃପାର୍ଶ୍ବର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଏକାମ୍ର ଯୋଜନା ଆରମ୍ଭ କରିଛନ୍ତି। ପ୍ରାୟ ଦେଢ଼ ବର୍ଷ ହେଲା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇପାରିନି। ଏବେ ଏହି ଯୋଜନାରେ ଯେପରି ଏକାମ୍ର କ୍ଷେତ୍ରର ୮୦ଏକର ଅଞ୍ଚଳର ଉନ୍ନତୀକରଣ ହେବ, ବିଭିନ୍ନ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ହୋଇପାରିବ ସେନେଇ ବିଭିନ୍ନ ପ୍ରସ୍ତାବ ଦେବା ଓ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ପ୍ରକଳ୍ପ ଉପଦେଷ୍ଟା କମିଟି (ପିଏସି) ଗଠନ କରିଛନ୍ତି। ଓଡ଼ିଆ ଶିଳ୍ପୋଦ୍ୟୋଗୀ ସନ୍ତୃପ୍ତ ମିଶ୍ରଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି। ଆଜି ଏନେଇ ପୂର୍ତ୍ତ ସଚିବ କ୍ରିଷନ କୁମାର ବିଜ୍ଞପ୍ତି ଜାରି କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଆ ଉଦ୍ୟୋଗୀ ତଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ବିର୍ଲା କାର୍ବନର ସିଇଓ ସନ୍ତୃପ୍ତ ମିଶ୍ରଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଛି। ଏଥିରେ ପୂର୍ତ୍ତ ସଚିବ ସଦସ୍ୟ ରହିଛନ୍ତି। ଏହାବାଦ୍ ଆର୍‌ଡିସି, ବିଏମ୍‌ସି କମିସନର, ଦେବୋତ୍ତର କମିସନର, ଏଏସ୍‌ଆଇର ଭୁବନେଶ୍ବର ସର୍କଲର ଅଧୀକ୍ଷକ ପ୍ରତ୍ନତତ୍ତ୍ବବିତ୍, ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସକ, କମିସନରେଟ୍ ପୁଲିସର ଭୁବନେଶ୍ବର ଡିସିପି, ସଂସ୍କୃତି ବିଭାଗ/ ରାଜ୍ୟ ପ୍ରତ୍ନତତ୍ତ୍ବର ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ, ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ, ମନ୍ଦିରର ତିନି ଜଣ ସେବାୟତ, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରର ଦୁଇ ଜଣ ବିଶିଷ୍ଟ ବ୍ୟକ୍ତି, କୀର୍ତ୍ତିରାଜି ସଂରକ୍ଷଣ କ୍ଷେତ୍ରରେ ଅଭିଜ୍ଞତା ଥିବା ଦୁଇ ଜଣ ବ୍ୟକ୍ତି (ଏଏସ୍‌ଆଇ/ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ) ଏହାର ସଦସ୍ୟ ରହିବେ। ଓବିସିସି ପରିଚାଳନା ନିର୍ଦ୍ଦେଶକ ଏହି କମିଟିର ଆବାହକ ଅଛନ୍ତି।

ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏକାମ୍ର ପ୍ରକଳ୍ପରେ ୮୦ଏକର ଅଞ୍ଚଳର ଉନ୍ନତୀକରଣ ହେବ। ହେଲେ ଏହି ଅଞ୍ଚଳରେ ବହୁ ଐତିହ୍ୟ, କୀର୍ତ୍ତିରାଜି ସମେତ ବିନ୍ଦୁସାଗର ଏବଂ ବହୁ ପବିତ୍ର ପୁଷ୍କରିଣୀ ଓ ଜଳାଶୟ ଅଛି। ସେଗୁଡ଼ିକର ସଂରକ୍ଷଣ କରିବା ସହ ଗୋଟିଏ ବିସ୍ତୃତ ଯୋଜନା କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ଭକ୍ତ, ଶ୍ରଦ୍ଧାଳୁଙ୍କ ଯାତାୟାତରୁ ଆରମ୍ଭ କରି ଆମୋଦପ୍ରମୋଦକୁ ସ୍ଥାନ ଦେବା ଠାରୁ ଆରମ୍ଭ କରି ଟ୍ରାଫିକ୍ ବ୍ୟବସ୍ଥାକୁ ସଜାଡ଼ିବାର ଅଛି। ଏହାକୁ ନଜରରେ ରଖି ଏହି କମିଟି ଗଠନ ହୋଇଛି। କମିଟି ବୈଠକ ନିୟମିତ ବ୍ୟବଧାନରେ ବସିବ। ଏହି ବୈଠକରେ ଯୋଗଦେବା ପାଇଁ କମିଟିର ଅଧ୍ୟକ୍ଷ ଯାହାକୁ ବି ଡାକିପାରିବେ। ଏକାମ୍ର ପ୍ରକଳ୍ପରେ ଏଣିକି ଯାହା ବି ହେବ ତାହାକୁ ଏହି କମିଟି ପ୍ରଥମେ ଅନୁମୋଦନ କରିବ ବୋଲି ନିଷ୍ପତ୍ତି ହୋଇଛି।

ଏହି କମିଟର ଅଧ୍ୟକ୍ଷ ଭାବେ ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବା ପରେ ସେ କହିଛନ୍ତି ଯେ, ଏହା ମୋ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ। ଏହି ଐତିହାସିକ ପ୍ରକଳ୍ପକୁ ଆଗେଇ ନେବା ପାଇଁ ପିଏସି ଗଠନ କରି ଏହାର ଅଧ୍ୟକ୍ଷ ଭାବେ ମୋତେ ଦାୟିତ୍ବ ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଉଛି। ‌ଓଡ଼ିଶାର ଏହି ମହାନ୍ ଐତିହ୍ୟ କ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ଓ ଅଭିଜ୍ଞତା ସମୃଦ୍ଧ କରିବା ପାଇଁ ପୁଣି ସୁଯୋଗ ମିଳିଥିବାରୁ ଏହା ମୋ ପାଇଁ ଏକ ପ୍ରେରଣାଦାୟୀ କାର୍ଯ୍ୟ ହେବ। ମୋ ମାତୃଭୂମି ପାଇଁ ସେବା କରିବାକୁ ଏକ ସ୍ବତନ୍ତ୍ର ସୁଯୋଗ ମିଳିଛି। ବିଭିନ୍ନ ଦେଶବିଦେଶ ବୁଲିବା ପରେ ଯେତିକି ଅଭିଜ୍ଞତା ହାସଲ କରିଛି ତାହାକୁ ଏଠାରେ ଉପଯୋଗ କରିବି। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ସମସ୍ତ ସହଯୋଗ ରହିବ ବୋଲି ମୁଁ ଆଶା କରୁଛି। ମୁଁ ଜଣେ ଶିବ ଭକ୍ତ ହୋଇଥିବାବେଳେ ଆଜି ଏହି ଖବର ମିଳିଥିବାରୁ ଅତ୍ୟନ୍ତ ଖୁସି ଅନୁଭବ କରୁଛି। ଦୀର୍ଘ ୧୪ମାସର ବ୍ୟବଧାନ ପରେ ଦୁଇ ମାସ ତଳେ ମୁଁ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଥିଲି। ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ, ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା‌ ଓ ସ୍ମରଣୀୟ କରାଇବାରେ ତାଙ୍କର ଆଶୀର୍ବାଦ ରହିବ।

ସମ୍ବନ୍ଧିତ ଖବର