ରାଉରକେଲା ସ୍ମାର୍ଟସିଟି: ସରୁନି ୧୬ ପ୍ରକଳ୍ପ, ଯୋଜନାର କଚ୍ଛପ ଗତି

ବ୍ୟାଙ୍କରେ ପଡ଼ିରହିଛି ୨୨୮.୨୪ କୋଟି

ରାଉରକେଲା : ରାଉରକେଲା ରାଜ୍ୟର ଦ୍ବିତୀୟ ସ୍ମାର୍ଟସିଟି। ଘୋଷଣାକୁ ଇତିମଧ୍ୟରେ ୫ ବର୍ଷ ପୂରିଛି। ୫ ବର୍ଷ ଭିତରେ ମାତ୍ର ୯ଟି ଛୋଟ ପ୍ରକଳ୍ପ କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀ ସକ୍ଷମ ହୋଇଛନ୍ତି। ଏ ବାବଦରେ ମାତ୍ର ୮ କୋଟି ୧୭ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟ ପଟେ ୨୨୮ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ନହୋଇ ବ୍ୟାଙ୍କରେ ପଡ଼ିରହିଛି।

ସ୍ମାର୍ଟସିଟି ଅଧୀନ ୪୩ ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରୁ ୧୬ଟିର କାମ ଚାଲିଛି। କେବେ ସରିବ କାହାରି ପାଖରେ ଉତ୍ତର ନାହିଁ। ସେପଟେ ୟୁସି ଦିଆଯାଇ ପାରୁ ନଥିବାରୁ ୨୦୧୮-୧୯, ୨୦୧୯-୨୦୨୦ରେ ସ୍ମାର୍ଟ ସିଟି ପାଣ୍ଠିକୁ ଟଙ୍କାଟିଏ ଆସି ନାହିଁ। ପୂର୍ବରୁ ୩ ବର୍ଷରେ ଯାହା ବି ଅର୍ଥ ମଞ୍ଜୁରି ହୋଇଥିଲା ସେଥିରୁ ୫୦% ଖର୍ଚ୍ଚ ହୋଇଛି। ବହୁ ପ୍ରକଳ୍ପ ଅଧପନ୍ତରିଆ ହୋଇ ପଡିଛି। ୪୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ପାନପୋଷ ଏନ୍‌ଏସି ମାର୍କେଟ ଭଙ୍ଗା ହେବାର ବର୍ଷକ ପରେ ମାତ୍ର ୧୦ % କାମ ମଧ୍ୟ ହୋଇ ନାହିଁ। ସ୍ମାର୍ଟ ସିଟି ଯୋଜନାରେ ୨୦୧୫-୧୬ ରୁ ୨୦୧୭-୧୮ ମଧ୍ୟରେ ୩୭୬ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮୮ କୋଟି ଟଙ୍କା ଲେଖାଏଁ ରହିଛି। ଖର୍ଚ୍ଚ ନ ହୋଇ ୧୩୬ କୋଟି ୩ ଲକ୍ଷ ଟଙ୍କା ତିନିଟି ବ୍ୟାଙ୍କରେ ଜମା ରଖାଯାଇଛି। ଯାହାର ସୁଧ ହେଲାଣି ୯୨ କୋଟି ୨୧ ଲକ୍ଷ ଟଙ୍କା। ଏବେ ମୋଟ୍‌ ୨୨୮ କୋଟି ୨୪ ଲକ୍ଷ ଟଙ୍କା ବ୍ୟାଙ୍କରେ ପଡ଼ିରହିଛି।

ସମ୍ବନ୍ଧିତ ଖବର