ଢେଙ୍କାନାଳ: ଢେଙ୍କାନାଳରେ ଜିଲ୍ଲାରୁ ଉତ୍ପାଦିତ ଫଳ ଓ ପନିପରିବାର ବଜାର ସୃଷ୍ଟି ସହିତ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସହର ଉପକଣ୍ଠ ଗୋବିନ୍ଦପୁରଠାରେ ୧୧ କୋଟି ଟଙ୍କା ବ୍ୟୟରେ ‘ମ୍ୟାଙ୍ଗୋ ହବ୍’ ନିର୍ମାଣ ହୋଇଥିଲା। ୩ ବର୍ଷ ଚାଲିବା ପରେ ପରିଚାଳନାଗତ ତ୍ରୁଟି ଯୋଗୁଁ ଗତ ୯ ବର୍ଷ ଧରି ଏହି କେନ୍ଦ୍ରରେ ତାଲା ପଡ଼ିଛି। ଚଳିତ ବର୍ଷ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟାନ କୃଷି ବିଭାଗ ଜରିଆରେ ଏକ କମ୍ପାନି ସହ ଚୁକ୍ତି କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମେ’ ଶେଷ ସପ୍ତାହରୁ ପାଚିଲା ଆମ୍ବ ବାହାରିବାକୁ ଥିବା ବେଳେ ଅଦ୍ୟାବଧି ସଂପୃକ୍ତ ହବ୍ ପରିସରର ଗଛଲତା ସଫା ହୋଇନାହିଁ କିମ୍ବା କାର୍ଯ୍ୟକ୍ଷମ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ଚଳିତ ବର୍ଷ ଆମ୍ବଚାଷୀମାନେ ଉପକୃତ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ପ୍ରକଳ୍ପ ପରିସର ଅନାବନା ଗଛରେ ଭର୍ତ୍ତି
ଉପକରଣ ଅଛି କି ନାହିଁ ସନ୍ଦେହ
ଢେଙ୍କାନାଳ ଜିଲ୍ଲା ସମେତ ଅନୁଗୁଳ, କାମାକ୍ଷାନଗର, ଗଜପତି, ବୌଦ୍ଧ, ସୋନପୁର, କଟକ, ଯାଜପୁର ଓ ଦେବଗଡ଼ ଅଞ୍ଚଳରେ କ୍ଷୁଦ୍ର ଓ ନାମମାତ୍ର ଆମ୍ବଚାଷୀଙ୍କୁ ସୁବିଧାରେ ବଜାର ଉପଲବ୍ଧ ଲାଗି ମ୍ୟାଙ୍ଗୋ ହବ୍ ନିର୍ମାଣ ହୋଇଥିଲା। ୨୦୧୩ ଜୁନ୍ ୨୭ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ରାଷ୍ଟ୍ରୀୟ ଉଦ୍ୟାନ କୃଷି ମିସନ୍ ପକ୍ଷରୁ ୮ କୋଟି ଟଙ୍କା, ଉଦ୍ୟାନ ଉନ୍ନୟନ ସମିତିରୁ ୨ କୋଟି ଟଙ୍କା ଏବଂ ସ୍ଥାନୀୟ ଆମ୍ବଚାଷୀଙ୍କଠାରୁ ୧ କୋଟି ଟଙ୍କା, ଏହିଭଳି ମୋଟ୍ ୧୧ କୋଟି ଟଙ୍କା ବ୍ୟୟରେ ୪ ଏକର ୯ ଡେସିମିଲ୍ ଜମି ଉପରେ ଏହା ନିର୍ମିତ ହୋଇଥିଲା। ଏହାର ନାମ ରଖାଯାଇଥିଲା ଢେଙ୍କାନାଳ ଫ୍ରୁଟ୍ସ ଆଣ୍ଡ ଭେଜିଟେବୁଲ୍ସ ମାର୍କେଟିଂ କମ୍ପାନି ଲିମିଟେଡ୍। ପିପିପି ମୋଡ୍ରେ ଏହି ପ୍ରକଳ୍ପ ୩ ବର୍ଷ ଚାଲିବା ପରେ ୨୦୧୬ରେ ସରକାର ହାତକୁ ନେଇଥିଲେ। ତେବେ ପରିଚାଳନାଗତ ତ୍ରୁଟି ଯୋଗୁଁ ଏହା ବନ୍ଦ ହୋଇଯାଇଥିଲା। ଭିତରେ ଥିବା ଶୀତଳୀକରଣ ଯନ୍ତ୍ର ଓ ଅନ୍ୟାନ୍ୟ ଉପକରଣ ବର୍ତ୍ତମାନ ଅଛି କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି।
ମ୍ୟାଙ୍ଗୋ ହବ୍ କାର୍ଯ୍ୟକ୍ଷମ ନଥାଇ ଗତବର୍ଷ ମେ ଓ ଜୁନ ମାସରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୃଷକ ଉତ୍ପାଦକ ସଂଗଠନ ସହଯୋଗରେ ୧୨୨.୬ କୁଇଣ୍ଟାଲ ଆମ୍ରପଲ୍ଲୀ, ଦଶେରୀ ଓ ମଲ୍ଲିକା କିସମର ଆମ୍ବକୁ ଦୁବାଇ, ଇଟାଲୀ ଓ ସାଉଦିଆରବକୁ ପଠାଯାଇଥିଲା। ଦେଶ ଭିତରେ ଲକ୍ଷ୍ନୌ, ଦିଲ୍ଲୀ, ବିହାର, ମୁମ୍ବାଇ ଆଦି ସ୍ଥାନକୁ ମଧ୍ୟ ୩୨୧ କୁଇଣ୍ଟାଲ ଆମ୍ବ ପଠାଯାଇ ପାରିଥିଲା। ମ୍ୟାଙ୍ଗୋ ହବ୍ର ରକ୍ଷଣାବେକ୍ଷଣା ଓ ପରିଚାଳନା ଲାଗି ଗତ ମାର୍ଚ୍ଚ ୨୪ ତାରିଖରେ ଭୁବନେଶ୍ୱରର କୋଲ୍ଡ ଚେନ୍ ସଲ୍ୟୁସନ୍ କଂପାନିକୁ ୧୫ ବର୍ଷ ଲାଗି ଦାୟିତ୍ୱ ଦିଆଯାଇଛି। ତେବେ ଅଦ୍ୟାବଧି ଏହାର କାର୍ଯ୍ୟ ଆରମ୍ଭ ହୋଇନି। ଏ ସଂପର୍କରେ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶିକା ଗୀତାଶ୍ରୀ ପାଢ଼ୀ କହିଛନ୍ତି, କୃଷି ଓ କୃଷକ ସଶକ୍ତୀରଣ ବିଭାଗ ପକ୍ଷରୁ ଭୁବନେଶ୍ୱରର କୋଲ୍ଡ ଚେନ୍ ସଲ୍ୟୁସନ୍ କଂପାନି ସହିତ ଚୁକ୍ତି ହୋଇଛି। ମ୍ୟାଙ୍ଗୋ ହବ୍ ସଂପୃକ୍ତ ସଂସ୍ଥାକୁ ହସ୍ତାନ୍ତର କରି ଦିଆଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି।