ଆଉ ଜଣେ କିଂବଦନ୍ତୀ ପୁରୁଷଙ୍କୁ ହରାଇଲା ଓଡ଼ିଆ ସିନେ-ଶିଳ୍ପ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକଙ୍କ ଦେହାନ୍ତ

ବାରିପଦା: ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କର ଆଜି ୮୧ ବର୍ଷ ବୟସରେ ହୃଦ୍‌ଘାତରେ ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ଦେହାନ୍ତ ହୋଇଯାଇଛି। ଶ୍ରୀ ପଟ୍ଟନାୟକ ଥିଲେ ଜଣେ ଉଚ୍ଚକୋଟିର ସଙ୍ଗୀତ ନିର୍ଦେଶକ ତଥା ଗୀତିକାର। ସେ ରାଜ୍ୟ ସରକାରଙ୍କ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ବାଲେଶ୍ୱରରୁ ଅବସର ଗ୍ରହଣ କରିଥିଲେ। ଚାକିରି ସହ ଦୀର୍ଘ ୪ ଦଶନ୍ଧି ଧରି ତାଙ୍କର ସଙ୍ଗୀତ ସାଧନା ଜାରି ରହିଥିଲା।

୧୯୪୦ ମସିହା ଜୁନ୍‌ ୨ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ପିଲାଟି ବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ବଡ଼ ଭଉଣୀ କବିତା ପଟ୍ଟନାୟକଙ୍କ ପାଖରୁ ହାର୍‌ମୋନିୟମ ଧରି ଗୀତ ଶିଖୁଥିଲେ। ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ସଙ୍ଗୀତକୁ ପ୍ରଭାବିତ କରିଥିଲା। ତାଙ୍କ ନିର୍ଦ୍ଦେଶିତ ଗୀତ ସ୍ବରରେ ଏ ସବୁର ପ୍ରଭାବ ଦେଖିବାକୁ ମିଳେ। ୧୯୫୮-୫୯ ମସିହାରେ ତାଙ୍କ ସ୍ବର ସଂଯୋଜନାରେ ଆକାଶବାଣୀରେ ବାଜୁଥିଲା ଅନେକ ସମଧୁର ଗୀତ। ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଏବଂ ସଙ୍ଗୀତ ନିର୍ଦ୍ଦେଶକ ହୋଇଥିଲେ। ୧୯୭୭ ମସିହାରେ ‘ଅଭିମାନ’ ଚଳଚ୍ଚିତ୍ରରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଜୀବନ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କୁ ସୁଯୋଗ ଦେଇଥିଲେ ପ୍ରଯୋଜକ ଗଣେଶ ଚନ୍ଦ୍ର ଜିଉ। ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଆଉ ‘ଅଭିମାନ’ର ପ୍ରତିଟି ଗୀତ ସୁପରହିଟ୍‌ ହୋଇଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ତାଙ୍କର ଅନେକ କାଳଜୟୀ ସଙ୍ଗୀତର ସ୍ବର ସଂଯୋଜନା ଓ ନିର୍ଦ୍ଦେଶନା ଧାରା।

