ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲା ବାହାରି ଲୋକଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଥିବା ବେଳେ ଏଠାରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଅବସ୍ଥା କିନ୍ତୁ ବିପର୍ଯ୍ୟସ୍ତ। ଯନ୍ତ୍ରଣାରେ ଜର୍ଜରିତ ପାହାଡ଼ି ଗ୍ରାମଗୁଡିକରେ ବାସ କରୁଥିବା ଅଧିବାସୀମାନଙ୍କ ଜୀବନରେ ହସ ଫୁଟିବ କେବେ। ନିର୍ବାଚନ ଆସେ ଓ ଯାଏ। ଲୋକଙ୍କୁ ପ୍ରତିଶ୍ରୁତି ଦେଇ ନେତା ଓ ମନ୍ତ୍ରୀ ଚାଲିଯାନ୍ତି। ପ୍ରତିଶ୍ରୁତି କେବଳ ପାଣି ଗାର ସଦୃଶ୍ୟ ହୁଏ।
ଆଜି ବି ଲୋକେ ମୌଳିକ ସୁବିଧା ପାଇଁ ଆନ୍ଦୋଳନ କରିବାକୁ ପଛାଉ ନାହାନ୍ତି। କିନ୍ତୁ ମିଳୁଛି କଣ। କେବଳ ପ୍ରତିଶ୍ରୁତି। ଯଦି ଦେଖିବା ଜିଲ୍ଲାର ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟତରର ତାଗବେଡା, ବଣ୍ଡାଘାଟିର ବନ୍ଧଗୁଡ଼ା, କିର୍ସାନିପଡା ଭଳି ବହୁ ଗ୍ରାମ ପାହାଡ଼ି ହୋଇଥିବା ବେଳେ ପ୍ରଶାସନର ପାଦ ଏହି ଗାଁମାନଙ୍କରେ କେବେ ପଡି ନାହିଁ। ଦୁଇ ଆଦିମ ଜନଜାତି ବଣ୍ଡା ଓ ଡାଡାୟୀ ଦଶନ୍ଧି ଦଶନ୍ଧି ଧରି ନିଜର ଭାଗ୍ୟକୁ ଆଦରି ଏହି ପାହାଡି ଗାଁମାନଙ୍କରେ ପାହାଡ ଉପରେ ନିର୍ଭର କରି ଜୀବନ ବିତାଉଛନ୍ତି। ପାହାଡ଼ିଆ ରାସ୍ତାରେ ଚାଲିବା ତାଂକର ଅଭ୍ୟସ୍ତରେ ପାଲଟିଗଲାଣି। ପାଣି ପାଇଁ ବର୍ଷ ତମାମ ପାହାଡ଼ିଆ ଝରଣା ଏବଂ ଚୁଆ ଉପରେ ହିଁ ନିର୍ଭର କରନ୍ତି। ବହୁ ସମୟରେ ପାଣି ପାଇଁ ମାଇଲ ମାଇଲ ବାଟ ମଧ୍ୟ ଚାଲିବାକୁ ପଡ଼େ। ରାସ୍ତା ନଥିବାରୁ ଗାଁକୁ ନା ଆମ୍ବୁଲାନ୍ସ ଆସୁଛି ନା କୌଣସି ସରକାରୀ ବାବୁଙ୍କ ପାଦ ପଡୁଛି। ରୋଗୀ ଓ ଗର୍ଭବତୀ ତଥା ପ୍ରସୂତୀଙ୍କୁ କାଉଡି କରି କିମ୍ବା ଖଟିଆରେ ମେଡିକାଲ ନେବାକୁ ପଡିଥାଏ। ଅଜଣା ରୋଗର ଶିକାର ହୋଇ ଅକାଳରେ ବହୁ ଲୋକଙ୍କ ଜୀବନ ଯାଏ। ଏହାର ହିସାବ ନା ସ୍ବାସ୍ଥ୍ୟ ବିଭାଗ ପାଖରେ ନା ପ୍ରଶାସନ ପାଖରେ ରହିଛି।
୨୦୧୬ରେ ଜାପାନୀ ଜ୍ବରରେ ଏହି ଅଂଚଳର ବହୁ ପିଲାଙ୍କ ଜୀବନ ଚାଲିଯାଇଛି। କେବଳ ଉଚିତ ଚିକିତ୍ସା ଅଭାବରୁ। ଭୋଟ ମାଗିବା ପାଇଁ ନେତାମାନେ ଚାଲି ଚାଲି କିନ୍ତୁ ପାହାଡି ରାସ୍ତା ଅତିକ୍ରମ କରି ଗାଁରେ ପହଞ୍ଚି ଲୋକଙ୍କୁ ଆଶ୍ବାସନା ଦେଇ ଭୋଟ ନିଅନ୍ତି। କିନ୍ତୁ ପରମୁହର୍ତ୍ତରେ ତାକୁ ଭୁଲିଯାନ୍ତି ବୋଲି ଗ୍ରାମବାସୀ କହନ୍ତି। ଖଇରପୁଟ ବ୍ଲକରେ ମୁଦୁଲିପଡା, ଅଣ୍ଡ୍ରାହାଲ, ରାସବେଡା ଗୋବିନ୍ଦପାଲୀ, ପୋଡାଘାଟ, ବଡ଼ଡୁରାଲ ଭଳି ପଞ୍ଚାୟତର ବହୁ ଗ୍ରାମ ଆଜି ବି ପାହାଡ଼ ଉପରେ ରହିଛି। ପାହାଡ଼ ଉପରେ ବସବାସ କରୁଥିବା ଲୋକଙ୍କ ଚିତ୍କାର କେବଳ ପଥରରେ ପିଟି ହୋଇ ସେଠାରେ ହିଁ ରହିଯାଉଛି। ବହୁ ପାହାଡିଆ ଗ୍ରାମରେ ଆଜି ବି ସ୍କୁଲ ଓ ଅଂଗନବାଡ଼ି ନାହିଁ। ବହୁ ପିଲା ଅପପୁଷ୍ଟିର ଶିକାର ହେଉଛନ୍ତି। ସରକାର ଚେତିଲେ ପାହାଡ଼ିଆଙ୍କ ଭାଗ୍ୟ ବଦଳିବ ବୋଲି କୁହାଯାଇଛି। ତେବେ ସରକାର କେବେ ଚେତୁଛନ୍ତି ଦେଖିବାକୁ ବାକି ରହିଲା।