ରାୟଗଡା ଜିଲ୍ଲାରେ ଯୋଜନା ପରିଚାଳନା ପାଇଁ ନାହାନ୍ତି ଅଧିକାରୀ : ଜିଲ୍ଲାର ୫ ବ୍ଲକରେ ଜିପିଇଓ, ୩୩ ପଞ୍ଚାୟତରେ ପିଇଓ ନଥିବାରୁ ପ୍ରାୟ ୩୦୦ କୋଟିର ଯୋଜନା ଏବେ ବାଟବଣା!

ରାୟଗଡା : ଯୋଜନା ପରିଚାଳନା ପାଇଁ ନାହାନ୍ତି ଅଧିକାରୀ। ବର୍ଷ ବର୍ଷ ଧରି ଖାଲି ପଡିଛି ପଦବି। ୪ ବର୍ଷ ହେଲା ବନ୍ଦ ରହିଛି ନିଯୁକ୍ତି ପ୍ରକ୍ରିୟା। ଫଳରେ ଅତିରିକ୍ତ ଦାୟିତ୍ବରେ ଚାଲିଛି ଯୋଜନା। ଜିଲ୍ଲାର ୫ ବ୍ଲକରେ ଜିପିଇଓ, ୩୩ ପଞ୍ଚାୟତରେ ପିଇଓ ନଥିବା କାରଣରୁ ପାଖାପାଖି ୩୦୦ କୋଟିର ଯୋଜନା ଏବେ ବାଟବଣା!

ତୃଣମୂଳସ୍ତରରେ ସରକାରୀ ଯୋଜନାକୁ ପହଞ୍ଚାଇବା ଲକ୍ଷ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିଛନ୍ତି ସରକାର। ବିକାଶ ଦାୟିତ୍ବ ନ୍ୟସ୍ତ କରାଯାଇଛି ସରପଞ୍ଚ, ଗ୍ରାମ ରୋଜଗାର ସେବକ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ହାତରେ। ଯୋଜନାର ଅଗ୍ରଗତି ତଦାରଖ ପାଇଁ ବିଡିଓ, ସହକାରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ହୋଇଛି ନିର୍ଦେଶ। ବାର୍ଷିକ ପ୍ରତି ପଞ୍ଚାୟତକୁ ଦେଢ଼ରୁ ୨ କୋଟି ଟଙ୍କାର ଅନୁଦାନ ଆସୁଥିବାରୁ ଯୋଜନାର ରୂପରେଖ, ଗ୍ରାମସଭା, ଆକ୍ସନ୍ ପ୍ଲାନ୍ ସରପଞ୍ଚଙ୍କ ସହଯୋଗରେ କରିବାକୁ ପିଇଓଙ୍କୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ଅତିରିକ୍ତ ଦାୟିତ୍ବ ବୋଝ ‌ଯୋଗୁଁ ଉନ୍ନୟନ ମୂଳକ କାମ ଆଖି ଦୃଶିଆ ହୋଇପାରୁନି। ବହୁ ବ୍ଲକରେ ୩/୪ଟି ପଂଚାୟତ ଦାୟିତ୍ବରେ ଜଣେ ଲେଖାଏ ପିଇଓଙ୍କୁ ନିଯୁକ୍ତି କରାଯାଇଛି। ରାୟଗଡା, କୋଲନରା, ଚନ୍ଦ୍ରପୁର, ମୁନିଗୁଡା, ରାମନାଗୁଡା ବ୍ଲକରେ ଜିପିଇଓ ନଥିବା ବେଳେ ଗୁଡାରି ଜିପିଇଓ ଦଣ୍ଡାସି ମାଣ୍ଡାଙ୍ଗି ଆଉ ୩ ମାସ ପରେ ଚାକିରିରୁ ଅବସର ଗ୍ରହଣ କରିବେ। ରାୟଗଡା, କୋଲନରା ବ୍ଲକରେ ପ୍ରୋଗେସିଭ୍ ଆସିଷ୍ଟାଣ୍ଟ୍, ରାମନାଗୁଡା, ଚନ୍ଦ୍ରପୁର, ମୁନିଗୁଡାରେ ପିଇଓଙ୍କୁ ଜିପିଇଓ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି ରାୟଗଡା ବ୍ଲକରେ ୩ ପିଇଓ, ବିଷମକଟକ ବ୍ଲକରେ ୫ ପିଇଓ, ମୁନିଗୁଡା ବ୍ଲକରେ ୪ ପିଇଓ, କାଶୀପୁର ବ୍ଲକରେ ୯ ପିଇଓ, କଲ୍ୟାଣସିଂହପୁର ବ୍ଲକରେ ୭ ପିଇଓ, ଗୁଡାରି ବ୍ଲକରେ ଜଣେ ପିଇଓ, ଗୁଣପୁର ବ୍ଲକରେ ୩ ପିଇଓ, କୋଲନରା ବ୍ଲକରେ ୬ ପିଇଓ ଏବଂ ଚନ୍ଦ୍ରପୁର ବ୍ଲକରେ ଗୋଟିଏ ପିଇଓ ପଦବି ଖାଲି ପଡିଛି।

୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ନୂତନ ଭାବେ ସୃଷ୍ଟି ହୋଇଥିବା ୧୧ ପଞ୍ଚାୟତ ମଧ୍ୟରୁ ବିଷମକଟକର ଡାଲିଆକୁଜିକୁ ଛାଡିଲେ ଅନ୍ୟ ୧୦ ପଞ୍ଚାୟତର ନିଜସ୍ବ କାର୍ଯ୍ୟାଳୟ ନିର୍ମାଣ ଶେଷ ହୋଇ ପାରିନି। ଚଳିତ ମାସରେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଡାଲିଆକୁଜି ପଂଚାୟତ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି। କେଉଁଠି କାମ ଅଧପନ୍ତରିଆ ତ’ କେଉଁଠି ଜମି ବିବାଦ ଯୋଗୁ ନିର୍ମାଣ କାର୍ଯ୍ୟ ଭୂଇଁରୁ ଉଠି ପାରିନି।

ଜିଲ୍ଲାର ୧୧ ବ୍ଲକ୍, ୧୮୨ ପଞ୍ଚାୟତ, ୨୬୬୨ ଗାଁର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ଅଭାବ ନାହିଁ। ଚର୍ତୁଦଶ କେନ୍ଦ୍ର ଅର୍ଥ କମିସନ୍, ଚର୍ତୁଥ ରାଜ୍ୟ ଅର୍ଥ କମିସନ୍, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିଜୁ ଯୁବ ବାହିନୀ, କାଳିଆ, ପିଠା, ହରିଶ୍ଚନ୍ଦ୍ର ଯୋଜନା ଭଳି ବହୁ ଗୁରୁତ୍ବପୂର୍ଣ ଯୋଜନା କାର୍ଯ୍ୟକାରୀ ହେଉଛି। ଅନୁଦାନ ଟଙ୍କାରେ ପୋଖରୀ, ରାସ୍ତା, କଲଭର୍ଟ, ବ୍ରିଜ୍, ମାର୍କେଟ୍ କଂପ୍ଲେକ୍ସ, ପାଠାଗାର, ଆଲୋକୀକରଣ, ପାନୀୟ ଜଳ ପ୍ରକଳ୍ପ ମରାମତି ଭଳି ବହୁ କାମ ସହିତ ଜରୁରିକାଳୀନ କ୍ଷେତ୍ରରେ ରେଡକ୍ରସ୍ ପାଣ୍ଠି ସହାୟତା ପ୍ରଦାନ ସହ ବାର୍ଧକ୍ୟ, ବିଧବା ଭତ୍ତା ଟଙ୍କା ବଣ୍ଟନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ପିଇଓ। କିନ୍ତୁ ବର୍ଷ ବର୍ଷ ଧରି ଖାଲି ପଡିଥିବା ପଦବି ପୂରଣ ହୋଇପାରୁ ନଥିବାରୁ ଯୋଜନା ଉପରେ ନିର୍ଭରଶୀଳ ହିତାଧିକାରୀ ବହୁ ସମୟରେ ନିରାଶ ହେଉଛନ୍ତି। କାର୍ଯ୍ୟ ବ୍ୟସ୍ତତା ଯୋଗୁ ପଂଚାୟତକୁ ଆସୁଥିବା ହିତାଧିକାରୀଙ୍କ ସହ ପିଇଓଙ୍କ ଦେଖା ହୋଇପାରୁନଥିବାରୁ ବହୁ ଗରିବ, ଗୁରୁବା ସରକାରୀ ଯୋଜନାରୁ ବଂଚିତ ହେଉଥିବାର ନଜିର ରହିଛି।

ସମ୍ବନ୍ଧିତ ଖବର