ବହୁ ଲୋକପ୍ରିୟ ଗୀତର ନିର୍ଦ୍ଦେଶନା ଓ ସ୍ୱର ସଂଯୋଜନା କରିଥିଲେ ସରୋଜ। ଏଇ ଯେ ବନଲତା ପାହାଡ଼, ତୋ ବିନା ଲାଗେନା ଭଲ କିଛି, ଏଇ ଝୁମା ଝୁମା ଗୋଲାପୀ ବେଳାରେ, ଭସା ମେଘ ମୁଁ ଯେ ଭାସିଯାଏ ଦୂରେ, ଏଇ ମନକୁ ଭୁଲାଇ ରଖିଥିଲି ସଜାଇ, ଚୁପି ଚୁପି ଗୋରୀ କାନେ କହି ଯାଏ ମହୁରୀ, ଚିକ ମିକିଆ ଯଉବନ ଜହ୍ନ ରାତି ଆଦି କାଳଜୟୀ ଗୀତ ଶ୍ରୋତାଙ୍କୁ ମତୁଆଲା କରିଥିଲା। ଅମ୍ବିକା ମା’, ରସିଆ ଠାକୁର, ଅଧର୍ମେ ନୌକା ବୁଡିଯିବ କିରେ ଆଦି ଭଜନର ନିର୍ଦେଶନା ଦେବା ସହ ‘ବକୁଳ ଫୁଲ’ ଝୁମର କ୍ୟାସେଟ୍‌ର ମଧ୍ୟ ନିର୍ଦେଶନା ଦେଇଥିଲେ। ‘ଅଭିମାନ’ ପରେ ଏକକ ଭାବେ ସେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ‘ଫୁଲଚନ୍ଦନ’ରେ। ଏଥିରେ ଅନୁରାଧା ପୌଡ଼ୱାଲ୍ ଓ ଅଲକା ୟାଗ୍ନିକଙ୍କ ଭଳି ତତ୍କାଳୀନ ଉଦୀୟମାନ ବଲିଉଡ୍ ଗାୟିକାଙ୍କୁ ସେ ଓଡ଼ିଆ ସଂଗୀତକୁ ପ୍ରବେଶ କରାଇଥିଲେ।   ୧୯୮୨ର ମୁକ୍ତିଲାଭ କରିଥିବା ଅଭିଳାଷ ସିନେମାର ଗୀତ ଝୁମା ଝୁମା ଗୋଲାପୀ ବେଳାରେ..ର ସ୍ବର ସଂଯୋଜନା କରିଥିଲେ ସରୋଜ। ଆଉ ଏହାକୁ ଗାଇଥିଲେ ବଲିଉଡ୍‌ର ଲୋକପ୍ରିୟ ଗାୟକ ହରିହରନ୍ ଓ ଗାୟତ୍ରୀ ମୁଖାର୍ଜୀ। ଚଳଚ୍ଚିତ୍ର ସହ ବିଭିନ୍ନ ନାଟକ, ଟିଭି ସିରିଏଲ, ଚଳଚ୍ଚିତ୍ର, ଟେଲିଫିଲ୍ମ ଆଦିରେ ନିଜର ସଙ୍ଗୀତର ଯାଦୁ ଦେଖାଇଥିଲେ ସରୋଜ।

ସେ ଜନ୍ମମାଟିକୁ ବହୁତ ଭଲ ପାଉଥିଲେ। ଆଉ ଖାସ୍‌ ସେଥିପାଇଁ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରୁ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଅନେକ ସୁଯୋଗ ମିଳିଥିଲେ ବି ସେ କେବେ ବାରିପଦା ମାଟିକୁ ଛାଡ଼ି ନଥିଲେ। ବାରିପଦାରେ ରହି ହିଁ ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଆଉ ଆଜି ସେଇ ବାରିପଦାରେ ହିଁ ରାତି ପ୍ରାୟ ୮ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ପ୍ରଥମ ପତ୍ନୀଙ୍କ ଆଡ଼ୁ ୩ ପୁଅ ଗୋଟିଏ ଝିଅ ଓ ଦ୍ବିତୀୟ ପତ୍ନୀଙ୍କ ଆଡ଼ୁ ୨ ଝିଅ ଅଛନ୍ତି। ସରୋଜଙ୍କ ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ ପାଇଁ ବାରିପଦାସ୍ଥିତ ବାସଭବନରେ ଉପସ୍ଥିତ ଥିଲେ। ଆସନ୍ତାକାଲି ବାରିପଦା ବାରୁଣୀଘାଟ ଶ୍ମଶାନରେ ତାଙ୍କର ଅନ୍ତୋଷ୍ଟିକ୍ରିୟା କରାଯିବ।

ଓଡ଼ିଆ ଚଳଚ୍ଚିତ୍ର ସଂଜୀତକୁ ଅବଦାନ

ଅଭିମାନ (ସଙ୍ଗୀତ ନିର୍ଦ୍ଦେଶକ)
ଫୁଲ ଚନ୍ଦନ (ସଙ୍ଗୀତ ନିର୍ଦ୍ଦେଶକ)
ଝିଅଟି ସୀତା ପରି (ସଙ୍ଗୀତ ନିର୍ଦ୍ଦେଶକ)
ଅଭିଳାଷ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
ହାକିମ ବାବୁ (ସଙ୍ଗୀତ ନିର୍ଦ୍ଦେଶକ)
ମୋ ମନ ଖାଲି ତୋରି ପାଇଁ (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
ତୁମେ ହିଁ ସାଥୀ ମୋର (ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର)
ଏଇ ସଂଘର୍ଷ (ସଙ୍ଗୀତ ନିର୍ଦ୍ଦେଶକ)
ଭିନ୍ନ ସମୟ (ଅଭିନୟ)

ସମ୍ମାନ: ‘ଫୁଲ ଚନ୍ଦନ’ ଓ ‘ଅଭିଳାଷ’ ଚଳଚିତ୍ର ପାଇଁ ଶ୍ରେଷ୍ଠ ସଙ୍ଗୀତକାର (ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)

ସମ୍ବନ୍ଧିତ ଖବର