ବିଶିଷ୍ଟ ହିନ୍ଦୀ ଲେଖକ, ଅନୁବାଦକ ପ୍ରାଧ୍ୟାପକ ଶେଖ୍‌ ସୟିଦ୍‌ଙ୍କ ପରଲୋକ

ଆସିକା/ବ୍ରହ୍ମପୁର : ବିଶିଷ୍ଟ ହିନ୍ଦୀ ଓ ଓଡ଼ିଆ ଲେଖକ ତଥା ଅନୁବାଦକ ଭାବେ ଜଣାଶୁଣା ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟର ହିନ୍ଦୀ ପ୍ରାଧ୍ୟାପକ ଡ.ଶେଖ୍ ସୟିଦ୍‌ ଆଉ ନାହାନ୍ତି। କରୋନାରେ ସଂକ୍ରମିତ ହୋଇ ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଜୀବନ ହରାଇଛନ୍ତି। ତାଙ୍କ ବିୟୋଗରେ ସାହିତ୍ୟିକ, କବି ଓ ଲେଖକ ଏବଂ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ହେଉଛନ୍ତି ବିଶିଷ୍ଟ ଉର୍ଦ୍ଦୁ କବି କରାମତ୍ ଅଲ୍ଲୀ କରାମତ୍‌ଙ୍କ ଜାମାତା।

ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡ଼ି ଡିଗ୍ରୀ ଲାଭ କରିଥିବା ଦିବଙ୍ଗତ ସୟିଦ୍ ବର୍ତ୍ତମାନ ଆସିକା କଲେଜ ଛକରେ ସପରିବାର ରହୁଥିଲେ। ହିନ୍ଦୀ ଭାଷା ଏବଂ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ତାଙ୍କ ଅବଦାନ ଅତୁଳନୀୟ। ସୟିଦ୍‌ଙ୍କ ସଂପାଦନାରେ ହିନ୍ଦୀ ପତ୍ରିକା ‘ଅପ୍‌ନା ପୈଗାମ୍’ ପ୍ରକାଶିତ ହୋଇ ସମଗ୍ର ଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହାସହ ଅନେକ ଓଡ଼ିଆ ଲେଖାକୁ ସେ ହିନ୍ଦୀରେ ଅନୁବାଦ କରି ପତ୍ରିକା ଆକାରରେ ପ୍ରକାଶ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଥିଲେ। ଓଡ଼ିଆ ଭାଷ‌ାରେ ମଧ୍ୟ ତାଙ୍କର ଅନେକ ସୁନ୍ଦର ଲେଖା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଛି। ଅନେକ ସାହିତ୍ୟିକ ଓ ଲେଖକ ତାଙ୍କ ବିୟୋଗରେ ମର୍ମାହତ ହେବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ସମ୍ବନ୍ଧିତ ଖବର