ଭୁବନେଶ୍ବର: ସନକ୍‌ ଅଟୋ କର୍ପ ପକ୍ଷରୁ ଖୋର୍ଦ୍ଧାରେ ଏକ ଇଲେକ୍ଟ୍ରିକ୍‌ ଯାନ (ଇଭି) ନିର୍ମାଣ କାରଖାନା ସ୍ଥାପନ କରାଯିବ। କମ୍ପାନି ଏହି ପ୍ରକଳ୍ପରେ ୩୦୦ କୋଟି ଟଙ୍କା ନିବେଶ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଶିଳ୍ପାୟନ ଆଗକୁ ମାଡ଼ି ଚାଲିଥିବା ବେଳେ ବୁଧବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ‌ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗିଲ୍‌ ୱିଣ୍ଡୋ ୧୩୯ତମ ବୈଠକରେ ଏହି ପ୍ରକଳ୍ପ ସମେତ ସମୁଦାୟ ୪୫୧୫ କୋଟି ଟଙ୍କାର ୧୮ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୮୨୦୦ ନୂଆ ନିଯୁକ୍ତି ସୃଷ୍ଟି ହେବ। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଜୟପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ସ୍ଥାପନ କରାଯିବ।

୮ ଜିଲ୍ଲାକୁ ମିଳିଲା ୧୮ ଶିଳ୍ପ
ଜଗତସିଂହପୁରକୁ ୩ଟି ତାରକା ହୋଟେଲ୍‌

Advertisment

ସବୁଜ ଶକ୍ତି କ୍ଷେତ୍ରରେ ତିନିଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଆଇନକ୍ସ ସୋଲାର୍‌ ଢେଙ୍କାନାଳରେ ୨୮୩ କୋଟି ଟଙ୍କା ନିବେଶରେ ଏକ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ ଆସେମ୍ବଲ କାରଖାନା ବସାଇବ। ଜିନ୍ଦଲ ଷ୍ଟେନ୍‌ଲେସ୍‌ ଯାଜପୁରରେ ୯୦ କୋଟି ଟଙ୍କା ନିବେଶରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ କାରଖାନା ବସାଇବ। ରାୟପୁରର ଏକ କମ୍ପାନି ଗଞ୍ଜାମରେ ୭୫୦ କୋଟି ଟଙ୍କା ନିବେଶରେ ଏକ ସବୁଜ ଶକ୍ତି ଉପକରଣ କାରଖାନା ସ୍ଥାପନ କରିବ। ଜଗତସିଂହପୁରରେ ତିନିଟି ତାରକା ହୋଟେଲ୍‌ ନିର୍ମାଣ କରାଯିବ। ପଦ୍ମା ହସ୍ପିଟାଲିଟି ୫୯.୯୧ କୋଟି ଟଙ୍କାରେ ଏକ ତିନିତାରକା ହୋଟେଲ୍‌, ଏସ୍‌ଏନ୍‌ଏମ୍ ହୋଟେଲ୍‌ସ ଆଣ୍ଡ୍‌ ରିସୋର୍ଟସ୍‌ ୯୨.୩୨ କୋଟି ଟଙ୍କାରେ ଏକ ଚାରିତାରକା ହୋଟେଲ୍‌ ଓ ରିସୋର୍ଟସ୍‌ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ ପାରାଦୀପରେ ୨୧୧ କୋଟି ଟଙ୍କା ନିବେଶରେ ଏକ ପଞ୍ଚତାରକା ‌ହୋ‌ଟେଲ୍‌ ନିର୍ମାଣ କରିବ। ଷ୍ଟାର୍‌କ୍ୟାପ୍‌ସ ଗ୍ଲୋବାଲ୍ ଏଲ୍‌ଏଲ୍‌ପି ଖୋର୍ଦ୍ଧାରେ ୮୦ କୋଟି ଟଙ୍କା ନିବେଶ କରି ଏକ ଔଷଧ କାରଖାନା ବସାଇବ। ଭାଇବ୍ରାଣ୍ଟ୍‌ ସ୍ପିରିଟ୍‌ସ ସୁନ୍ଦରଗଡ଼ରେ ୫୦ କୋଟି ଟଙ୍କାରେ ବାୟୋଗ୍ୟାସ୍‌ ୟୁନିଟ୍ ବସାଇବ। ଶ୍ରୀ ଜଗନ୍ନାଥ କ୍ୟାରିୟର୍ସ ଅନୁଗୁଳରେ ୧୧୧.୯୦ କୋଟି ଟଙ୍କା ନିବେଶରେ ଲଜିଷ୍ଟିକ୍ସ ପାର୍କ ଓ ଗୋଦାମ ଘର ନିର୍ମାଣ କରିବ। ସାପିଏନ୍ ରିସୋର୍ସେସ୍‌ ଅନୁଗୁଳରେ ୭୦ କୋଟି ଟଙ୍କା ନିବେଶରେ କୋଲ୍ ୱାସରି ବସାଇବ।

ଖୋର୍ଦ୍ଧାରେ ଦୁଇଟି ଡାଟା ସେଣ୍ଟର ନିର୍ମାଣ କରାଯିବ। ‌ସେ ବାବଦରେ ଶ୍ରୀଟେକ୍ ଡାଟା ୫୦୧ କୋଟି ଟଙ୍କା ଏବଂ ୱେଷ୍ଟ୍‌ ଏଜ୍ ଡାଟା ସେଣ୍ଟର ୫୦.୫୦ କୋଟି ଟଙ୍କା ନିବେଶ କରିବେ। ଏଲିକ୍ସିର ଅଫ୍ ଇଷ୍ଟ୍‌ ଖୋର୍ଦ୍ଧାରେ ସ୍ପିରିଟ୍‌ ଉତ୍ପାଦନ କାରଖାନା ବସାଇବ। ଆସୋସିଏଟେଡ୍‌ ଆଲ୍‌କୋହଲ୍‌ସ ଆଣ୍ଡ୍‌ ବ୍ରିୱେରିଜ୍ ୩୦୦ କୋଟି ଟଙ୍କା ନିବେଶରେ ଡିଷ୍ଟିଲାରି ଓ ବଟଲିଂ କାରଖାନା ସ୍ଥାପନ କରିବ। ଇସ୍ପାତ ଓ ଆନୁଷଙ୍ଗିକ କ୍ଷେତ୍ର‌ରେ ଦୁଇଟି ପ୍ରକଳ୍ପ ମଞ୍ଜୁର ହୋଇଛି। ବେଟାବିଲ୍‌ଡ୍‌ସ ଟେକ୍ନୋଲୋଜିସ୍ ସୁନ୍ଦରଗଡ଼ରେ ୧୩୧.୫୫ କୋଟି ଟଙ୍କା ନିବେଶରେ ଏକ ଇସ୍ପାତ ପ୍ରକ୍ରିୟାକରଣ ୟୁନିଟ୍ ବସାଇବ। ସେହିପରି କୋଣାର୍କ ଇସ୍ପାତ ପକ୍ଷରୁ ଝାରସୁଗୁଡ଼ାରେ ୯୯୦ କୋଟି ଟଙ୍କା ନିବେଶରେ କାରଖାନାର ସମ୍ପ୍ରସାରଣ କରାଯିବ। ଗ୍ରାଭିଟା ଇଣ୍ଡିଆ ଅନୁଗୁଳରେ ୩୫୦ କୋଟି ଟଙ୍କା ନିବେଶରେ ଏକ ରିସାଇକ୍ଲିଂ ୟୁନିଟ୍ ସ୍ଥାପନ କରିବ।