ମାଲକାନଗିରିର ସମାରୀ ମୁଦୁଲିଙ୍କୁ ଦେଇଥିଲେ ପ୍ରତିଶ୍ରୁତି, ଏବେ ତାହା ପୂରଣ କଲେ ସୁବ୍ରତ ବାଗ୍‌ଚୀ

ମାଲକାନଗିରି: ମାଲକାନଗିରି ବ୍ଲକର ମାର୍କାପାଲୀ ପଞ୍ଚାୟତ ସଦର ମହକୁମାରେ ବାସ କରୁଥିବା ସମାରୀ ମୁଦୁଲିଙ୍କ କାହାଣୀ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସେ ବେଶ ଚର୍ଚ୍ଚିତ ଚେହେରା ବନିଯାଇଥିଲେ। ଗତ ୨୦ ତାରିଖରେ ମାଲକାନଗିରି ଗସ୍ତରେ ଦକ୍ଷତା ବିକାଶର ମୁଖ୍ୟ ସୁବ୍ରତ ବାଗଚି ମାଲକାନଗିରି ପହଞ୍ଚିବା ପରେ ସମାରୀଙ୍କୁ ଭେଟି ତାଂକର ଦକ୍ଷତାକୁ ନେଇ ପ୍ରଶଂସା କରିଥିଲେ। ଜଣେ ନିରକ୍ଷର ଆଦିବାସୀ ଝିଅ କିପରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରାଇପାରିଛି, ତାକୁ ଭୃୟସୀ ପ୍ରଶଂସା କରିଥିଲେ। ଏଥିସହ ତାଂକୁ ୫ଟି ସିଲେଇ ମେସିନ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ରକ୍ଷା କରି ଶ୍ରୀ ବାଗଚି ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁଙ୍କ ଆତିଥ୍ୟରେ ସମାରୀଙ୍କୁ ୫ଟି ସିଲେଇ ମେସିନ ପ୍ରଦାନ କରିଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଦୁର୍ଗମ ମାର୍କାପାଲୀ ଗ୍ରାମର ଲୋକିନାଥ ମୁଦୁଲିଙ୍କ ୪ର୍ଥ କନ୍ୟା ହେଉଛନ୍ତି ସମାରୀ ମୁଦୁଲି। ଲୋକିନାଥଙ୍କ ପାଖରେ ମାତ୍ର ଦେଢ ଏକର ଚାଷ ଜମି ରହିଥିବା ବେଳେ ସେତିକିରେ ସେ ପରିବାର ପ୍ରତିପୋଷଣ କରୁଥିଲେ। ସମାରୀ ଓଡିଶା ଜୀବିକା ମିଶନର ବିପିଏମ ବାସନ୍ତି ଖିଲଙ୍କ ସହ ସାକ୍ଷାତ କରି ସିଲେଇ ତାଲିମ ଗ୍ରହଣ କରିଥିଲେ।ସିଲେଇ ତାଲିମ ନେବା ପରେ ସେଆଉ ପଛକୁ ଦେଖିନଥିଲେ।ନିଜେ ଏକ ଦୋକାନ କରି ବେଶ ଦିପଇସା ରୋଜଗାର କରିଥିଲେ। ପରେ ଅନ୍ୟମାନଙ୍କୁ ମଧ୍ୟ ସେ ସିଲେଇ ଶିକ୍ଷା ଦେଇ ସେମାନଙ୍କୁ ଆତ୍ମନିର୍ଭଶୀଳ କରାଇପାରିଛନ୍ତି, ଯାହାକୁ ନେଇ ଜିଲ୍ଲା ଆଜି ଗର୍ବିତ ଅନୁଭବ କରୁଛି। ପ୍ରତି ମାସରେ ସେ ୧୫ ହଜାରରୁ ୨୦ ହଜାର ଟଂକା ରୋଜଗାର କରିପାରୁଛି। ସେ ତାର ସାନ ଭଉଣୀକୁ ପାଠ ପଢାଇବାରେ ସହଯୋଗ କରିବା ସହ ଏକ ତେଜରାତି ଦୋକାନ ମଧ୍ୟ ଗାଁରେ ଖୋଲିଛନ୍ତି। ଜଣେ ଆଦିବାସୀ ଝିଅ ହୋଇ କିପରି ଆଗକୁ ବଢିଛି,ଏହି ଉଦାହରଣ ପ୍ରଶାସନ ସମସ୍ତଙ୍କ ପାଖରେ ରଖୁଛି। ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ସମାରୀ ନିକଟକୁ ଆସି ସିଲେଇ ତାଲିମ ନେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର