ଭୁବନେଶ୍ବର: ଶକ୍ତି କ୍ଷେତ୍ରର ଅଗ୍ରଣୀ କମ୍ପାନି ଲୁମିନସ୍ ପାୱାର ଟେକ୍ନୋଲୋଜି ଗଞ୍ଜାମର ଗୋପାଳପୁରରେ ୯୫୦ କୋଟି ଟଙ୍କା ବିନିଯୋଗରେ ଏକ ସୋଲାର୍ ସେଲ୍ ଓ ସୋଲାର ପିଭି ମଡ୍ୟୁଲ୍ କାରଖାନା ସ୍ଥାପନ କରିବ। ଆଜି ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ୪୯୮୨.୬୬ କୋଟି ଟଙ୍କାର ୨୩ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ୧୨ଟି ଜିଲ୍ଲାରେ ସ୍ଥାପନ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରେ ରାଜ୍ୟରେ ୧୧,୯୩୩ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ନିର୍ମାଣ ହେବ ୬ ନୂଆ ହୋଟେଲ୍
ଡ୍ରୋନ୍ ଉତ୍ପାଦନ କରିବ ‘ବନ୍ଭି’
ବାଲେଶ୍ବରରେ ପ୍ରଗତି ମିଲ୍କ କାରଖାନା
ଲୁମିନସ୍ ପାୱାର କରିବ ସୋଲାର୍ ପ୍ଲାଣ୍ଟ୍
ସୂଚନା ଅନୁସାରେ, ରାଜ୍ୟରେ ୬ଟି ନୂଆ ହୋଟେଲ୍ ଓ ରିସୋଟର୍ସ ନିର୍ମାଣ ହେବାକୁ ଯାଉଛି। ପୁରୀରେ ଜଗନ୍ନାଥ କର୍ପୋରେସନ ଓ ହୋଟେଲ୍ ପାଲ୍ ରିଜେନ୍ସି ପକ୍ଷରୁ ପଞ୍ଚତାରକା ହୋଟେଲ୍ ନିର୍ମାଣ କରାଯିବ। ପ୍ରତ୍ୟକ୍ଷ ଇଷ୍ଟେଟ୍ ତରଫରୁ ଗଜପତିରେ ଏକ ହୋଟେଲ୍ ଓ ରିସୋର୍ଟସ୍ ସ୍ଥାପନ କରାଯିବ। ଅର୍କଶ୍ରୀ ହସ୍ପିଟାଲିଟି ଆଣ୍ଡ୍ ଟୁରିଜିମ୍ ପକ୍ଷରୁ ନୟାଗଡ଼ରେ ଏବଂ କନ୍ଧମାଳର ଦାରିଙ୍ଗିବାଡ଼ି ଓ ଗଞ୍ଜାମର ତପ୍ତପାଣିରେ ଦି ୱାର୍ଲଡ୍ ହୋଟେଲ୍ସ ପକ୍ଷରୁ ୩-ତାରକା ହୋଟେଲ୍ ନିର୍ମାଣ କରାଯିବ। ଇସ୍ପାତ ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଦ୍ୟା ମିନେରାଲ୍ସ ସୁନ୍ଦରଗଡ଼ରେ ୬୨୦ କୋଟି ଟଙ୍କା ନିବେଶ କରି ଏକ ୦.୨୧ ଏମ୍ଟିପିଏ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ନିର୍ମାଣ କରିବ। ଜଟିଆ ଷ୍ଟିଲ୍ ଯାଜପୁରରେ ୪୫୧ କୋଟି ଟଙ୍କା ନିବେଶ କରିବ। ଆମ୍ଷ୍ଟେଡ୍ ଷ୍ଟିଲ୍ ଫାଉଣ୍ଡ୍ରିଜ୍ ଖୋର୍ଦ୍ଧାରେ ୨୫୦ କୋଟି ଟଙ୍କା, ମକାଂଶ ଏଣ୍ଟରପ୍ରାଇଜେସ୍ ସୁନ୍ଦରଗଡ଼ରେ ୬୬.୨୪ କୋଟି ଟଙ୍କା, ଷ୍ଟିଲୋଗ୍ରାଫ୍ ୬୪.୬୫ କୋଟି ଟଙ୍କା ଏବଂ ଓସିଏସ୍ ଷ୍ଟିଲ୍ ପକ୍ଷରୁ ୬୨.୯୧ କୋଟି ଟଙ୍କା ନିବେଶ କରାଯିବ। ଲିଣ୍ଡେ ଇଣ୍ଡିଆ ସୁନ୍ଦରଗଡ଼ରେ ଏକ ଏୟାର ସେପାରେସନ୍ ୟୁନିଟ୍ ସ୍ଥାପନ କରିବାରେ ୫୧୦ କୋଟି ଟଙ୍କା ନିବେଶ କରିବ।
ଖୋର୍ଦ୍ଧାରେ ପୋଷାକ ଉତ୍ପାଦନ କାରଖାନା ବସାଇବାରେ କେପିଆର୍ ମିଲ୍ ୩୫୦ କୋଟି ଟଙ୍କା ନିବେଶ କରିବ। ପ୍ରଗତି ମିଲ୍କ ବାଲେଶ୍ବରରେ ୧୧୪.୩୪ କୋଟି ଟଙ୍କା ନିବେଶରେ ଦୁଗ୍ଧଜାତ ଉତ୍ପାଦ କାରଖାନା ବସାଇବ। ହିନ୍ଦୁସ୍ତାନ ଆକ୍ବା ତରଫରୁ ସୁନ୍ଦରଗଡ଼ରେ ୩୨୦ କୋଟି ଟଙ୍କା ନିବେଶ କରାଯିବ। ଗ୍ରୋଇଂ ଟ୍ରି ଅଏଲ୍ ରିଫାଇନାରି ପକ୍ଷରୁ ବରଗଡ଼ରେ ଏକ ତେଲ କାରଖାନା ବସାଇବାରେ ୧୨୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସେହିପରି, ଆପ୍ମୋସିସ୍ ଟେକ୍ନୋଲୋଜି ପକ୍ଷରୁ ଖୋର୍ଦ୍ଧାରେ ଏକ ସଫ୍ଟୱେର ଡେଭଲପ୍ମେଣ୍ଟ୍ ସେଣ୍ଟର ସ୍ଥାପନ କରିବାରେ ୬୫ କୋଟି ଟଙ୍କା ବିନିଯୋଗ କରାଯିବ। ବନ୍ଭି ଟେକ୍ନୋଲୋଜି ପକ୍ଷରୁ ଡ୍ରୋନ୍ ଉତ୍ପାଦନ ପାର୍କ ବସାଇବାରେ ୩୦୦ କୋଟି ଟଙ୍କା ବିନିଯୋଗ କରାଯିବ। ଏହା ବ୍ୟତୀତ ଦେବଗଡ଼ରେ ଆର୍ଭି ବ୍ରିୱେରିଜ୍ ପକ୍ଷରୁ ୫୭.୪୧ କୋଟି ଟଙ୍କା, ଇକୋଡାଇନାମିକ୍ସ ଗ୍ରିନ୍ ଏନର୍ଜି ପକ୍ଷରୁ ବରଗଡ଼ରେ ୧୦୦ କୋଟି ଟଙ୍କା ଏବଂ ସିନାଟ୍ ଫାର୍ମା ପକ୍ଷରୁ କଟକରେ ୧୦୦ କୋଟି ଟଙ୍କା ନିବେଶ କରାଯିବ।