ବିଶିଷ୍ଟ କଥାଶିଳ୍ପୀ ଯଶୋଧାରା ମିଶ୍ର ପାଇବେ ସାହିତ୍ୟ ଅକାଦେମି ପୁରସ୍କାର

‘ସମୁଦ୍ର କୂଳ ଘର’ ପୁସ୍ତକ ପାଇଁ ମନୋନୀତ, ଆନୁଷ୍ଠାନିକ ସ୍ବୀକୃତି ଆନନ୍ଦ ଦିଏ

ଭୁବନେଶ୍ବର: ଓଡ଼ିଆ ଭାଷା ପାଇଁ ୨୦୨୦ର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା କରାଯାଇଛି। ଓଡ଼ିଆ ଗଳ୍ପ ସଙ୍କଳନ ‘ସମୁଦ୍ର କୂଳ ଘର’ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଯଶୋଧାରା ମିଶ୍ର। ଏକ ସ୍ବତନ୍ତ୍ର ଉତ୍ସବରେ ଡକ୍ଟର ମିଶ୍ରଙ୍କୁ ତାମ୍ରଫଳକ ସହିତ ଏକ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ପ୍ରେସ୍ ବିବୃତି ମାଧ୍ୟମରେ ଅକାଦେମିର ସଚିବ କେ.ଶ୍ରୀନିବାସ ରାଓ ଜଣାଇଛନ୍ତି।

ଏହି ପୁରସ୍କାରକୁ ନେଇ ଡ. ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଜଣେ ସାହିତ୍ୟିକ ପାଇଁ ଆନୁଷ୍ଠାନିକ ସ୍ବୀକୃତି ଖୁସି ଓ ଆନନ୍ଦର ବିଷୟ। ପୁରସ୍କାର ପାଇବା ଖବର ଜାଣି ମୁଁ ମଧ୍ୟ ଖୁସି। ‘ସମୁଦ୍ରକୂଳ ଘର’ ସଙ୍କଳନରେ ସାତଟି ଗଳ୍ପ ସ୍ଥାନିତ। ଏହି ଗଳ୍ପଗୁଡ଼ିକ ‘ସମ୍ବାଦ’ର ବ‌ାର୍ଷିକ ବିଶେଷାଙ୍କ, କଥା, କାଦମ୍ବିନୀ ଆଦି ସମ୍ଭ୍ରାନ୍ତ ପତ୍ରିକାରେ ପ୍ରକାଶିତ ହୋଇ ପାଠକଙ୍କ ଦ୍ବାରା ଆଦୃତ ହୋଇଥିଲା। ବହିଟିକୁ ପୁରସ୍କାର ପାଇଁ ଚୟନ କରିଥିବାରୁ ବିଜ୍ଞ ବିଚାରକ ମଣ୍ଡଳୀ ଓ ସାହିତ୍ୟ ଅକାଦେମି କର୍ତ୍ତୃପକ୍ଷଙ୍କ ନିକଟରେ ମୁଁ କୃତଜ୍ଞ।’
ଡକ୍ଟର ମିଶ୍ର ହେଉଛନ୍ତି ପ୍ରଖ୍ୟାତ ଲେଖକ ପ୍ରଫେସର ଭୁବନେଶ୍ବର ବେହେରାଙ୍କ ଝିଅ। ୧୯୫୧ ମସିହାରେ ସମ୍ବଲପୁରରେ ତାଙ୍କର ଜନ୍ମ। ତେବେ ତାଙ୍କ ପୈତୃକ ଘର କଳାହାଣ୍ଡିର ମୁଣ୍ଡରାଗୁଡ଼ା।

ମଧ୍ୟପ୍ରଦେଶର ସରୋଜିନୀ ନାଇଡୁ କଲେଜରେ ଅଧ୍ୟାପନାରୁ ଅବସର ନେବା ପରେ ସଂପ୍ରତି ସେ ନିଜ ନୂଆଦିଲ୍ଲୀ ବାସଭବନରେ ରହି ସାହିତ୍ୟ ସାଧାନରେ ନିମଗ୍ନ ଅଛନ୍ତି। ଡ.ମିଶ୍ର ସାହିତ୍ୟ ଅକାଦେମିର ଇଂରାଜୀ ପତ୍ରିକା ଇଣ୍ଡିଆନ୍‌ ଲିଟ୍‌ରେଚର୍‌ର ପ୍ରଥମ ମହିଳା ସଂପାଦକ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ଅନ୍ୟ ପ୍ରକାଶିତ ପୁସ୍ତକ ମଧ୍ୟରେ ରହିଛି ‘ଜହ୍ନରାତି’, ‘ମୁହଁସଞ୍ଜ’, ‘ରେଖାଚିତ୍ର’, ‘ଦ୍ବୀପ ଓ ଅନ୍ୟାନ୍ୟ ଗଳ୍ପ’, ‘ଦେଖଣାହାରି’, ‘ସବୁଠୁ ସୁଖୀ ଝିଅ’ ଆଦି ଗଳ୍ପ ସଂକଳନ ଏବଂ ‘ପକ୍ଷୀଜନ୍ମ’, ‘ଇଷ୍ଟରୂପ’ ଓ ‘ହାତପାପୁଲିରେ ଖରା’ ଆଦି ଉପନ୍ୟାସ। ତାଙ୍କର କିଛି ଅନୁବାଦ ପୁସ୍ତକ, କବିତା ସଂକଳନ ଏବଂ ଭ୍ରମଣ କାହାଣୀ ମଧ୍ୟ ପ୍ରକାଶିତ। ଏହା ପୂର୍ବରୁ ୧୯୯୦ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି। ଏଥର କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ବିଭାଗର ପୁରସ୍କାର ପାଇଁ ବିଚାରକ ଥିଲେ ପ୍ରସିଦ୍ଧ କବି ରମାକାନ୍ତ ରଥ, ଡକ୍ଟର ପ୍ରତିଭା ଶତପଥୀ ଏବଂ ଡକ୍ଟର ବୀଣାପାଣି ମହାନ୍ତି।

ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ତରଫରୁ ଯଶୋଧାରାଙ୍କୁ ଅଭିନନ୍ଦନ
୨୦୨୦ ମସିହାର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ମନୋନୀତ ବିଶିଷ୍ଟ ଗାଳ୍ପିକା ଡକ୍ଟର ଯଶୋଧାରା ମିଶ୍ରଙ୍କୁ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ପ୍ରଫେସର ବିଜୟାନନ୍ଦ ସିଂହ, ଅକାଦେମିର ସାଧାରଣ ପରିଷଦ ସଦସ୍ୟ ତଥା ବିଶିଷ୍ଟ କବି ଅମରେଶ ପଟ୍ଟନାୟକ, ଡକ୍ଟର ବିଜୟ କୁମାର ଶତପଥୀ, ଡକ୍ଟର ତରୁଣ କୁମାର ସାହୁ, ଡକ୍ଟର ପ୍ରଦୀପ୍ତ କୁମାର ପଣ୍ଡା, ପ୍ରଫେସର ବିଷ୍ଣୁପ୍ରିୟା ଓତା, ବିମଳ ଜେନା, ସୁଶାନ୍ତ କୁମାର ନାୟକ, ଡକ୍ଟର ଶ୍ୟାମ ଭୋଇ ଏବଂ କ୍ଷେତ୍ରବାସୀ ନାଏକ ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର