ଯାଜପୁର/ଦାନଗଦୀ: ଶିଳ୍ପ ପ୍ରତିଷ୍ଠା ପାଇଁ ବଳିଦାନ ନୁହେଁ, ଭାଗୀଦାରି ଜରୁରି। ସ୍ଥାନୀୟ ଲୋକଙ୍କ ବିକାଶ ଓ ସୁଖସମୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରତିବଦ୍ଧ ବୋଲି ଆଜି କଳିଙ୍ଗନଗରଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ଅବସରରେ ଶିଳ୍ପ ପାଇଁ କଳିଙ୍ଗନଗର ଗୁଳିକାଣ୍ଡକୁ ମନେପକାଇ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ।
ଗୁରୁବାର ଯାଜପୁର କଳିଙ୍ଗନଗରଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆଜିର ଏହି କାର୍ଯ୍ୟକ୍ରମ ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ନୁହେଁ; ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାଣ। କଳିଙ୍ଗନଗରଠାରେ ଆଜି ୨୦ଟି ଶିଳ୍ପର ଶିଳାନ୍ୟାସ କରାଗଲା। ରାଜ୍ୟ ସରକାରଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ଏହା ସମ୍ଭବ ହୋଇଛି। ଦିଆଯାଇଥିବା ପ୍ରତିଶ୍ରୁତିକୁ ସରକାର ମାତ୍ର ୧୧୩ ଦିନ ମଧ୍ୟରେ ପୂରଣ କରିଛନ୍ତି। ଆଜି ଯେଉଁ ସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି, ସେସବୁ ଏମ୍‌ଓୟୁ ‘ମେକ୍‌-ଇନ୍‌-ଓଡ଼ିଶା’ କନ୍‌କ୍ଲେଭରେ ସ୍ୱାକ୍ଷରିତ ହୋଇଥିଲା। ରାଜ୍ୟରେ ଶିଳ୍ପ ବିକାଶର ଅନ୍ତୁଡ଼ିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗନଗର। ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ପାଇଁ ଏହି ଅଞ୍ଚଳ ଏକ ଦୃଷ୍ଟାନ୍ତ ପାଲଟିଛି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ-ଉତ୍କର୍ଷ ଓଡ଼ିଶାରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆମେ ପାଇଥିଲୁ। ଆଜି ବାସ୍ତବତା ଦୃଶ୍ୟମାନ ହେଉଛି। ଓଡ଼ିଶା ଆଉ କେବଳ ସମ୍ଭାବନା ନୁହେଁ, ସୀମାହୀନ ସୁଯୋଗର ଭୂମି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଏସବୁ ପ୍ରକଳ୍ପ ମାଧ୍ୟମରେ ଲକ୍ଷାଧିକ ଓଡ଼ିଆ ଯୁବକ ଓ ଯୁବତୀ ନିଜ ରାଜ୍ୟର ମାଟିରେ ନିଜ ସ୍ୱପ୍ନ ପୂରଣ କରିପାରିବେ। ଏହା କେବଳ ଚାକିରି ନୁହେଁ, ଯୁବବର୍ଗଙ୍କ ପାଇଁ ଏହା ସ୍ୱାଭିମାନ, ଏହା ନୂଆ ଓଡ଼ିଶାର ନୂଆ ପରିଚୟ। ଏହା ସମୃଦ୍ଧ ଓଡ଼ିଶାର ଅୟମାରମ୍ଭ। ଏହିସବୁ ପ୍ରକଳ୍ପ ଯୋଗୁଁ  ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ଏକ ସଂଖ୍ୟା ନୁହେଁ। ପ୍ରତ୍ୟେକ ନିଯୁକ୍ତିର ଅର୍ଥ ହେଉଛି ଆମ ଗାଁର ଜଣେ ଯୁବକଙ୍କୁ ଆଉ ନିଯୁକ୍ତି ପାଇଁ ବାହାରକୁ ଯିବାକୁ ପଡ଼ିବ ନାହିଁ। ଆଗକୁ ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ଶିଳ୍ପ ପାଇଁ ବଳିଦାନ ନୁହେଁ, ଭାଗୀଦାରି ଆବଶ୍ୟକ: ମୁଖ୍ୟମନ୍ତ୍ରୀ

କଳିଙ୍ଗନଗରରେ ସୃଷ୍ଟି ହେବ ୩୬ ହଜାର ନିଯୁକ୍ତି
ସରକାର କହିଲେ ବାହାରକୁ ଯିବେନି ଓଡ଼ିଆ ଯୁବକ 

ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଥିଲେ, ଓଡ଼ିଶାବାସୀଙ୍କ ବିଶ୍ୱାସକୁ ନେଇ ସରକାର କାର୍ଯ୍ୟ କରୁଛନ୍ତି। ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। ଶିଳ୍ପର ବିକାଶ ଆମ ପ୍ରଥମ ଉଦ୍ଦେଶ୍ୟ ଥିଲା। ଏହି ଉଦ୍ଦେଶ୍ୟକୁ ସରକାର ସଫଳ କରୁଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ରାଜ୍ୟର ଆର୍ଥିକ ପ୍ରଗତିର ମେରୁଦଣ୍ଡ ହେଉଛନ୍ତି ଯୁବଶକ୍ତି। ଯୁବଶକ୍ତିର ବିକାଶ ପାଇଁ ରୋଜଗାର ଆବଶ୍ୟକ। ଶିଳ୍ପର ବିକାଶ ସହିତ ରାଜ୍ୟର ବିକାଶ ହେଉଛି ବୋଲି ସେ କହିଥିଲେ।  ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହି କ୍ରମରେ ଆଜି ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଟାଟାଷ୍ଟିଲ୍ ଲିମିଟେଡ୍‌ର ବାର୍ଷିକ ୫ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ରଖୁଥିବା ସଂପ୍ରସାରଣ ୟୁନିଟ୍ ରହିଛି। ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିଲେ।

ଏଥିରେ ୪୭,୫୯୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ଜେଏସ୍‌ଏଲ୍ ଗ୍ରୁପ୍‌ର କୋକ୍ ରିଫାଇନ୍ ପେଟ୍ରୋଲିୟମ୍ ଓ ସୋଲାର ପାୱାର ପ୍ଲାଣ୍ଟ ମଧ୍ୟ ଉଦ୍‌ଘାଟିତ ହୋଇଛି। ଏହି ପ୍ରକଳ୍ପରେ ୪୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ଜଟିଆ ଷ୍ଟିଲ୍‌ର ୨୨୦ କୋଟି ଟଙ୍କା ପୁଞ୍ଜି ନିବେଶରେ ବାର୍ଷିକ ୦.୭୫ ମିଲିୟନ ଟନ୍‌ ଲୁହାଛଡ଼ ତିଆରି କାରଖାନା, ବଡ଼ଚଣାଠାରେ ଆବିସ୍ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍‌ର କୁକୁଡ଼ା ଖାଦ୍ୟ ତିଆରି କାରଖାନା ଉଦ୍‌ଘାଟନ ହୋଇଛି। ଅନ୍ୟପକ୍ଷରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‌ର ୮.୫୨ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ରଖୁଥିବା ସଂପ୍ରସାରିତ ଇସ୍ପାତ କାରଖାନାର ଶିଳାନ୍ୟାସ କରାଯାଇଛି। ଏଥିରେ ୬୧,୭୬୯ କୋଟି ଖର୍ଚ୍ଚ ହେବ। ଯେଉଁଥିରେ ୧୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।  ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶଦାସ ନାୟକ, ବଡ଼ଚଣା ବିଧାୟକ ଅମର ନାୟକଙ୍କ ସମେତ ରାଜ୍ୟର ଶିଳ୍ପପତିମାନେ ଯୋଗ ଦେଇଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଧନ୍ୟବାଦ ଦେଇଥିଲେ।