ବିଶିଷ୍ଟ ଶ୍ରମିକ ନେତା ସୁଧୀରଦାସ ମଙ୍ଗରାଜଙ୍କ ପରଲୋକ

ରେମୁଣା : ରେମୁଣା ବଡ଼ପାଳ ପଞ୍ଚାୟତ କାକୋବରାଇ ଗ୍ରାମର ବିଶିଷ୍ଟ ଶ୍ରମିକ ନେତା ସୁଧୀରଦାସ ମଙ୍ଗରାଜ (୭୦)ଙ୍କର ଗତକାଲି ଭୋର୍‌ ୫ଟା ସମୟରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନା‌ରେ ପରଲୋକ ହୋଇଯାଇଛି। ଶ୍ରୀ ମଙ୍ଗରାଜ କିଡ୍‌ନିଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ନମିତା, ଏକମାତ୍ର ପୁଅ ଶୁଭେନ୍ଦୁ, ଝିଅ ସଂଧ୍ୟା, ଜ୍ବାଇଁ ସୌମେନ୍ଦ୍ର ଉପସ୍ଥିତ ଥିଲେ। ଆଜି ଅପରାହ୍ନରେ ତାଙ୍କ ମରଶରୀର ରେମୁଣା ଗୋଲେଇଠାରେ ପହଞ୍ଚିବା ପରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଗଣେଶ୍ବରପୁର ଶିଳ୍ପାଞ୍ଚଳର ଶ୍ରମିକ ଓ ଶ୍ରମିକ ସଂଗଠନର ବହୁ କର୍ମକର୍ତ୍ତା ତାଙ୍କର ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ତାଙ୍କ ମୃତ୍ୟୁରେ ଗଭୀର ‌ଶୋକ ପ୍ରକାଶ କରି ଆଜି ରେମୁଣା ବଜାର ବନ୍ଦ ରଖାଯାଇଥିଲା। ପରେ ମରଶରୀରକୁ ଜନ୍ମସ୍ଥାନ କାକୋବରାଇକୁ ନିଆଯାଇ ବଡ଼ପାଳ ପଞ୍ଚାୟତ ପରିକ୍ରମା କରାଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କର ଶେ‌ଷକୃତ୍ୟ ସଂପନ୍ନ କରାଯାଇଛି। ଏକମାତ୍ର ପୁଅ ତଥା ବିଜୁ ଯୁବଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ମଙ୍ଗରାଜ କଂଗ୍ରେସର ଜଣେ ସକ୍ରିୟ ନେତା ସହ ଶ୍ରମିକନେତା ଭାବେ ଲୋକପ୍ରିୟ ଥିଲେ। ସେ ପ୍ରଥମେ ଶିକ୍ଷକତା, ପରେ ସମାଜସେବା ଓ ରାଜନୀତିରେ ପ୍ରବେଶ କରିଥିଲେ। ବଡ଼ପାଳ ପଞ୍ଚାୟତର ସମିତି ସଭ୍ୟ, ଇମାମୀ ପେପର ମିଲ୍‌ସ ‌ଏମ୍ପ୍ଲଇଜ୍‌ ୟୁନିଅନ୍‌ର ସଭାପତି ଦାୟିତ୍ବ ତୁଲାଇଥିଲେ। କଳା, ସଂସ୍କୃତି, କ୍ରୀଡ଼ା କ୍ଷେତ୍ରରେ ତାଙ୍କର ବେଶ ପାରଦର୍ଶିତା ରହିଥିଲା।

ସମ୍ବନ୍ଧିତ ଖବର