ଭଞ୍ଜନଗର : ଭଞ୍ଜନଗର ଅଞ୍ଚଳର ବିଶିଷ୍ଟ ରାଜନେତା ତଥା ଓକିଲ ସଂଘର ବରିଷ୍ଠ ସଦସ୍ୟ ଆଇନଜୀବୀ ନୃସିଂହ ରଥଙ୍କ ଆଜି ପରଲୋକ ଘଟିଛି। ଶ୍ରୀ ରଥଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ରଥ ଓଡିଶାର ପୂର୍ବତନ ବାଚସ୍ପତି, ସାଂସଦ ତଥା ମନ୍ତ୍ରୀ ସୋମନାଥ ରଥଙ୍କ କନିଷ୍ଠ ପୁତ୍ର। ସେ ଏହି ଅଞ୍ଚଳର ଜଣେ ଟାଣୁଆ କଂଗ୍ରେସ ନେତା ଭାବେ ବେଶ ଜଣାଶୁଣା ଥିଲେ। ସ୍ବର୍ଗତ ରଥ କଂଗ୍ରେସର ପୁରୁଖା ନେତା ଭାବେ ଦଳୀୟ ସଙ୍ଗଠନକୁ ସୁଦୃଢ କରିପାରିଥିବା ବେଳେ ଦଳରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ପ୍ରଦେଶ କମିଟି ସଦସ୍ୟ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଓ ଭଞ୍ଜନଗର ବ୍ଳକ ସଭାପତି ଦାୟିତ୍ବ ସମ୍ପାଦନ କରିଥିଲେ। ଏଥି ସହ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ଜଗନ୍ନାଥ ମନ୍ଦିରର ସଭାପତି ଦାୟିତ୍ବରେ ରହିବା ସହ ମନ୍ଦିରର ଉନ୍ନତିରେ ଶ୍ରୀ ରଥଙ୍କ ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଥିଲା। ବିଭିନ୍ନ ଯାନି ଯାତ୍ରା ସହ ରଥଯାତ୍ରା ସମୟରେ ସେ ମୁଖ୍ୟ ପୁରୋଧା ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ।
ଶ୍ରୀ ରଥଙ୍କ ବିୟୋଗରେ ଘୁମୁସର ମାଟି ଜଣେ ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ବ୍ୟକ୍ତିତ୍ବଙ୍କୁ ହରାଇବା ସହ କଂଗ୍ରେସ ଦଳରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ମୃତ୍ୟୁ ସମୟରେ ଧର୍ମପତ୍ନୀ, ଦୁଇ ପୁଅ ଏବଂ ପୁତ୍ର ବଧୂଙ୍କ ସମେତ ମଝିଆ ଭାଇ ବିନୟ କୁମାର ରଥ ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ରଥଙ୍କ ଶେଷ ଦର୍ଶନ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ।
ପିସିସି ସଭାପତିଙ୍କ ଶୋକ
ଭୁବନେଶ୍ୱର : ବ୍ରହ୍ମପୁରର ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ନୃସିଂହ ରଥଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ରଥ ଦୀର୍ଘ ଦିନ ଧରି କଂଗ୍ରେସ ଦଳରେ ରହି ଦଳକୁ ମଜବୁତ କରିବାକୁ ପରିଶ୍ରମ ଜାରି ରଖିଥିଲେ। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ କଂଗ୍ରେସ ଦଳ ଜଣେ ନିଷ୍ଠାବାନ ବ୍ୟକ୍ତିଙ୍କୁ ହରାଇଲା ବୋଲି ପିସିସି ସଭାପତି କହିଛନ୍ତି। ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶ୍ରୀ ପଟ୍ଟନାୟକ ତାଙ୍କ େଶାକ ସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।