ଜୟପୁର: ଗତ ସାଧାରଣ ନିର୍ବାଚନ ପର ଠାରୁ ଜୟପୁରରେ ୨୦୦କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏସବୁ ପ୍ରକଳ୍ପ ସରିବା ପାଇଁ ଧାର୍ଯ୍ୟ ସମୟ ସୀମା ଦିଆଯାଇଥିଲେ ହେଁ ଏହାରି ମଧ୍ୟରେ ଗୋଟିଏ ବି ବଡ ପ୍ରକଳ୍ପ ଜନସାଧାରଣଙ୍କ ସେବାରେ ଲାଗିପାରିନି। ଏସବୁ ଅଧାଗଢ଼ା ପ୍ରକଳ୍ପ ଦଣ୍ଡାୟମାନେ ହୋଇ ରହିଥିବା ବେଳେ ପ୍ରକଳ୍ପ କାମ କେବେ ଶେଷ ହେବ ତାହାକୁ ନେଇ କୌଣସି ବିଭାଗର ଉଚ୍ଚ ପଦାଧିକାରୀ ଅଧିକାରୀ ବି ସ୍ପଷ୍ଟ ଭାବେ ଉତ୍ତର ଦେଇ ପାରୁନାହାନ୍ତି। ଅପରପକ୍ଷରେ ଜନସାଧାରଣଙ୍କ ସେବାରେ ଲାଗି ନ ପାରି ବହୁ ପ୍ରକଳ୍ପର ଜୀବନକାଳ ମଧ୍ୟରୁ କିଛି ବର୍ଷ ଖାଲିରେ ଖାଲିରେ ସରିଗଲାଣି।
ସୂଚନା ଅନୁଯାୟୀ, ୨୦୨୧ମସିହାରେ ଆରମ୍ଭ ହୋଇଥିବା ୯୮.୫ କୋଟିର ୭ମହଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୩୦କୋଟିରୁ ଉର୍ଦ୍ଧ୍ବ ଟଙ୍କାରେ କର୍ମଚାରୀ କ୍ବାଟର୍ସର ନିର୍ମାଣର ଧାର୍ଯ୍ୟ ସମୟ ସରିଯାଇଥିଲେ ହେଁ ତାହା ଏପର୍ଯ୍ୟନ୍ତ ସରିନି। ୨୦୧୯ମସିହାରେ ୨୬କୋଟିର ସମନ୍ବିତ କ୍ରୀଡା କଂପ୍ଲେକ୍ସ ବର୍ଷକ ମଧ୍ୟରେ ନିର୍ମାଣ କାମ ସରିବାର ରହିଥିବା ବେଳେ ଏ ଯାଏଁ କାମ ସରିନି। ୨୦୧୯ମସିହାରେ ୨୦କୋଟିର ସାଇନସ୍ ପାର୍କ, ୨୦କୋଟିର ଆଇଟି ପାର୍କ, ୨୩କୋଟିର ରାଜସ୍ବ ନିରୀକ୍ଷକ ତାଲିମ କେନ୍ଦ୍ରର ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଧାର୍ଯ୍ୟ ସମୟ ୧୧ମାସ ରହିଥିଲେ ହେଁ ଏ ସବୁ ପ୍ରକଳ୍ପ ଗୁଡିକର କାମ କେବେ ସରିବ ଏବଂ କେବେ ଲୋକଙ୍କ ସେବାରେ ଲାଗିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୟପୁର ପୌରପାଳିକା ଅର୍ନ୍ତଗତ ଜଗନ୍ନାଥସାଗରର ପୁନଃରୁଦ୍ଧାର ପାଇଁ କେତେ ବେଳେ ହାଲ୍ କୋଟିଏ ୬୦ଲକ୍ଷ ଅନୁଦାନ ଦେଇଥିବା ବେଳେ ନଗର ଉନ୍ନୟନଓ ଗୃହ ବିଭାଗ ପକ୍ଷରୁ ପୁଣି ୨କୋଟି ମିଳିଥିବା ସୂଚନା ମିଳିଛି। ତା ବାଦେ ବି ସାଗରର ସଂପୂର୍ଣ୍ଣ ପୁନଃରୁଦ୍ଧାର ହୋଇ ପାରିନି। ଅପରପକ୍ଷରେ ସହରରେ ଥିବା ନୀଳକଣ୍ଠସାଗର, ଗୋବର୍ଦ୍ଧନ ମୁଣ୍ଡା ଆଦିର କାମ ବି ଅଧାରେ ଲଟକି ରହିଛି।
ଗତ ୪ବର୍ଷ ହେବ ସରକାରୀ ବସଷ୍ଟାଣ୍ଡର ନିର୍ମାଣ କାମ ସେଭଳି ଜାରି ରହିଛି। ଜଗନ୍ନାଥ ସାଗରର ଗୋଟିଏ ପାର୍ଶ୍ବର ଡ୍ରେନ ପୁନଃରୁଦ୍ଧାର କାମ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ସଂପ୍ରତି ଅଳ୍ପ କିଛି କାମ ପରେ ଅଧାରେ ବନ୍ଦ ହୋଇଯାଇଛି। ସେଭଳି ଏନଏଚରେ ବାରିଣୀପୁଟରୁ ବୋରିଗୁମ୍ମା ୨୬କିଲୋ ମିଟର ରାସ୍ତାର ପୁନଃରୁଦ୍ଧାର କାମ ଶେଷ ପର୍ଯ୍ୟାୟରେ ରହିଥିଲେ ହେଁ ପୋଲ୍ ପ୍ରଶସ୍ତୀକରଣ କାମ ଏ ଯାଏଁ ସରିନି। ଯଦିଓ ଜୟପୁର ବିମାନବନ୍ଦରକୁ ବିମାନ ଚଳାଚଳ କରୁଥିଲେ ହେଁ ବିମାନବନ୍ଦରର ବି ବହୁ ନିର୍ମାଣ କାମ ଏ ଯାଏଁ ଶେଷ ହୋଇ ପାରିନି। ବିମାନବନ୍ଦର ପାର୍ଶ୍ବ ଧନପୁର କେନାଲ ଶାଖାରେ ୭ଟି ସ୍ପାନରୁ ୪ଟି ସରିଥିବା ବେଳେ ୩ଟିର କାମ ସରିନି।
ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଘୋଷଣା କରିବା ସମ୍ଭାବନା ରହିଛି। ଏହାକୁ ନେଇ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ନିଜନିଜ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ସମୀକ୍ଷା କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଏମାନେ ବି ରାତି ଦିନ ଏକ କରି କାମ ସାରିବା ପ୍ରକ୍ରିୟାରେ ଲାଗି ପଡ଼ିଛନ୍ତି। ରାଜସ୍ବ ନିରୀକ୍ଷକ ତାଲିମ କେନ୍ଦ୍ର, ଡାକ୍ତରଖାନା, ୫୨ସିଟ୍ ବିଶିଷ୍ଟ ଛାତ୍ରୀନିବାସର କାମ ଶେଷ ପର୍ଯ୍ୟାୟରେ ରହିଛି , ଅତି ଶୀଘ୍ର ଏହା ଶେଷ ହେବ ବୋଲି କହିଛନ୍ତି ରାସ୍ତା ଓ କୋଠାବାଡ଼ି ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.କ୍ଷୀରଧର କନ୍ଧପାଣି।