ଜଗତସିଂହପୁର : ଆଜି ପାରାଦୀପଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୧ହଜାର କୋଟି ଟଙ୍କାର କେତେକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହୋଇଛି। କେନ୍ଦ୍ର ସରକାରଙ୍କ ଦୁଇ ବରିଷ୍ଠ ମନ୍ତ୍ରୀ ନୀତିନ ଗଡ଼କରି ଓ ଧର୍ମେନ୍ଦ୍ର ପ୍ରଧାନ ପାରାଦୀପରେ ପହଞ୍ଚି ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଗଡ଼କରି ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ କହି ନଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟରେ ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଛନ୍ତି। ତା’ଛଡ଼ା, ଏହି ମଞ୍ଚରେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ଉପସ୍ଥିତି ରାଜନୈତିକ ଚର୍ଚା ପାଇଁ ଖୋରାକ୍ ଯୋଗାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିର କାର୍ଯ୍ୟକ୍ରମରେ ମନ୍ତ୍ରୀଦ୍ବୟ ତୈଳ ବିଶୋଧନାଗାରଠାରେ ପଲିପ୍ରକଲିନ୍ ୟୁନିଟ୍ ଉଦ୍ଘାଟନ କରିବା ସହ ପାରାଦୀପ ବନ୍ଦର ମଧ୍ୟରେ ବହୁମୁଖୀ ବର୍ଥ, ଏଲପିଜି ଟର୍ମିନାଲ, ତିନିଟି ବର୍ଥର ଯାନ୍ତ୍ରିକୀକରଣ ଓ ବିଶୋଧନାଗାରଠାରେ ମନୋଥିଲିନ ଗ୍ଲାଇକୋଲ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାସହ ପାରାଦୀପଠାରେ ବିମାନବନ୍ଦର ନିର୍ମାଣ ପାଇଁ ବନ୍ଦର ନ୍ୟାସ, ବିମାନବନ୍ଦର ପ୍ରାଧୀକରଣ ଓ ଇଣ୍ଡିଆନ ଅଏଲ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। କେବଳ ସେତିକି ନୁହେଁ, ବନ୍ଦରରେ ମଲ୍ଟିମୋଡାଲ ଲଜିଷ୍ଟିକ୍ ପାର୍କ, ରେଳଷ୍ଟେସନ ଭବନ, ଲୋକ କଲ୍ୟାଣ ଯୋଜନା ଓ ସୂଚନା କେନ୍ଦ୍ର ଭଳି ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରକଳ୍ପଗୁଡ଼ିକୁ ଉଦ୍ଘାଟନ ଓ ଶିଳାନ୍ୟାସ କରି ଶ୍ରୀ ଗଡ଼କରି କହିଲେ ଯେ, ସାଗରମାଳା ପ୍ରକଳ୍ପ କାର୍ଯ୍ୟକ୍ରମରେ ପାରାଦୀପ ବନ୍ଦର ବେଶ୍ ସଫଳତା ଅର୍ଜନ କରିଛି। ୨୦୧୩-୧୪ ମସିହାରେ ପାରାଦୀପ ବନ୍ଦରରେ ୬୮ ମିଲିଅନ ମେଟ୍ରିକ୍ ଟନ୍ କାରବାର ହେଉଥିଲା ଓ ୩୪୦ କୋଟି ଟଙ୍କା ଲାଭ ହେଉଥିଲା। ବର୍ତ୍ତମାନ ସମୟ ବଦଳିଛି। ଏହି ବନ୍ଦର ଏବେ ୧୧୦ ମିଲିଅନ ମେଟ୍ରିକ୍ ଟନ୍ କାରବାର କରୁଥିବା ବେଳେ ୭୫୦ କୋଟି ଟଙ୍କା ଲାଭ କରିବ। ଏଣୁ, ପାରାଦୀପ ବନ୍ଦର ଦେଶରେ ଖୁବ୍ଶୀଘ୍ର ପ୍ରଥମ ସ୍ଥାନ ଅଧିକାର କରିବ ବୋଲି ସେ କହିଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ପ୍ରକଳ୍ପଗୁଡ଼ିକ ସମ୍ପର୍କରେ ଯେତିକି କହିଥିଲେତା’ଠାରୁ ଢ଼େର୍ ଅଧିକ କଂଗ୍ରେସ ଓ ବିଜେଡି ଉପରେ ବର୍ଷିଥିଲେ। କେନ୍ଦ୍ରରେ ପୂର୍ବରୁ ଥିବା ଉପା ସରକାର ଓ ରାଜ୍ୟ ସରକାର ଓଡ଼ିଶାକୁ ଅବହେଳିତ କରିଛନ୍ତି ବୋଳି ସେ କହିଥିଲେ। କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟ ସରକାର ସହଯୋଗ କରୁ ନଥିବାରୁ ନୂଆ ଜାତୀୟ ରାଜପଥ ନିର୍ମାଣ ଭଳି ପ୍ରକଳ୍ପଗୁଡ଼ିକ ଆରମ୍ଭ ହୋଇପାରୁ ନାହିଁ ବୋଲି ମଧ୍ୟ ସେ କହିଥିଲେ। କାର୍ଯ୍ୟକ୍ରମରେ ପାରାଦୀପ ବିଧାୟକ ଡାକ୍ତର ଦମୋଦର ରାଉତ ଯୋଗଦେଇ ତୈଳ ବିଶୋଧନାଗାରରେ ଓଡ଼ିଆମାନଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଥିଲେ। ବିଶୋଧନାଗାର ପ୍ରକଳ୍ପରେ ୮୫୦ କର୍ମଚାରୀଙ୍କ ମଧ୍ୟରୁ ମାତ୍ର ୧୨୧ ଜଣ ଓ଼ଡ଼ିଆ ନିଯୁକ୍ତି ପାଇଥିବାରୁ ଏ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ସେ କହିଥିଲେ। କାର୍ଯ୍ୟକ୍ରମରେ ତୈଳ ବିଶୋଧନାଗାର ମହାପ୍ରବନ୍ଧକ ସଂଜୀବ ସିଂ ସ୍ବାଗତ ଭାଷଣ ଦେଇଥିବା ବେଳେ ବନ୍ଦର ଅଧ୍ୟକ୍ଷ ରୀଙ୍କେଶ ରୟ ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପି.ଏସ୍ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।