ପ୍ରତିଶ୍ରୁତି ରଖିଲେ ପ୍ରତାପ ଷଡ଼ଙ୍ଗୀ, ଦିବ୍ୟାଙ୍ଗ ବିଜୁଙ୍କୁ ମିଳିଲା ଜେରକ୍ସ ମେସିନ୍

ବାଲେଶ୍ବର: ପ୍ରତିଶ୍ରୁତି ମୁତାବକ ଦିବ୍ୟାଙ୍ଗ ବିଜୁ ମହାରଣାଙ୍କ ଘରକୁ ଯାଇ ତାଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଆଜି ଏକ ଜେରକ୍ସ ମେସିନ୍ ପ୍ରଦାନ କରିଛନ୍ତି। ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିରୁଆଁ ଗାଁର ବିଜୁ କିଛି ମାସ ପୂର୍ବେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଖବର ପାଇ ଶ୍ରୀ ଷଡ଼ଙ୍ଗୀ ବିଜୁଙ୍କୁ ଭେଟି ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଆଗକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ଡାକ୍ତରମାନଙ୍କ ସଫଳ ଉଦ୍ୟମ ସତ୍ତ୍ବେ ବିଜୁଙ୍କୁ ଦୁଇଟି ଯାକ ଗୋଡ଼ ହରାଇବାକୁ ପଡ଼ିଲା। ଶାରୀରିକ ଅକ୍ଷମ ହୋଇ ପଡ଼ିଥିଲେ ବି କାହ ପାଖରେ ହାତ ପତାଇବି ନାହିଁ କି ଭିକ୍ଷାବୃତ୍ତି କରିବି ନାହିଁ।

ଘରେ ବସି କିଛି ରୋଜଗାର କରିବା ପାଇଁ ଏପରି ନିଷ୍ପତ୍ତି ନେଇ ଏକ ଜେରକ୍ସ ମେସିନ୍ ଯୋଗାଇ ଦେବାକୁ ବିଜୁ ଶ୍ରୀ ଷଡ଼ଙ୍ଗୀଙ୍କୁ ଅନୁରୋଧ କରିଥିଲେ। ଏକ ଜେରକ୍ସ ମେସିନ୍ ଦେବାକୁ ଶ୍ରୀ ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ। ଆଜି ଜେରକ୍ସ ମେସିନ୍ ପାଇ ବିଜୁ ବେଶ ଖୁସିଥିବା ବେଳେ ଏଥି ନିମନ୍ତେ ସେ ଶ୍ରୀ ଷଡ଼ଙ୍ଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ରେମୁଣାର ପୂବର୍ତନ ବିଧାୟକ ଗୋବିନ୍ଦଚନ୍ଦ୍ର ଦାସ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ସୀତାରାମ ପ୍ରଧାନ ଓ ବିପିନ ମାରାଣ୍ଡି, ମଣ୍ଡଳ ସଭାପତି ମଳୟ ବିଶ୍ବାଳ ଓ କ୍ରୀଷ୍ଣା ସାହା, ସୁମନ୍ତ ଦାସ, ଆଦିତ୍ୟ ବାରିକ, ସନ୍ତୋଷ ପଣ୍ଡା, ମହେଶ୍ବର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମିଡ଼ିଆ ମୁଖ୍ୟ ସଂଯୋଜକ ଶ୍ରୀନିବାସ ପ୍ରଧାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର